ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଏତଲା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଜୟଦେବ କସବା ଗ୍ରାମପଞ୍ଚାୟତରେ ନିର୍ବାହୀ ଅଧିକାରୀ ହରେକୃଷ୍ଣ ବେହେରାଙ୍କ ନାମରେ ସଦର ଥାନାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପକଳ୍ପ ନିର୍ଦ୍ଦେଶକ ଏକ ଏତାଲା ଦାୟର କରିଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ହିତାଧିକାରୀମାନଙ୍କୁ ବାସଗୃହ ନିର୍ମାଣ ସକାଶେ ଯୋଗାଇ ଦିଆଯାଉଥିବା ସରକାରୀ ସହାୟତା ରାଶି ବିନା ଗୃହ ନିର୍ମାଣ କରି ଅନ୍ୟର ନିର୍ମିତ ଗୃହର ଫଟୋ ଦେଖାଇ ଅର୍ଥ ପ୍ରଦାନ କରିଥିବା ଭଳି ଅଭିଯୋଗର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ରିପୋର୍ଟ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଜୟଦେବ କସବା ଗ୍ରାମର ଅନନ୍ତ ଭୂୟାଁଙ୍କ ପୁଅ ରାଧାକାନ୍ତ ଭୂୟାଁଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଓ ବ୍ୟାଙ୍କ ଅଫ୍ ବରୋଦାର ପାସ୍ବୁକ୍ ଆଧାରରେ ତାଙ୍କ ପରିଚୟ ନିର୍ଦ୍ଦିଷ୍ଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଉପଯୁକ୍ତ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଥିଲା । ଏଥିପାଇଁ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକ୍ଷକ ଶ୍ରୀ ବେହେରା ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଗୃହ ନିର୍ମାଣ ସକାଶେ ୪ଟି କିସ୍ତିରେ ତାଙ୍କୁ ଯଥାକ୍ରମେ ୨୦,୩୦,୪୦ ଓ ଶେଷରେ ୩୦ ହଜାର ଏପରି ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ନିମନ୍ତେ ନିର୍ଦ୍ଦେଶନା ରହିଛି । ଦ୍ୱିତୀୟ କିସ୍ତି ପ୍ରଦାନ ବେଳେ ଗୃହ ନିର୍ମାଣର ସ୍ତର ଆକଳନ କରିବା ଓ ସଠିକ୍ ଫଟୋ ଉତ୍ତୋଳନ କରି ଫାଇଲରେ ସଂଲଗ୍ନ କରିବା ପ୍ରଭୃତି ତଦାରଖ କରାଯିବା ବିଧେୟ । ତେବେ ଦ୍ୱିତୀୟ ଓ ପରବର୍ତ୍ତୀ କିସ୍ତି ପ୍ରଦାନ ବେଳେ ଅନ୍ୟ ଗୃହର ଫଟୋ ପ୍ରଦାନ କରି ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ଏବଂ ତଦନ୍ତ ବେଳେ ଅତିରିକ୍ତ ଜିଲ୍ଲାପାଳ ଜାଣିପାରି ତା’ର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । ସେହି ଆଧାରରେ ସଂପୃକ୍ତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତାଲା ଦିଆଯାଇଛି ବୋଲି ଡି.ଆର.ଡି.ଏ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ