ପଞ୍ଚାୟତ ସଂରକ୍ଷଣକୁ ବ୍ରାହ୍ମଣୀଗାଁ ପଞ୍ଚାୟତ ବାସୀଙ୍କ ବିରୋଧ, ଜିଲ୍ଲା ପାଳଙ୍କୁ ସ୍ମାରକ ପତ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ନୋଟିସରେ ବ୍ୟାପକ ଅନିୟମିତତା, ରୋଟେସନ୍ ନିୟମକୁ ଅଣ ଦେଖା କରିବା, ପଛୁଆ ବର୍ଗ ଓ ସାଧାରଣ ବର୍ଗଙ୍କୁ ସୁଯୋଗ ନମିଳିବା ଏବଂ ଉପଯୁକ୍ତ ଅଧିକାର ଦିଆ ଯାଇନଥିବା ଦର୍ଶାଇ, ଏହା ଉପରେ ପୁନଃ ବିଚାର କରିବା ପାଇଁ ଇ-ମେଲ ମାଧ୍ୟମରେ ବଣିକ ସଙ୍ଘର ସଭାପତି ବିକ୍ରମାଦିତ୍ୟ ବସ୍ତିରାୟ, କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ପ୍ରକାଶ ଥାଉକି ବ୍ଲକ କାର୍ଯ୍ୟାଳୟର ସୂଚନା ମୁତାବକ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ମୋଟ ଜନସଂଖ୍ୟା ୪୮୮୯ ଥିବା ବେଳେ, ଅନୁସୂଚିତ ଜାତି ଜନସଂଖ୍ୟା ୨୩୩, ଜନଜାତି ସଂଖ୍ୟା ୭୭୯, ପଛୁଆ ଓ ସାଧାରଣ ବର୍ଗ ଜନ ସଂଖ୍ୟା ୩୮୭୭ରହିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଞ୍ଚାୟତ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l


