ପଞ୍ଚାୟତ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ, ପୁର୍ନବିଚାର ପାଇଁ ଅଭିଯୋଗ କଲେ ସୋସୋ ପଞ୍ଚାୟତବାସୀ
ହାଟଡିହି, (ବିକାଶ ବିଶ୍ୱାଳ ) : ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିବାପରେ ସବୁ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିଏ ଜିଲ୍ଲା ପରିଷଦ ଜୋନ ୱାରି ବୈଠକ କଲେଣି ତ ଆଉ କିଏ ପଞ୍ଚାୟତ ୱାରୀ । କିନ୍ତୁ ଏହି ସଂରକ୍ଷଣ ତାଲିକାକୁ ନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଛି । ସଂରକ୍ଷଣ ତାଲିକା ଠିକ ହୋଇନଥିବା ଅଭିଯୋଗ କରି ଅନେକ ବ୍ୟକ୍ତି ଜିଲ୍ଲାପାଳଙ୍କ ନିକଟରେ ଏହାର ପୁର୍ନବିଚାର ପାଇଁ ସ୍ୱର ଉଠାଇଲେଣି । ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ସରପଞ୍ଚ ପଦବୀ ଚଳିତବର୍ଷ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତବାସୀଙ୍କ ପକ୍ଷରୁ ଏନେଇ ବିଦ୍ଧିବଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି । ପ୍ରଣବ ମହାନ୍ତି, ଗଣେଶ୍ୱର ଭୁୟାଁ, ଅନାଦି ସିଂ, ସତ୍ୟାନନ୍ଦ ରାଉଳ, ଗୌରାଙ୍ଗ ରାଉତ, ଶତୃଘ୍ନ ରାଉତ, ଦେବେନ୍ଦ୍ର ପ୍ରଧାନ, ମହେନ୍ଦ୍ର ସିଂ, ଆନନ୍ଦ ନାୟକ, ମାନସ ନାୟକ ପ୍ରମୁଖ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦୁଇହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ସୋସୋ ପଞ୍ଚାୟତର ସରପଞ୍ଚ ପଦବୀଟି ଚଳିତ ନିର୍ବାଚନ ରେ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଧାର୍ଯ୍ୟ ହୋଇଛି । ୨୦୧୧ ଜନଗଣନା ଅନୁଯାଇ ଅନୁସୁଚିତ ଜନଜାତି ସଂଖ୍ୟା ୧୯୮ ଯାହାକି ସମୁଦାୟ ଲୋକସଂଖ୍ୟାର ୩ପ୍ରତିଶତ ଅଟେ । ଅନୁସୁଚିତ ଜାତିସଂଖ୍ୟା ୧୭୫୩, ଯାହାକି ମୋଟ ଜନସଂଖ୍ୟାର ୨୬ପ୍ରତିଶତ ଅଟେ । ଅନ୍ୟାନ୍ୟ ଜାତିର ମୋଟ ଜନସଂଖ୍ୟା ୬୬୨୫ ମଧ୍ୟରୁ ୪୬୫୩ ଅଟେ, ଯାହାକି ମୋଟ ଜନସଂଖ୍ୟାର ୭୧ପ୍ରତିଶତ । ବିଗତ ପଞ୍ଚାୟତ ନିର୍ବାଚନ ୨୦୦୨ରେ ଏହାର ସରପଞ୍ଚ ପଦବୀଟି ଅସଂରକ୍ଷିତ ରଖାଯାଇଥିବାବେଳେ ୨୦୦୭ରେ ଅନୁସୁଚିତ ଜତି ମହିଳା, ୨୦୧୨ରେ ପଛୁଆବର୍ଗ, ୨୦୧୭ରେ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଏତଲା । ଏବେ ନିୟମାନୁଯାଇ ଅସଂରକ୍ଷିତ ହେବାକୁଥିବା ସ୍ଥଳେ ତାହା କରାନଯାଇ ପୁଣି ଅନୁସୁଚିତ ଜାତ ମହିଳା କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଉଦ୍ଦେଶ୍ୟ ମୁଳକ ଭାବେ ଏହା କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏହାର ତର୍ଜମା କରି ପୁନର୍ବାଚର କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ନଚେତ ବାଧ୍ୟହୋଇ ଆଇନର ଆଶ୍ରୟ ନେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।


