ପଞ୍ଚାୟତ ସମିତି ବୈଠକ ବାହାରେ ସାଂସଦ ଓ ବିଧାୟକ ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଳକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ।ବ୍ଲକ କାର୍ଯ୍ୟାଳୟ ପରିସରରେ ଜନଗହଳି ହୋଇଥିଲା।ସାଂସଦ ପହଞ୍ଚିବା ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ପ୍ରଥମେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରକୋଷ୍ଠ କୁ ପାଛୋଟି ନେଇଥିଲେ।ପରେ ବିଧାୟକ ପହଞ୍ଚିବା ପରେ ଉଭୟଙ୍କ ସମର୍ଥକ ବୃନ୍ଦ ପରଷ୍ପର କୁ ଆକ୍ଷେପ କରିବା ସହ ପାଟିତୁଣ୍ଡ କରିଥିଲେ।ସେମାନଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏବଂ ସୋଫିଆ ମିଶ୍ର ସଦଳବଳେ ଉଭୟ ଗୋଷ୍ଠୀର ସମର୍ଥକ ମାନଙ୍କୁ ଘଉଡାଇ ଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରିନଥିଲେ।ପରେ ଥାନାରୁ ବହୁ ସଂଖ୍ୟକ ସଶସ୍ତ୍ର ଫୋର୍ସ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଥିଲା।ଏହି ଘଟଣା ଦିଗପହଣ୍ଡି ଅଞ୍ଚଳରେ ବିଜେପି ର ଗୋଷ୍ଠୀ କନ୍ଦଳ କୁ ପଦାରେ ପକାଇ ଦେଇଥିଲା। ଏହାକୁ ନେଇ ଦିଗପହଣ୍ଡି ଅଞ୍ଚଳରେ ଦିନସାରା ଚର୍ଚ୍ଚା ଲାଗି ରହିଥିଲା।ବିଭିନ୍ନ ପ୍ରସଙ୍ଗରେ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ବିଜେପି ଦୁଇ ଭାଗ ହୋଇଯାଇଛି।ସାଂସଦ ଙ୍କ ଅନୁଗାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ବିଧାୟକ ଙ୍କୁ ବିରୋଧ କରୁଥିବାରୁ ପରିସ୍ଥିତି ପ୍ରତି ଏବେ ଠାରୁ ଦୃଷ୍ଟି ନଦେଲେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରେ ସ୍ଥିତି ବିସ୍ଫୋରକ ନେବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି। ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା ଲକ୍ଷ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜିତ ସ୍ଵତନ୍ତ୍ର ବୈଠକରେ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ ଅଧ୍ୟକ୍ଷତା କରିଥିଲେ। ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବ୍ଳକ ପ୍ରଶାସନ ମିଳିତ ଭାବେ କାମକଲେ ଗ୍ରାମାଞ୍ଚଳର ବହୁବିଧ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିବା ସହ ସ୍ବଳ୍ପ ସମୟ ବସି ରହିବା ପରେ ଅନ୍ୟାନ୍ୟ କାମ ଥିବା କହି ବୈଠକରୁ ଚାଲିଯାଇଥିଲେ । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର , ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , ଜିପିଓ ଉମେଶ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଦୁର୍ଗମ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗୀକରଣ କରାଯାଇ ଗମନାଗମନର ବନ୍ଦୋବସ୍ତ କରାଯିବା , ଶିକ୍ଷାନୁଷ୍ଠାନ , ସ୍ବାସ୍ଥ୍ୟସେବା , ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ , ଜଳ ଅମଳ ସଂରକ୍ଷଣ ପ୍ରକଳ୍ପ , କ୍ରୀଡା , ଧାର୍ମିକ ଅନୁଷ୍ଠାନ , ପାନୀୟଜଳ ସମସ୍ୟା ଦୂରୀଭୂତ ପାଇଁ ପ୍ରକଳ୍ପ ନିର୍ମାଣ କରାଯିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ବିଧାୟକ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ। କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ନିର୍ବାଚନର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସରପଞ୍ଚ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବମକୋଇ ସରପଞ୍ଚ ତପନ ପ୍ରଧାନ ପ୍ରତ୍ୟେକ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିଲେ । ସହଦେବ ଟିକରପଡା ପଞ୍ଚାୟତ ସମିତି ସଭ୍ୟ ଶୈଳ ବେହେରା ପଞ୍ଚାୟତରେ ସମିତି ସଭ୍ୟଙ୍କ କଥାକୁ ଗୁରୁତ୍ବ ଦିଆଯାଉନାହିଁ ଏବଂ ଏମଜିଏନ୍ଆରଜିଏସ୍ କାର୍ଯ୍ୟରେ ମହିଳା ଶ୍ରମିକ ମାନଙ୍କୁ କିଛି ବ୍ୟକ୍ତି ଦୁର୍ବ୍ୟବହାର କରୁଥିବା ଉଲ୍ଲେଖ କରିଥିଲେ । ଚଷାନିମଖଣ୍ଡି ସରପଞ୍ଚ ମିନତୀ କୁମାରୀ ଜାନୀ ଚାଷୀଙ୍କ ଜମିକୁ ଜଳସେଚନ ନିମନ୍ତେ ଦୀର୍ଘବର୍ଷ ଧରି ରାମନଦୀରେ ଆନିକଟ ନିର୍ମାଣ କାର୍ଯ୍ଯ ନିର୍ମାଣରେ ବିଳମ୍ବତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ବୈଠକରେ ବ୍ଲକ ଅଧିନ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ , ଜିଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ , ରାଧାକାନ୍ତ ମହାଙ୍କୁଡ , ଏମ୍ . ଅନୁସୂୟା ରେଡ୍ଡୀ , ସଂଯୁକ୍ତା କବି ଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟାସଭ୍ୟବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।