ପଞ୍ଚୁଗୋଛିଆ ଅଞ୍ଚଳ ପାଲଟିଛି ଚୋରା ବାଇକ ରାକେଟର ପେଣ୍ଠସ୍ଥଳୀ

ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ପଞ୍ଚୁଗୋଛିଆ ଅଞ୍ଚଳ ଏବେ ଚୋରା ବାଇକ ର୍ୟାକେଟର ପେଣ୍ଠସ୍ଥଳୀ ପାଲଟିଛି । ଏହି ପଞ୍ଚାୟତର ଅନେକ ଗ୍ରାମରେ ଏବେବି ଶହଶହ ଚୋରା ବାଇକ ଘୁରି ବୁଲୁଛି । ଗତ କିଛିଦିନ ତଳେ କେନ୍ଦୁଝର ଟାଉନଥାନା ପୁଲିସ ନନ୍ଦିପଦା ଓ ଆନନ୍ଦପୁର ପୁଲିସ ସହଯୋଗରେ ଆଡହୁରିଆ ଓ ଯଶୋବନ୍ତପୁର ଗ୍ରାମରୁ ଏକାଧିକ ବାଇକ ଜବଦ କରିଥିବାବେଳେ ଏହି ଘଟଣାରେ ଦୁଇ ଜଣକୁ ଉଠାଇ ନେଇଥିଲା । ପୁନଶ୍ଚ ଗତକାଲି ରାତିରେ ଆଡହୁରିଆ ଓ ଯୋାବନ୍ତପୁର ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କ ଘରେ ଚଢ଼ାଉକରି ଏକାଧିକ ବୁଲେଟ ଜବଦ କରିଥିବା ଜଣାଯାଇଛି । ଏପରିକି କେତେଜଣ ଶିକ୍ଷକଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା । ଶିକ୍ଷକ, ଶିକ୍ଷାକର୍ମଚାରୀଙ୍କ ପୁଅମାନେ ଏହି ବାଇକ ଚୋରା ର୍ୟାକେଟରେ ସଂପୃକ୍ତି ଥିବାରୁ ସେମାନଙ୍କ ଘରେ ଚଢ଼ାଉ କରିଥିଲା । ତାଙ୍କ ଘରେ ଚଢ଼ାଉ ହେବାନେଇ ପୁର୍ବରୁ ଜାଣିପାରି ଶିକ୍ଷକ ଛୁ ମାରିଥିବା ଜଣାଯାଇଛି । ଜଣେ ଶିକ୍ଷକ ଚୋରା ବୁଲେଟକୁ ପୁଲିସକୁ ହସ୍ତାନ୍ତର କରିଥିବା ସୁଚନା ମିଳିଛି । ଏଠାରେ ଏବେବି ଶହଶହ ଚୋରା ବାଇକ ଥିବା ନେଇ ଆଲୋଚନା ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରା ବାଇକ ଅଣାଯାଇ ଏଠାରେ ବିକ୍ରୀ କରୁଥିବା ଜଣାଯାଇଛି । ପୁଲିସ ଏ ଅଞ୍ଚଳରେ ଥିବା ବାଇକ ଗୁଡିକର ତଥ୍ୟ ସଂଗ୍ରହ କଲେ କିମ୍ବା ଅଧିକ ଧରପଗଡ କଲେ ଏହି ଚୋରା ବାଇକ ର୍ୟାକେଟର ପର୍ଦ୍ଦଫାସ ହୋଇ ପାରନ୍ତା ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ