ପଞ୍ଜାବକୁ ୬୯ ରନ୍ରେ ହରାଇଲା ହାଇଦ୍ରାବାଦ
ଭୁବନେଶ୍ୱର,(ୱାଇଏନ୍ଏସ୍): ଦୁବାଇ ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଗୁରୁବାର ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୨୨ତମ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ହାଇଦ୍ରାବାଦ ଦଳକୁ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ପ୍ରତ୍ୟାବର୍ତନ ଘଟିଥିଲା ବେଳେ ପଞ୍ଜାବ ତିନିଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ହର୍ପ୍ରୀତ୍ ବ୍ରାର୍, କ୍ରିସ୍ ଜୋର୍ଡାନ୍ ଓ ସର୍ଫରାଜ ଖାନ୍ଙ୍କ ସ୍ଥାନରେ ସାମିଲ ହୋଇଥିଲେ ୱିକେଟ୍ରକ୍ଷକ ସିମ୍ରନ୍ ସିଂହ, ଅର୍ଶଦୀପ୍ ସିଂହ ଓ ମୁଜୀବୁର ରହମନ୍। ହେଲେ ପଞ୍ଜାବ ପୁଣି ପରାଜୟରୁ ବର୍ତି ପାରିନଥିଲା। ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ କମାଲ ଯୋଗୁଁ ହାଇଦ୍ରାବାଦ ୬୯ ରନ୍ରେ ପଞ୍ଜାବକୁ ପରାସ୍ତ କରିଦେଲା। ହାଇଦ୍ରାବାଦର ୨୦୧/୬ ଜବାବରେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବେୟାରଷ୍ଟୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କଲେ। ହାଇଦ୍ରାବାଦ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଷଷ୍ଠରୁ ତୃତୀୟ ସ୍ଥାନକୁ ଲମ୍ଫ ମାରିଥିଲା ବେଳେ ପଞ୍ଚମ ପରାଜୟ ସହ ପଞ୍ଜାବ ଅଷ୍ଟମ ତଥା ଶେଷ ସ୍ଥାନରେ ଅପରିବର୍ତିତ ରହିଲା।ଦ୍ବିତୀୟ ଓଭରରେ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲ୍ଙ୍କ ରନ୍ ଆଉଟ୍ ୨୦୨ ରନ୍ର ପିଛା କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ଶକ୍ତ ଝଟ୍କା ଥିଲା। ଏହାପରେ ପ୍ରିୟମ ଗର୍ଗ ଏବଂ ଅଧିନାୟକ କେଏଲ୍ ରାହୁଲ ଦଳୀୟ ସ୍କୋର୍ ୫୮ ବେଳକୁ ମଧ୍ୟ ପାଭିଲିୟନ୍ ଫେରିଯାଇଥିଲେ। ତେବେ ନିକୋଲାସ୍ ପୂରନ ଚଳିତ ସଂସ୍କରଣର ଦ୍ରୁତତମ ଅର୍ଧଶତକ ହାସଲ କରି ଆଶା ଦେଇଥିଲେ। ସେ ସ୍ପିନର ଅବ୍ଦୁଲ ସମଦଙ୍କ ଗୋଟିଏ ଓଭରରେ ୪ ଛକା ଓ ଗୋଟିଏ ଚୌକା ଜରିଆରେ ୨୮ ରନ୍ ଆଦାୟ କରିଥିଲେ। ମାତ୍ର ୧୭ ବଲ୍ରୁ ୫୦ ରନ୍ (୨ ଚୌକା, ୬ ଛକା) ସଂଗ୍ରହ କରିବା ସହିତ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମ୍ସନ୍ (୧୯ ବଲ୍ରୁ ୫୦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ)ଙ୍କୁ ପଛରେ ପକାଇ ଦେଇଥିଲେ। ପୂରନ୍ ମଧ୍ୟ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ସହ ଚତୁର୍ଥ ୱିକେଟ୍ରେ ୪୭ ରନ୍ ଯୋଡ଼ିଥିଲେ। ହେଲେ ମୟଙ୍କଙ୍କ ଭଳି ମ୍ୟାକ୍ସୱେଲ୍ ମଧ୍ୟ ରନ୍ ଆଉଟ୍ ହୋଇଯାଇଥିଲେ। ୧୦୪ ରନ୍ରେ ୪ ୱିକେଟ୍ ହରାଇ ଦଳ ସଂକଟରେ ପଡ଼ି ଯାଇଥିଲା। ପୁଣି ଏକମାତ୍ର ଆଶା ପୂରନ୍ଙ୍କୁ ପଞ୍ଚଦଶ ଓଭରରେ ରସିଦ୍ ଖାନ୍ ଆଉଟ୍ କରିଦେବାରୁ ପଞ୍ଜାବ ପରାଜୟ ନିଶ୍ଚିତ ହୋଇଯାଇଥିଲା। ୧୨୬ରେ ୬ ୱିକେଟ୍ ହରାଇବା ପରେ ପଞ୍ଜାବ ଆଉ ୬ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା ।