ପଞ୍ଜାବରୁ ଆସିକାକୁ ଆସିଲା ଉନ୍ନତ ମାନର କୁଫ୍ରି ପୋଖରାଜ୍‍ ଆଳୁ ବିହନ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଳୁଚାଷର ପ୍ରସାର ସାଙ୍ଗକୁ ଚାଷୀଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଆଳୁ ମିଶନ୍‍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସିକା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ୨୨ ହେକ୍ଟର ଜମିରେ କୁଫ୍ରି ପୋଖରାଜ ଓ କୁଫ୍ରିଜ୍ୟୋତି ଆଳୁ ଚାଷ କରିବା ଲାଗି ଆସିକା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ପଞ୍ଜାବରୁ ପ୍ରଥମ ପର୍ଯ୍ୟାୟରେ ୧୫୦ କୁଇଣ୍ଟାଲ୍‍ କୁଫ୍ରି ପୋଖରାଜ୍‍ ଉନ୍ନତ ମାନର ଆଳୁ ବିହନ ଆସି ପହଞ୍ଚିବା ପରେ ଆସିକା ବ୍ଳକର ହରିଡାପଦର, ଖଣ୍ଡଦେଉଳୀ, ଚଢେୟାପଲ୍ଲୀ, ଗଙ୍ଗାପୁର, କମାଗଡ, ସିଦ୍ଧନଇ, ଭେଟନଇ ଗ୍ରାମ ପଂଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମାଂଚଳର ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି କୁଫ୍ରି ପୋଖରାଜ୍‍ ଆଳୁ ବିହନ ବିକ୍ରୀ କରାଯାଇଥିବା ବେଳେ ଚାଷୀମାନେ ଯେପରି ଆଳୁ ଚାଷ କରିବା ଲାଗି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଜଣାପଡିଛି । ଆଳୁଚାଷକୁ ଅଧିକ ପ୍ରାଧାନ୍ୟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଆସିକା ଉଦ୍ୟାନ ଓ କୃଷି ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ଅଞ୍ଚଳରେ ୨୨ ହେକ୍ଟର ଚାଷଜମିରେ ପଞ୍ଜାବର କୁଫ୍ରିଜ୍ୟୋତି ଓ କୁଫ୍ରି ପୋଖରାଜ୍‍ ଆଳୁ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ସହକାରୀ ଉଦ୍ୟାନ ଓ କୃଷି ଅଧିକାରୀ ଗୀତାଞ୍ଜଳୀ ସାହୁ ସୂଚନା ଦେଇଛନ୍ତି । ଉକ୍ତ ଆଳୁବିହନ କୁଫ୍ରି ପୋଖରାଜ୍‍ ଅତି ଉନ୍ନତ କିସମର ହୋଇଥିବା ବେଳେ ଏହା ଚାଷୀଙ୍କୁ ବେଶ୍‍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ବର୍ଷତମାମ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ଆଳୁର ଦର ବିଭିନ୍ନ ସମୟରେ ଅଧିକା ଉଚ୍ଚା ରହୁଛି । ଓଡିଶାରେ କିଭଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହୋଇପାରିବ ଏବଂ ଚାଷୀ ଆତ୍ମନିର୍ଭିରଶୀଳ, ସ୍ୱାବଲମ୍ବୀ ହେବା ସହ ଆଳୁଚାଷ କରିବା ପାଇଁ କିଭଳି ଆଗ୍ରହ ଦେଖାଇବ ତାହାକୁ ଦୃଷ୍ଟିରେ ରଖି ଆସିକା ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଥିବା ଜଣାପଡିଛି । ପଞ୍ଜାବ ବିହନ କୁଫ୍ରିଜ୍ୟୋତି ଓ କୁଫ ପୋଖରାଜ୍‍ ଆଳୁ ଚାଷ କରିବା ପାଇଁ ପ୍ରତି ହେକ୍ଟର ପିଚ୍ଛା ଚାଷୀଙ୍କୁ ୧୩ କୁଇଣ୍ଟାଲ ଆଳୁ ବିହନ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଚାଷୀଙ୍କୁ ରିହାତି ଦରରେ ଆଳୁ ବିହନ ଯୋଗାଇଦେବା ସହ ପରବର୍ତ୍ତୀ ସମୟରେ ଫସଲ ଅମଳ ହେଲେ ସବ୍‍ସିଡି ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି । ଆଗ୍ରହୀ ଆଖୁଚାଷୀମାନେ ପଞ୍ଜାବର କୁଫ୍ରିଜ୍ୟୋତି ଓ କୁଫ୍ରି ପୋଖରାଜ୍‍ କ୍ଷେତରେ ବିହନ ଲଗାଇବା ସମୟର ଫଟୋ ଓ ଅମଳ ସମୟର ଫଟୋ ଉଦ୍ୟାନ ଓ କୃଷି ବିଭାଗ ନିକଟରେ ଦାଖଲ କଲେ ସେମାନଙ୍କୁ ସବ୍‍ସିଡି ବାବଦକୁ କିଲୋ ପ୍ରତି ୧୦ ଟଙ୍କା ମଧ୍ୟ ସେମାନଙ୍କ ବ୍ୟାଙ୍କଖାତାକୁ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ