ପଟ୍ଟାମୁଣ୍ଡାଇ ତହସିଲ ସରକାରୀ ଜମି ଜାଲିଆତି ଘଟଣା: ଭିଜିଲାନ୍ସ ତଦନ୍ତ ଦାବି କଲେ ଦୁଷ୍ମନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଓ ସଂପୃକ୍ତ ଘଟଣାର ଦୋଷୀଙ୍କୁ ଘଣ୍ଟ ଘୋଡାଯାଉଥିବାରୁ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ନିର୍ଦେଶକଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିବା ସହିତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ଓ ଗରାପୁର ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବା ପରେବି କୈାଣସି ସୁଫଳ ନମିଳିବାରୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଶେଷରେ ବାଧ୍ୟ ହୋଇ ଏଭଳି ପନ୍ଥା ଆପଣେଇଛନ୍ତି । ଏତଦବ୍ୟତିତ ଶ୍ରୀ ଆଚାର୍ଯ୍ୟଙ୍କ ନାମରେ ଏକ ୧୦୭ମାମଲା କରାଯାଇଥିବା ବେଳେ ଆଗାମୀ ଦିନରେ ତାଙ୍କ ନାମରେ ଆହୁରି ମିଥ୍ୟା କେଶ କରି ତାଙ୍କ ନିକଟରେ ଥିବା ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବାର ସମ୍ଭାବନା ଥିବା ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତାଙ୍କ ଅଭିଯୋଗ ଉପରେ ତଦନ୍ତ କରି ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଶ୍ରୀ ଆଚାର୍ଯ୍ୟଙ୍କ ନାମରେ ଏକ ୧୦୭କେଶ କରି ତାଙ୍କ ପାଟି ବନ୍ଦ କରିଦେବାକୁ ଚକ୍ରାନ୍ତ ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଗତ ୩୧ଅଗଷ୍ଟରେ ଧାରଣା ଦେଇଥିଲେ । ଧାରଣା ଷଷ୍ଠ ଦିବସରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଶ୍ରୀ ଆଚାର୍ଯ୍ୟ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ସେହି ଘଟଣାରେ ଦୋଷୀଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗତ ୧ତାରିଖରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ । ତେଣୁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କୁ ସେହି ତହସିଲର ଆର.ପି.କେଶ ନମ୍ବର ୪୭୪/୨୦୦୭ ଏବଂ ମିସ କେଶ ନମ୍ବର ୧୭/୨୦୧୧ ଉପରେ ସେ କରିଥିବା ଅଭିଯୋଗର ଶୁଣାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବ ଓ ଶ୍ରୀ ଆଚାର୍ଯ୍ୟ ଆବଶ୍ୟକ କାଗଜାଦ ସହ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ଗତ ୧୮.୧୦.୨୨ରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇଥିଲେ ବି ନିଜେ ଉପଜିଲ୍ଲାପାଳ ଅନୁପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ଗତ ନଭେମ୍ବରମାସ ୫ତାରିଖରେ ଶୁଣାଣି କରାଯାଇଥିଲା । କିନ୍ତୁ ଶୁଣାଣିରେ ପ୍ରଶାସନର ପୂର୍ବ ପ୍ରତିଶୃତି ଅନୁଯାୟୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେଣୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ସେହି ଜାଲିଆତି ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯିବାକୁ ଓ ଦୋଷୀ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ରାଜ୍ୟ ଭିଜିଲାନ୍ସ ନିର୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହିତ ଶ୍ରୀ ଆଚାର୍ଯ୍ୟ ଏସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ଏସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ