ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ନିଯୁକ୍ତିରେ ଅନିୟମିତତା ଘଟଣା

କଲେଜର ସମସ୍ତ ରେକର୍ଡପତ୍ରକୁ ନିଜ ହେପାଜତରେ ରଖିବାକୁ ଲୋକାୟୁକ୍ତଙ୍କ ନିର୍ଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଷ୍ଟାଫ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଓଡିଶା ଲୋକାୟୁକ୍ତଙ୍କ ନିର୍ଦେଶ କ୍ରମେ ତାଙ୍କ ନିର୍ଦେଶକ କଲେଜକୁ ଆସି ତଦନ୍ତ କରି ଫେରିଯାଇଥିଲେ । ନିର୍ଦେଶକଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଲୋକାୟୁକ୍ତ କଲେଜର ନିଯୁକ୍ତି ସଂକ୍ରାନ୍ତୀୟ ସମସ୍ତ ରେକର୍ଡପତ୍ର ନିଜ ହେପାଜତରେ ରଖିବାକୁ କଲେଜ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏବଂ ସମ୍ପାଦକ ତଥା କଲେଜ ଅଧ୍ୟକ୍ଷ ଅଜୟ ନାୟକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । କଲେଜରେ ହୋଇଥିବା ନିଯୁକ୍ତିକୁ ନେଇ କଲେଜ ପରିଚାଳନା ସମିତି ରେଜୁଲେସନ, ଡାକ ଡେସପାଚ ରେଜିଷ୍ଟର ପ୍ରଭୃତିକୁ ନିଜ ହେପାଜତରେ ରଖିବାକୁ ଲୋକାୟୁକ୍ତ ଚଳିତ ମାସ ୨୨ତାରିଖରେ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଏଥିସହିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବିପିନ ବିହାରୀ ବାରିକଙ୍କୁ କଲେଜରେ ବେଆଇନ ନିଯୁକ୍ତି ସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ଏବଂ ତଦନ୍ତ ରିପୋର୍ଟ ଅନୁଯାଇ ସେ ତାଙ୍କର କୈଫିୟତ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ନୋଟିସ ପ୍ରଦାନ କରାଯାଇଛି । ଏହାବ୍ୟତିତ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏସମ୍ପର୍କରେ ତାଙ୍କର ମତାମତ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ନୋଟିସ ପଠାଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡାର ପ୍ରତାପ ମହାନ୍ତି ଓ ରାଧାକାନ୍ତ ମହାନ୍ତି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ହୋଇଥିବା ନିଯୁକ୍ତିରେ ଅନିୟମିତତା ବିରୋଧରେ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ପକ୍ଷରୁ ଅଭିଯୋଗର ତଦନ୍ତ କରାଯିବା ପରେ ବିଭିନ୍ନ ବିଭାଗୀୟ କତ୍ତୃପକ୍ଷ ଓ ତଦନାନ୍ତିନ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ କରାଯିବା ସହ ଆସନ୍ତା ଫେବୃୟାରୀମାସ ୨୬ତାରିଖକୁ ପରବର୍ତ୍ତୀ ଶୁଣାଣି ହେବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ