ପଟ୍ଟାମୁଣ୍ଡାଇ-ରାଜନଗର ବନ୍ଧରାସ୍ତାରେ ବସ୍ ଚଳାଚଳ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳଭା, ଶାସନ, ମାଳିପୁର, ଅଢାଜୋରୀ, ଗୁଣ୍ଠି, ମଦନପୁର ସମେତ ନିକଟସ୍ତ ଗ୍ରାମ ଗୁଡିକର ଶତାଧିକ ବ୍ୟକ୍ତି ସୋମବାର ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସାକ୍ଷାତ କରି ପଟ୍ଟାମୁଣ୍ଡାଇ-ରାଜନଗର ବନ୍ଧରାସ୍ତା ଦେଇ ଯାତ୍ରୀବାହୀ ବସ୍ ଚଳାଚଳ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ହେଉଛି ଅଳଭାଠାରୁ ମଦନପୁର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ କୂଳେକୂଳେ ଏକ ବନ୍ୟା ନିରୋଧକ ବନ୍ଧ ରହିଛି । ସେହି ରାସ୍ତା ଦେଇ କଟକ ଏବଂ ପଟ୍ଟାମୁଣ୍ଡାଇରୁ ରାଜନଗରକୁ ଯାତ୍ରୀବାହୀ ବସ୍ ଚଳାଚଳ ହେଉଥିଲା । କିନ୍ତୁ ପଟ୍ଟାମୁଣ୍ଡାଇ କଲେଜ ନିକଟ ବକ୍ତାରପୁରଠାରୁ ରାଜନଗର ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ନବୀକରଣ ହେବାପରେ ସେହି ରାସ୍ତାରେ ସମସ୍ତ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି । ଯାହାଫଳରେ କି ନଦୀବନ୍ଧର ଉଭୟ ପାଶ୍ୱର୍ରେ ଥିବା ପ୍ରାୟ ୩୨ଟି ଗ୍ରାମର ୫୦ହଜାର ଲୋକ ବସ୍ ସେବାରୁ ବଞ୍ଚିତ ହୋଇଛନ୍ତି । ରାଜନଗର-ପଟ୍ଟାମୁଣ୍ଡାଇ ପୂର୍ତ୍ତବିଭାଗ ରାସ୍ତାରେ ବସ ଧରିବାକୁ ହେଲେ ୧୦କି.ମି. ରାସ୍ତା ଖର୍ଚ୍ଚାନ୍ତ ହୋଇଯିବାକୁ ପଡୁଛି । ନଦୀବନ୍ଧ ରାସ୍ତାରେ ବହୁ ବର୍ଷ ଧରି ଯାତ୍ରୀବାହୀ ବସ୍ ଚଳାଚଳ ହେଉନଥିବାରୁ ମଦନପୁର କଲେଜ ଏବଂ ପଟ୍ଟାମୁଣ୍ଡାଇ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ବସ୍ ଚଳାଚଳ ଅଭାବରୁ କଲେଜକୁ ଯିବା ଆସିବା ପାଇଁ ହଇରାଣ ହରକତ ହେଉଛନ୍ତି । ଗମନାଗମନରେ ଅସୁବିଧା ହେତୁ ନଦୀବନ୍ଧର ଦୁଇ କଡରେ ଥିବା ଗ୍ରାମର ଗରିବ ଛାତ୍ରଛାତ୍ରୀମାନେ କଲେଜକୁ ଯାଇନପାରି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ନଦୀବନ୍ଧରେ ବହୁ ଖାଲଖମା ରହିଛି । ଜଳସେଚନ ବିଭାଗ ପକ୍ଷରୁ ବନ୍ଧଟିକୁ ନବୀକରଣ କରାଯାଇଥିବା ସତ୍ତ୍ୱେ ପୂର୍ତ୍ତବିଭାଗ ଅଧିନରେ ଥିବା ବନ୍ଧର ଶୀର୍ଷଭାଗ ମରାମତି କରାଯାଉନାହିଁ । ବନ୍ଧର ଶୀର୍ଷ ଭାଗକୁ ପୂର୍ତ୍ତବିଭାଗ ଦ୍ୱାରା ମରାମତି କରାଯାଇ ସେହି ନଦୀବନ୍ଧ ରାସ୍ତାରେ ବସ୍ ଚଳାଚଳ କରିବା ପାଇଁ ଶତାଧିକ ଜନପ୍ରତିନିଧି ଡାମରପୁର ପଞ୍ଚାୟତର ବରିଷ୍ଠ ନାଗରିକ ତଥା ପୂର୍ବତନ ସମିତି ସଭ୍ୟ ନୃସିଂହଚରଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଅଜୟ କୁମାର ସେନ, ପ୍ରଶାନ୍ତ ମହାନ୍ତି, ମୁରଲୀଧର ସେଠୀ, ବସନ୍ତ ନାଥ, ନଳିନୀକାନ୍ତ ସାହୁ, ତ୍ରିଲୋଚନ ବିଶ୍ୱାଳ, ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ପୂର୍ତ୍ତବିଭାଗ ପକ୍ଷରୁ ସେହି ରାସ୍ତା ମରାମତି କରାନଯାଇ ପୂର୍ବପରି ନଦୀବନ୍ଧ ରାସ୍ତାରେ ବସ୍ ଚଳାଚଳ ନହୁଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପରିବହନମନ୍ତ୍ରୀ ଏବଂ କେନ୍ଦ୍ରାପଡା ଆରଟିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବିପତ୍ର ପଠାଯାଇଥିବା ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।


