ପଟ୍ଟା ନାହିଁ ତ ଭୋଟ ନାହିଁ: ବସ୍ତି ବାସିନ୍ଦା
ପୁରୀ(ଯୁଗାଦ୍ଧ ନ୍ୟୁଜ): ଓଡ଼ିଶା ସରକାରଙ୍କ ବସ୍ତି ବାସିନ୍ଦା ଭୂମି ଅଧିକାର ଅନୁଯାୟୀ ସେମାନଙ୍କୁ ପଟ୍ଟା ମିଳିବା କଥା । କିନ୍ତୁ ପୁରୀ ସହରର ବଳିଆପଣ୍ଡାରେ ଦୀର୍ଘବର୍ଷ ଧରି ଏକ ହଜାରରୁ ଊଦ୍ଧ୍ୱର୍ ବସ୍ତିବାସିନ୍ଦା ରହିଆସୁଛନ୍ତି । ବିଭିନ୍ନ ଦାବି, ଜିଲ୍ଲାପାଳଙ୍କୁ ଗୁହାରୀ, ବିକ୍ଷୋଭ ଓ ଅନଶନ କରିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବାସଗୃହ ଓ ପଟ୍ଟା ମିଳିପାରିନାହିଁ । ନିର୍ବାଚନ ପୂର୍ବରୁ ଯଦି ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେବାପାଇଁ ନିଷ୍ପତ୍ତି ନହୁଏ ତେବେ ବସ୍ତି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କୌଣସି ରାଜନେତାଙ୍କୁ ବସ୍ତି ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ଓ ପ୍ରବଳ ବିରୋଧ କରାଯିବ ବୋଲି ଆଜି ଗୁପ୍ତ ବୈଠକରେ ନିଷ୍ପତ୍ତି ହୋଇଥିବା ଭିତ୍ତିରି ସୂତ୍ରରୁ ଜଣାପଡିଛି ।
ସୂଚନାଥାଉକି, ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ବସ୍ତି ଅଞ୍ଚଳରେ ବସବାସ୍ କରୁଥିବା ଭୂମିହୀନଙ୍କୁ ମାଗଣାରେ ଜମିପଟ୍ଟା ବଣ୍ଟନ କରାଯାଇଥିଲା । ହେଲେ ବଳିଆପଣ୍ଡା ବସ୍ତିବାସିନ୍ଦାଙ୍କୁ ମିଳିନଥିଲା । ତେଣୁ ସେମାନେ ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କ ନିକଟରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିଲା ନାହିଁ । ତେଣୁ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ବସ୍ତିରେ ପୁରାଇ ଦେବେନାହିଁ କି ଭୋଟ ଦେବେ ନାହିଁ ବୋଲି ଧମକ ଦେଇଥିବା ଜଣାପଡିଛି । ଭୋଟ ପୂର୍ବରୁ ଉକ୍ତ ଘଟଣାର ସମାଧାନ ତୁରନ୍ତ କରାଯାଉ ନଚେତ୍ ଜମି ପଟ୍ଟା ନାହିଁ ତ ଭୋଟ ନାହିଁ ବୋଲି ସେମାନେ କହିଥିବା ଜଣାପଡିଛି ।


