ପଡୋଶୀ ଘରେ ନିଆଁ ଲଗାଇଥିବା ଯୁବକ ଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାଇଗଣବାଡି ପଲ୍ଲୀ ଗ୍ରାମରେ ନିଜ ପଡୋଶୀଙ୍କ ଘରେ ନିଆଁ ଲଗାଇ ଜାଳିଦେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ବାଇଗଣବାଡି ପଲ୍ଲୀ ଗ୍ରାମର ଗୋପୀନାଥ ଦଳାଇ। ରବିବାର କେ. ନୂଆଗାଁ ଥାନା କେଶ୍ ନମ୍ବର ୬୫/୨୫ ପ୍ରକାରେ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହୋଇ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।ସୂଚନା ପ୍ରକାରେ ଗତ ଶନିବାର ରାତିରେ ଗୋପୀନାଥଙ୍କ ପଡୋଶୀ ଦୁହିତା ଦଳାଇ ଘର କାମରେ ବ୍ୟସ୍ତ ଥିବା ବେଳେ ଅଭିଯୁକ୍ତ ଯୁବକ ନିଆଁ ଲଗାଇ ନିଜ ଘରକୁ ଚାଲି ଯାଇଥିଲେ।ମହିଳା ଜଣକ ପୋଡା ଗନ୍ଧ ବାରିବା ସହ ଘରେ ଅଧିକ ଧୂଆଁ ଭର୍ତ୍ତି ହୋଇଥିବା ଦେଖି ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ।ଘରଟି ଜଳୁଥିବା ଦେଖି ସେ ଚିତ୍କାର କରିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ମଧ୍ୟ ଅଭିଯୁକ୍ତ ଗୋପୀନାଥ ମହିଳାଙ୍କ ଘର ଜାଳିଦେବାକୁ ଉଦ୍ୟମ କରିଥିବାରୁ ଗ୍ରାମବାସୀ ସନ୍ଦେହରେ ଗୋପୀନାଥଙ୍କୁ ଖୋଜିଥିଲେ।ଗୋପୀନାଥ ଭୟରେ ଘର ଭିତରେ ଛପିଥିବା ବେଳେ ଲୋକେ ଧରିନେଇ ପୋଲିସକୁ ହସ୍ତାନ୍ତର କରିଥିଲେ।ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।ଏହି ଅଗ୍ନିକାଣ୍ଡରେ ପଡୋଶୀ ମହିଳାଙ୍କ ଘର ସମେତ ଅନ୍ୟ ଜଣେ ପଡୋଶୀଙ୍କ ବହୁ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି।