ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶ୍ୱପ୍ରସିଦ୍ଧ ଟୀକାକାର ଜଗତଗୁରୁ ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିଲେ । ଡ. ଭାଗବତ ପ୍ରସାଦ ଦାସ, ନିରଞ୍ଜନ ସାହୁ, ଡ. ଶିରୀଶ ଚନ୍ଦ୍ର ଜେନା ପ୍ରମୁଖ ଏଥିରେ ଅତିଥି ବକ୍ତାଭାବେ ଯୋଗଦେଇ ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ବହୁବିଧ ପ୍ରତିଭା ଓ ତାଙ୍କ ଦ୍ୱାରା ରଚିତ କାବ୍ୟାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମଗ୍ର ଭାରତବର୍ଷର ଜନମାନସକୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ଆସିଥିବା ଏହି ମହାପୁରୁଷ ରେମୁଣା ଜନ୍ମ ନେଇ ଏହି ମାଟିକୁ ଧନ୍ୟ କରି ପାରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ତେବେ ତାଙ୍କର ଉଚିତ ମୂଲ୍ୟାୟନ ସହ ତାଙ୍କ ଦ୍ୱାରା ରଚିତ ଉପାଦେୟ ଆଧ୍ୟାତ୍ମିକ ଶାସ୍ତ୍ରର ବ୍ୟାପକ ପ୍ରଚାର ପ୍ରସାର ଦିଗରେ ସବୁ ମହଲରୁ ପ୍ରୟାସ କରିବା ଉଚିତ ବୋଲି ସେମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାବଗ୍ରାହୀ ମହାନ୍ତି, ରମଣୀରଞ୍ଜନ ଦାସ, ହରମୋହନ ମଲିକ, କମଳାକାନ୍ତ ଦାସ, ବିନୟ କୁମାର ମହାନ୍ତି, ବିଜୟ ଦାସଅଧିକାରୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ଦିବଂଗତ ସଙ୍ଗୀତ ସାମ୍ରାଜ୍ଞୀ ଭାରତରତ୍ନ ଲତା ମଞ୍ଜେସ୍କର ଓ ବାଲେଶ୍ୱରର ସମାଜସେବୀ ବିଶ୍ୱନାଥ ରଣାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ।