ପଣ୍ଡୁଓଷା
ଓଡ଼ିଶାରେ ହିନ୍ଦୁପରମ୍ପରାରେ ପାଳନ କରାଯାଉଥିବା ଓଷାବ୍ରତମାନଙ୍କ ମଧ୍ୟରୁ ପଣ୍ଡୁ ଓଷା ଅନ୍ୟତମ । ଏହି ଓଷା ପାଳନକୁ ନେଇ ଅନେକ କଥା ଶୁଣାଯାଏ । କେହି କେହି ମତ ଦିଅନ୍ତି ଯେ ମାର୍ଗଶୀର ପୂର୍ଣ୍ଣିମା ଦିନ ବ୍ୟାସଙ୍କ ବୀର୍ଯ୍ୟରୁ ଅମ୍ବାଙ୍କ ଗର୍ଭରୁ ପଣ୍ଡୁ ଜନ୍ମ ନେଇଥିଲେ ବୋଲି ପଣ୍ଡୁଙ୍କ ଅର୍ଥରୁ ପଣ୍ଡୁଓଷା ସ୍ତ୍ରୀମାନେ ପାଳନ କରନ୍ତି । ପଣ୍ଡୁଙ୍କ ନାମାନୁସାରେ ମାର୍ଗଶୀର ପୂର୍ଣ୍ଣିମା କୁ କେଉଁଠି ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ଭିନ୍ନମତରେ ହେମନ୍ତ ଋତୁ ପରେ ଏହି ସମୟରେ ଶୀତ ପ୍ରବେଶ କରିଥାଏ । ସକାଳୁ ସକାଳୁ କୁହୁଡ଼ିର ବିଜେ ହେତୁ ସର୍ବତ୍ର ଫିକାଧଳା ବା ପଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏହା କେଉଁଠି ପୂର୍ଣ୍ଣିମା ଓ ପଣ୍ଡୁ ଓଷା ସହ ସଂପର୍କିତ ବୋଲି ଲୋକ କୁହନ୍ତି । ଲୋକ ଗୀତରେ ଅଛି :
ଅଇଲା ପଣ୍ଡୁ ମଲେମଶା, ଫାଟୁଆ ଦେଲେ ମୁରୁକି ହସା କୁହୁଡ଼ି ହେଉଚି ମଶାଙ୍କର ଯମ । ଅନ୍ୟପକ୍ଷରେ ଶୀତ ପଡ଼ିଲେ ଗୋଡ଼ଫାଟେ ।
ପ୍ରଚଳିତ ଲୋକ କଥାରୁ ଜଣାପଡ଼େ ଏହା ମୁଖ୍ୟତଃ ଯମରାଜାଙ୍କର ପୂଜା । ଯମଙ୍କର ପୂଜାକଲେ ଅପୁତ୍ରିକ ନାରୀମାନଙ୍କ ପୁତ୍ର ସନ୍ତାନ ଲାଭକରିଛନ୍ତିି । ସେ ପୁତ୍ର ମଧ୍ୟ ଦୀର୍ଘଜୀବୀ ହୁଏ । ଓଷାବହିରେ ଲେଖାଅଛି :
ଯମରାଜା ବୋଇଲେରେ ଶୁଣ କୁମାର
ମୋ ବ୍ରତ ନକଲେ, ବାନ୍ଧି ଆଣିବି ସତ୍ୱର
ଏନେଇ ଏକ କାହାଣୀ ଅଛି । ଏକଦା ଜମ୍ବୁଦୀପର ରାଜା ସବୁସତ୍ତେବ ନିଃସନ୍ତାନ ଥିଲେ । ଥରେ ସକାଳୁ ସକାଳୁ ଗୋଟେ ହାଡ଼ିଆଣୀ ତାଙ୍କ ମୁହଁ ଦେଖି ମନ୍ତବ୍ୟଟିଏ ଦେଲା: କି ହେଲାରେ, ସକାଳୁ ସକାଳୁ ଗୋଟେ ଅପୁତ୍ରିକର ମୁର୍ହ ଚାହିଁ ଦେଲି । ଭଲା ଆଜି ଦିନଟା କଟିବ କେମିତି ? ଏହା ରାଜାଙ୍କୁ ବହୁତ ବାଧିଲା । ସେ ମନ୍ତ୍ରୀଙ୍କୁ ରାଜ୍ୟଭାର ସମର୍ପି ଦେଇ ପୁତ୍ରଟିଏ ପାଇଁ ତପସ୍ୟା କରିବାକୁ ରାଣୀଙ୍କୁ ଧରି ବନବାସୀ ହେଲେ । ବନ ମଧ୍ୟରେ ଥରେ କିଛି ନାରୀ ପଣ୍ଡୁ ଓଷା କରୁଥିବାର ଦେଖିଲେ ଏବଂ ତାଙ୍କଠୁ ଏ ଓଷାର ମହିମା ଜାଣିବାକୁ ପାଇଲେ । ସେ ଏ ଓଷାକଲେ ଓ ଅବିଳମ୍ବେ ପୁତ୍ର ସନ୍ତାନଟିଏ ଲାଭ କଲେ । ରାଜ୍ୟ ଫେରିଲେ । ସୁଖରେ ରାଜୁତି କଲେ । ହେଲେ ରାଣୀ ପଣ୍ଡୁ ଓଷା କରିବା ଭୁଲିଗଲେ । ଏତେ ବେଳକୁ ପୁତ୍ରଟି ଯୁବକ ପାଲଟି ଗଲାଣି । ଭାରି ସୁନ୍ଦର ଦିଶୁଥାଏ । ହେଲେ ଯମକୁ ରାଜାରାଣୀ ଅବଜ୍ଞା କରିଥିବାରୁ ସେ ତାଙ୍କୁ ବାନ୍ଧିକି ଯମପୁର ନେଇଗଲେ । ଯମକ ମା’ ଯମକୁ ପ୍ରଶ୍ନ କଲେ ଯେ ସେ କାହିଁକି ତାଙ୍କୁ ବୃଦ୍ଧ ବୟସ ପାଏଁ ବଂଚିବାକୁ ନଦେଇ ଯୁବାରୁ ନେଇ ଆସିଲା । ସେ ତାକୁ ଛାଡ଼ି ଦେବାକୁ କହିଲେ ଏବଂ ଅମର ବର ଦେଇଦେଲେ । ଅସଲକଥା ହେଲା ନିଜ ପୁଅର ପିତା-ମାତା ଅବଜ୍ଞାକାରଣରୁ ବାନ୍ଧି ଆଣିଥିବା କଥାଟି କହିଲେ ନାହିଁ । କହିଥିଲେ ବା ମା’ କ’ଣ ଗୋଟେ ଭିନ୍ନ ଉପାୟ ଚିନ୍ତିଥାନ୍ତେ । ତେବେ ଯୁବକକୁ ମା’ ବରଦେଲା ପରେ ସେ ସୂଚାଇ ଦେଲେ ଯେ :
ମାନସିକ ପୂଜା ରାଜା ନ ଦେବାରୁ ମୋତେ
ପୁତ୍ର ତାହାର ଲୁଚାଇ ଆଣିଛି ଗୁପତେ ।
ଅମରବର ତାକୁ ଦେଇ ଦେଲୁ କେହ୍ନେ
ମୋର ପୂଜା ନକରିବେ ଆଉ କେହି ଜନେ
ଏକଥା ଶୁଣି ଯମଙ୍କ ମା’ ଯୁବକଟିକୁ କହିଲେ : ତୁ ଫେରି ମୋପୁତ୍ରର ପୂଜା ମହତ୍ୱ ସମସ୍ତଙ୍କୁ କହିବୁ ।
ଯମ ସେ ରାଜପୁତ୍ରକୁ ଆଣି ଯଥାସ୍ଥାନରେ ଛାଡ଼ିଲା । ପୁଣି ତା’ ପିତାମାତା ଯମ ପୂଜା ବା ପଣ୍ଡୁଓଷା ଆରମ୍ଭ କଲେ ଏବଂ ସେବେଠୁ ସର୍ବତ୍ର ଚାଲିଛି ପଣ୍ଡୁଓଷା ।
ଏହି ବ୍ରତ ପାଳନର ନିର୍ଦ୍ଦିଷ୍ଟ ବିଧିଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କ ଦ୍ୱାରା ଯମରାଜାଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ ।
ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡାପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢ଼ିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହା ସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁ ଓଷା ଏକ ନିଷ୍ଠାର ବ୍ରତ । ନାରୀଜାତି ବିଶେଷକରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ପ୍ରତିଟି ମା’ ସନ୍ତାନ ପ୍ରାପ୍ତି ହେଲେ, ସେ ମାତୃତ୍ୱର ଗୌରବ ପ୍ରାପ୍ତି ହୁଏ ଅଥଚ ପୁତ୍ର ସନ୍ତାନଟିଏ ନହେଲେ ସେ ନିଜକୁ ହତଭାଗିନୀ ମନେକରେ । କାରଣ ତାହାରି ବାହୁତଳେ ଜୀବନର ଶେଷ ଅସହାୟ ମୁହୂର୍ତ୍ତମାନ କଟେ । ପୁନଶ୍ଚ ଶ୍ରାଦ୍ଧତର୍ପଣ ଫଳରେ ସେ ତା’ର ମୋକ୍ଷମାର୍ଗ ପରିଷ୍କାର କରେ । ଏଣୁ ପୁତ୍ର ସନ୍ତାନଟିଏ ଲାଭ ପାଇଁ ସେ ଏତେ ବ୍ୟାକୁଳ ହେତୁ ପଣ୍ଡୁଓଷା କରେ ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮