ପତିଙ୍କ ପରିବାର ସହିତ ଖାପ ଖୁଆଇପାରୁନଥିଲେ…
ଜୀବନସାଥୀଙ୍କ ସହିତ ବାଲାନ୍ସ କରିବା ସହଜ ହୋଇଥାଏ, କିନ୍ତୁ ତାଙ୍କ ପରିବାର ଲୋକଙ୍କ ସହିତ ଆଡଜଷ୍ଟ କରିବାରେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବୋହୂମାନେ ସେମାନଙ୍କ ଶାଶୂଙ୍କ ସହ ରହନ୍ତି, ସେମାନଙ୍କ ଜୀବନ ଅଧିକ ଖୁସିରେ ବିତିଥାଏ। ଏଥିସହିତ ଏଭଳି ପରିବାରରେ ନବଜାତ ଶିଶୁ ମୃତ୍ୟୁହାର ମଧ୍ୟ କମ୍ ହୋଇଯାଏ। ଅର୍ଥାତ୍ ପରିବାର ସହିତ ରହିବା ଦ୍ବାରା ଅନେକ ଗୁଡ଼ିଏ ଫାଇଦା ମିଳିଥାଏ। କିନ୍ତୁ ଯଦି ଆପଣ ପତିଙ୍କ ପରିବାର ସହିତ ଆଡଜଷ୍ଟ କରିପାରୁ ନାହାନ୍ତି, ତେବେ ଏଠାରେ ଦିଆଯାଇଥିବା କେତେକ କଥା ପ୍ରତି ଧ୍ୟାନ ଦେଇପାରିବେ।
ବୁଝିବାକୁ ଚେଷ୍ଟା କରନ୍ତୁ : ବାହାଘର ପରେ ପତିଙ୍କ ପରିବାର ଲୋକଙ୍କୁ ବୁଝିବାକୁ ଚେଷ୍ଟା କରିବା ସବୁଠାରୁ ଅଧିକ ଜରୁରୀ। ସେମାନଙ୍କ ସହିତ ଯୋଡ଼ି ହେବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ସେମାନଙ୍କ ପସନ୍ଦ ନାପସନ୍ଦ ଜାଣିବା ଦରକାର। କିନ୍ତୁ କାହାରି ପସନ୍ଦ ନାପସନ୍ଦ ଆଧାରରେ ସେମାନଙ୍କୁ ନେଇ କୌଣସି ରାୟ ଦେବା ଉଚିତ ନୁହେଁ।
କୌଣସି ପ୍ରକାରର ଧାରଣା ସୃଷ୍ଟି କରିବାରୁ ଦୂରେଇ ରହନ୍ତୁ
ପରିବାର ଲୋକଙ୍କ କଥାକୁ ନେଇ କେବେ ବି କୌଣସି ଧାରଣା ସୃଷ୍ଟି କରନ୍ତୁନି। ଅନେକ ସମୟରେ ଦେଖାଯାଏ ଯେ କୌଣସି ଖରାପ ସ୍ଥିତିରେ ସାମ୍ନାରେ ଥିବା ଲୋକ ଆପଣଙ୍କୁ କିଛି ବି କହି ଦେଇ ପାରନ୍ତି। ପରେ ସେମାନଙ୍କ ମନ ଶାନ୍ତ ହୋଇଗଲେ, ସେ ଆପଣଙ୍କୁ ଆଉ କିଛି କହିଥାନ୍ତି। ତେଣୁ କୌଣସି ଗୋଟିଏ ଘଟଣାକୁ ନେଇ ଆମେ କାହାରି ପ୍ରତି ଭୁଲ୍ ଧାରଣା ସୃଷ୍ଟି କରିବା ଉଚିତ ନୁହେଁ।
ରୁଢ଼ିବାଦୀ ଚିନ୍ତାଧାରାକୁ ନେଇ କମେଣ୍ଟ କରନ୍ତୁନି
ସବୁବେଳେ ମନେରଖନ୍ତୁ ପତିଙ୍କ ପରିବାର, ଏବେ ଆପଣଙ୍କ ପରିବାର ପାଲଟିଯାଇଛି। ଏପରିସ୍ଥଳେ ସମସ୍ତଙ୍କ ଭାବନାର ଯତ୍ନ ନେବା ମଧ୍ୟ ଆପଣଙ୍କ ଦାୟିତ୍ବ। ଏହି ଭାବନା ସହିତ ଆପଣ ନିଜ ଶାଶୂଘର ଲୋକଙ୍କ ହୃଦୟ ମଧ୍ୟ ଜିତିପାରିବେ। ତେଣୁ ଯେତେବେଳେ କୌଣସି କଥାକୁ ନେଇ ଆପଣ ଓ ଆପଣଙ୍କ ଶାଶୂ ମା’ଙ୍କ ବିଚାରରେ ଅନ୍ତର ଦେଖାଯାଉଛି, ତାଙ୍କୁ ରୁଢ଼ିବାଦୀ ବା କଞ୍ଜର୍ଭେଟିଭ୍ ନ କହି ବୁଝାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ, ଆପଣ ଧିରେ ଧିରେ ସଭିଙ୍କ ପସନ୍ଦର ବୋହୂ ପାଲଟି ଯିବେ।