ପତିତପାବନ କ୍ଲବ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ପତିତପାବନ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ କେନ୍ଦ୍ରାପଡାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀଙ୍କ ପୂଜାଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ପବିତ୍ର ଉତ୍ସବରେ ମାଙ୍କ ମୃଣ୍ମୟ ମୂର୍ତ୍ଥିକୁ କୁମାରପୂର୍ଣ୍ଣିମା ଦିନ ମଣ୍ଡପରେ ପୂଜା କରାଯାଏ ଏବଂ ପୂଜାର ସମସ୍ତ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଦିନ ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହିତ ଏହା ସାତ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଗୁରୁବାର ଦିନ ମା’ଙ୍କ ନିକଟରେ ଗୁରୁବାର ଓଷା କରାଯାଏ ଏବଂ ଶହ ଶହ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ଓ ଦହି ପଖାଳ ବଣ୍ଟନ କରାଯାଏ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଣ୍ଡପ ନିକଟରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଜିଲ୍ଲା ବାହାରର ପ୍ରସିଦ୍ଧ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଉଅଛି । ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ବିଶ୍ୱଜିତ ରାୟ ଓ ସମ୍ପାଦକ ଅଶିଷରଞ୍ଜନ ଜଗତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲୁଛି ଏବଂ ମା’ଙ୍କ ମେଲାଣୀ ଓ ଭଷାଣୀ ଉତ୍ସବ ଖୁବ ଜାକଜମକରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ସମ୍ବଲପୁରର ପ୍ରସିଦ୍ଧ ଦୁଲଦୁଲି ବାଜା ଓ ବରହମପୁରର କୁମକୁମ୍ ବ୍ରାସବ୍ୟାଣ୍ଡ ଏବଂ ଝଙ୍କଡର ପ୍ରସିଦ୍ଧ ଘଣ୍ଟ ଓ ଘୋଡାନାଚ ପ୍ରଭୃତି ଦର୍ଶକମାନଙ୍କ ମନ ମୋହିବ ବୋଲି କ୍ଲବ ପକ୍ଷରୁ ପ୍ରକାଶ କରିଛନ୍ତି ।