ପତ୍ନୀଙ୍କ ଏତଲାର ଅନୁସନ୍ଧାନ ବେଳେ ପିସ୍ତଲ ଜବତ, ସ୍ୱାମୀ ଗିରଫ
ବୁଗୁଡା, (ଅନିଲ ମହାରଣା):ସ୍ୱାମୀ ମଦପିଇ ମାଡ଼ ଦେଉଥିବା ନେଇ ପତ୍ନୀ ବୁଗୁଡା ଥାନାରେ ଏତଲା ଦେବାପରେ ପୋଲିସ ଅନୁସନ୍ଧାନ ବେଳେ ସ୍ୱାମୀ ଏକ ଚୋରା ଦେଶୀ ପିସ୍ତଲ ରଖିବା ଅଭିଯୋଗରେ ଦୁଇଟି ମାମଲା ରୁଜୁ ହେବା ସହ ସ୍ୱାମୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।କରସିଙ୍ଗି ବଡ଼ସାହିର ବନିତା ଜେନା(୪୫) ନିଜର ସ୍ୱାମୀ କିଶୋର ଜେନା(୫୦) ମଦ୍ୟପାନ କରି ମାଡ଼ମାରିବା ନେଇ ଅକ୍ଟୋବର ୧୭ ତାରିଖ ଦିନ ବୁଗୁଡା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୫୩୫/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ବୁଗୁଡା ଥାନାର ସବ ଇନ୍ସପେକ୍ଟର ତନୁଶ୍ରୀ ସାହୁ ଅନୁସନ୍ଧାନ ଦାୟିତ୍ୱ ଗ୍ରହଣ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ କିଶୋର ଜେନାଙ୍କୁ ଧରିବା ପାଇଁ ଅକ୍ଟୋବର ୧୮ ତାରିଖ ଭୋର ସାଢ଼େ ଚାରିଟା ସମୟରେ ଉପ ଆରକ୍ଷୀ ନିରୀକ୍ଷିକା ଶ୍ରୀମତୀ ସାହୁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଏମ.ସନ୍ତୋଷ, ରାଜେଶ୍ୱରୀ ଶବର, ଓ ଓଏପିଏଫ ର ସୁନୀଲ ମଲ୍ଲିକ ବାହାରି କରସିଙ୍ଗି ଅଭିମୁଖେ ଯାଇ କରସିଙ୍ଗିରେ କିଶୋର ଜେନାକୁ ଘରେ ପାଇ ପଚରାଉଚରା କରିଥିଲେ। ଅନୁସନ୍ଧାନ ସମୟରେ କିଶୋର ଜେନା ଲୁଚାଇ ରଖିଥିବା ଏକ ଦେଶୀ ପିସ୍ତଲ ଉଦ୍ଧାର କରି କିଶୋର ଜେନାଙ୍କୁ ଧରି ବୁଗୁଡା ଥାନାକୁ ଆଣିଥିଲେ। ବୁଗୁଡା ପୋଲିସ ଥାନା ଆରକ୍ଷୀ ନିରୀକ୍ଷିକ ଶ୍ରୀ ବେହେରାଙ୍କୁ ଏସଆଇ ଶ୍ରୀମତୀ ସାହୁ ଜଣାଇବା ପରେ କିଶୋରଙ୍କୁ ଜେରା ବେଳେ ଗ୍ରାମର କେତେକ ଲୋକଙ୍କ ଭୟରେ ନିଜର ସୁରକ୍ଷା ପାଇଁ ଚୋର ଦେଶୀ ପିସ୍ତଲ ରଖିଥିବା ସ୍ୱୀକାର କରିଥିଲେ। ଏନେଇ ବୁଗୁଡା ପୋଲିସ ଥାନା କେସ ନଂ ୫୪୦ ତାରିଖ ୧୮/୧୦/୨୧ ଆର୍ମ ଆକ୍ଟ ପ୍ରକାରେ ଏକ ମାମାଲ ରୁଜୁ କରାଯାଇ କିଶୋର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।