ପଥରରେ ଛେଚି ପୁତ୍ରକୁ ହତ୍ୟା, ଅଭିଯୁକ୍ତ ବାପା ଗିରଫ
ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ରେ ଆଜି ଏକ ଘରୋଇ କଳିରୁ ବର୍ବରଚିତ ହତ୍ୟାକାଣ୍ଡ ଘଟି ଯାଇଛି । ହିଂସ୍ର ସାଜି ବାପା ନିଜର ଜନ୍ମକଲା ପୁତ୍ରକୁ ପଥରରେ ଛେଚି ହତ୍ୟା କରିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ପୁତ୍ର ପିତାମ୍ବର ମହାନ୍ତ(୧୮)ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ବାପା ନାରାୟଣ ମହାନ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଏ ନେଇ ପୋଲିସ ସୂତ୍ରରୁ ମିିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ବାପା ନାରାୟଣ ଓ ମୃତ ପିତାମ୍ବରଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଥିଲା । ଏପରିକି ଏହି ଘରୋଇ କଳି କିଛିଦିନ ପୂର୍ବରୁ ବାମେବାରୀ ଥାନାରେ ପୋଲିସର ଉପସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା । ଏହାର କିଛି ଦିନ ପରେ ପୁଣି ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହ ଘଟି ଆଜି ଅପରାହ୍ନ ପ୍ରାୟ ୩:୩୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିଲା । ଅଭିଯୁକ୍ତ ବାପା ନାରାୟଣ ବାପ ପୁଅଙ୍କ ସବୁ ସଂପର୍କ ଭୁଲି ଯାଇ ପଥରରେ ଛେଚି ପୁତ୍ର ପିତାମ୍ବରକୁ ହତ୍ୟା କରିଥିଲା । ପିତାମ୍ବର ହେଉଛନ୍ତି ନାରାୟଣଙ୍କ ତୃତୀୟ ପତ୍ନୀଙ୍କ କନିଷ୍ଠ ପୁତ୍ର ଥିଲେ । ପୋଲିସ ଘଟଣା ସ୍ଥଳକୁ ପହଂଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ବଡ଼ବିଲ ଏସ୍ଡିପିଓ ଦିଲିପ କୁମାର ବାଗ ପ୍ରକାଶ କରିଛନ୍ତି ।