ପଥର ଖସିଲା ବଡ଼ ଦେଉଳୁ….
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ତଥା ବହୁ ପୁରାତନ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତି ବିପଦ ଘନେଇଲା ।ପ୍ରାୟ ୩ ଶହ ବର୍ଷ ର ଏହି ପୁରାତନ ଜଗନ୍ନାଥ ମନ୍ଦିର ଅନନ୍ୟ କାରୁକାର୍ଯ୍ୟ ବିମଣ୍ଡିତ ଓ ଏହା ସମ୍ପୂର୍ଣ୍ଣ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଥିବା ରୁ ଏହାକୁ ଦିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହନ୍ତି ।ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଏବେ ଭୁଶୁଡିବା ଅବସ୍ଥା କୁ ଚାଲି ଆସିଲାଣି ।ମନ୍ଦିର ଉପରେ ବଡ଼ ବଡ଼ ଗଛ ଉଠିବା ସହ ସାମାନ୍ୟ ବର୍ଷା ହେଲେ ଗର୍ଭଗୃହ, ସିଂହାସନ, ସିଂହଦ୍ଵାର, ଚନ୍ଦନ ଅର୍ଗଳି ପ୍ରଭୃତିରେ ପାଣି ଗଲୁଛି ।ସମ୍ପୂର୍ଣ୍ଣ ପଥର ରେ ନିର୍ମିତ ଏହି ମନ୍ଦିର ରେ ପାଣି ଗଳି ସପୋର୍ଟିଂ ଲୁହା ଖାଇଯିବା ଦ୍ବାରା ଦୁର୍ବଳ ହୋଇ ପଡ଼ିଲାଣି ।ଯାହାଦ୍ୱାରା ବର୍ତ୍ତମାନ ପଥର ଖସିବା ଆରମ୍ଭ ହୋଇ ଗଲାଣି ।ଯାହାକି ମନ୍ଦିର ପ୍ରତି ଘୋର ବିପଦ ସୃଷ୍ଟି ହେଲାଣି ।ଆଜି ଭୋର ସମୟରେ ଜଗନ୍ନାଥ ମନ୍ଦିର ର ସିଂହଦ୍ଵାର ଗୁମୁଟ ରୁ ଦୁଇଟି ସ୍ଥାନ ରୁ ପଥର ଖସି ତଳେ ପଡିଥିଲା ।ତେବେ ଭୋର ସମୟ ହୋଇ ଥିବାରୁ କୌଣସି ଅଘଟଣ ଘଟି ନାହିଁ ।ସବୁ ଦିନ ରାତିରେ ସେହି ସ୍ଥାନରେ ମନ୍ଦିର ପାଇକ କୁଞ୍ଜ ବାରିକ ଶୋଉ ଥିବା ବେଳେ ସୌଭାଗ୍ୟ ବଶତଃ ଗତ ରାତିରେ ସେଠାରେ ଶୋଇ ନ ଥିଲେ ।ତେବେ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ପଥର କୁ ପଥର ଯୋଡ଼େଇ ହୋଇ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଗୋଟିଏ ପଥର ଖସିଲେ ଅନ୍ୟ ପଥର ଗୁଡିକ ପ୍ରତି ବିପଦ ସୃଷ୍ଟି ହେବା ସହ ଯେ କୌଣସି ସମୟରେ ମନ୍ଦିର ଭୁଶୁଡି ଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହେବା ସହ ଭୁଶୁଡି ଯିବା ଆଶଙ୍କା ସମ୍ପର୍କିତ ଖବର ଆମେ ପୂର୍ବରୁ ପ୍ରକାଶ କରିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ । ସରକାର ରାଜ୍ୟ ରେ ଥିବା ଅନ୍ୟାନ୍ୟ ମନ୍ଦିର ର ରୂପାନ୍ତରିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି କାହିଁକି ଏ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେ ନେଇ ଜଗନ୍ନାଥ ପ୍ରେମୀ ଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।ମନ୍ଦିର ପ୍ରଶାସନ ର ଉଦାସୀନତା ମନୋଭାବ ଯୋଗୁଁ ମନ୍ଦିର ର ବାହାର କାନ୍ଥରେ ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲା ରଙ୍ଗ ଟିକେ ମଧ୍ୟ ଦିଆଯାଇ ପାରୁନାହିଁ ।ଯାହା ଫଳରେ ଶିଉଳି ଲାଗି ଅତି ଅସୁନ୍ଦର ଦେଖା ଯାଉଛି ।ଖଲ୍ଲିକୋଟ ଶ୍ରୀ ଜଗନ୍ନାଥଙ୍କ ପ୍ରଚୁର୍ଯ୍ୟ ରେ ଦାରିଦ୍ର୍ୟତା ଜଳ ଜଳ ହୋଇ ଦେଖାଯାଉଛି ।ମନ୍ଦିର ର ଦୈନନ୍ଦିନ ସେବା ପାଇଁ ତତ୍କାଳୀନ ରାଜାବାହାଦୁର ମାନେ ପ୍ରାୟ ୧୨ ଶହ ଭରଣ ଜମି ଠାକୁରଙ୍କ ଅମୃତ ମଣୋହି ପାଇଁ ପ୍ରଦାନ କରିଥିଲେ ।କାଳକ୍ରମେ ଏହି ସବୁ ଜମି ରୟତ ମାନଙ୍କ ଦ୍ଵାରା ହଡପ ହୋଇ ଯାଇ ଆଉ ମାତ୍ର ୨୦୦ ଭରଣ ଜମି ଥିଲେ ମଧ୍ୟ ଏହିସବୁ ଜମିରୁ ଠିକ ଭାବେ ରାଜସ୍ବ ଆଦାୟ ହୋଇ ପାରୁନି ।ଖଲ୍ଲିକୋଟ ସହରରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମି ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଭଡା ଆକାରରେ ଆଦାୟ ହେଉଥିବା ବେଳେ ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଉଛି ତାହା ଜନସାଧାରଣ ଜାଣି ପାରୁ ନାହାଁନ୍ତି ।ତେବେ ରାଜ୍ୟ ସରକାର ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି ଦୃଷ୍ଟି ଦେଇ ଏହାକୁ ୫ଟି ରେ ସାମିଲ କରି ଏହାର ରୂପାନ୍ତରିକରଣ କରିବା ପାଇଁ ଜଗନ୍ନାଥ ପ୍ରେମୀ ଙ୍କ ତରଫରୁ ଦାବୀ ହେଉଛି ।ଅନ୍ୟଥା ତତ୍କାଳୀନ ରାଜାବାହାଦୁର ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଖଲ୍ଲିକୋଟ ର ଏହି ପ୍ରାଚୀନ କୀର୍ତ୍ତିରାଜି ନିକଟ ଭବିଷ୍ୟତରେ ଧ୍ୱଂସ ପାଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।


