ପଥ ବିକ୍ରେତା ସଂଘର ପୌରପାଳିକା ଘେରାଓ ୧୨ରେ
ବାଲେଶ୍ୱର, (ସରୋଜ ପଣ୍ଡା):ଲକ୍ଷଲକ୍ଷ ଲୋକଙ୍କୁ ଶସ୍ତା ଦାମରେ ଆବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିବା ପଥପାଶ୍ୱର୍ ଉଠା ଦୋକାନଙ୍କୁ ପୌର କର୍ତ୍ତୃପକ୍ଷ ତଥା ଜିଲା ପ୍ରଶାସନ କରୁଥିବା ଉଚ୍ଛେଦକୁ କଡ଼ା ସମାଲୋଚନା କରିଛି ଓଡ଼ିଶା ପଥ ବିକ୍ରେତା ସଂଘ । ଉଚ୍ଛେଦ ଦୋକାନୀଙ୍କ ଥଇଥାନ ସାଙ୍ଗକୁ ବାଲେଶ୍ୱରରେ ପଥ ବିକ୍ରେତା ଜୀବିକା ସୁରକ୍ଷା ତଥା ପଥ ବିକ୍ରୟ ବିନିୟମ ଆଇନ-୨୦୧୪’କାର୍ଯ୍ୟକାରୀର କରାନଗଲେ ସଂଘ ଆସନ୍ତା ୧୨ ତାରିଖରେ ପୌରପାଳିକା ଘେରାଓ କରିବ ବୋଲି କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଜିଲା ସ୍କୁଲ ରୋଡ଼ ପାଶ୍ୱର୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଟାଉନଶାଖା ଉପ-ସଭାପତି ଆବିଦ୍ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡ଼ା ପ୍ରମୁଖ ଯୋଗଦେଇ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ଉଚ୍ଛେଦ ସମ୍ପର୍କରେ ସୂଚନା ଦେଇଥିଲେ । ଗତ ଡିସେମ୍ବର ମାସରେ ଓ.ଟି. ରୋଡ଼ ପାଶ୍ୱର୍, ନୂଆବର୍ଷ ପୂର୍ବରୁ ବିବେକାନନ୍ଦ ମାର୍ଗ ଏବେ କଲେଜ୍ ରୋଡ଼୍ରୁ ପୌର କର୍ତ୍ତୃପକ୍ଷ ଶହଶହ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ସହରର ହଜାର ହଜାର ଆତ୍ମନିର୍ଭରଶୀଳ ପରିବାରଙ୍କ ଜୀବିକା ବିପନ୍ନ କଲେଣି ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଉଠା ଦୋକାନୀ ସହରର କେଉଁ ଅଞ୍ଚଳରେ ଦୋକାନ କରିବେ ବା କେଉଁଠି ସ୍ଥାନ ଖାଲି ରହିବ, ତା’ର ଚୁଡ଼ାନ୍ତ ନିଷ୍ପତ୍ତି ଦାୟିତ୍ୱ ଟାଉନ୍ ଭେଣ୍ଡିଙ୍ଗ୍ କମିଟି ଉପରେ ନ୍ୟସ୍ତ ଅଛି । ମାତ୍ର ଏନେଇ ବୈଠକ ଆୟୋଜନ ପରିବର୍ତ୍ତେ ଟାଉନ ଭେଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଧ୍ୱଂସଲୀଳା ଚଳାଇ ଚାଲିଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଅବିଳମ୍ବେ ଟାଉନ୍ ଭେଣ୍ଡିଙ୍ଗ୍ କମିଟି ବୈଠକ ଡକାଇ ଭେଣ୍ଡିଙ୍ଗ୍ ଜୋନ୍, ରେଷ୍ଟ୍ରିକ୍ଟେଡ୍ ଭେଣ୍ଡିଙ୍ଗ୍ ଜୋନ୍ ଓ ନୋ ଭେଣ୍ଡିଙ୍ଗ୍ ଜୋନ୍ ସମ୍ପର୍କରେ ଆଲୋଚନା କରାଯାଉ । ବୈଠକ ପୂର୍ବରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ପାଇଁ ସଂଘର କର୍ମକର୍ତ୍ତା ଦାବି କରିଛନ୍ତି । ନତୁବା ଆସନ୍ତା ୧୨ରେ ସହରର ସମସ୍ତ ପଥବିକ୍ରେତା ପୌର କାର୍ଯ୍ୟାଳୟ ଘେରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।