ପଦାରେ ପଡ଼ିଲା ଯନ୍ତ୍ରୀ – ଠିକାଦାର ମଧୁଚନ୍ଦ୍ରିକା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନିର୍ମାଣ କାର୍ଯ୍ୟର ୨ ମାସ ନୁପୁରୁଣୁ ନିର୍ମିତ ଗାର୍ଡ଼ ୱାଲ ଭୁଷୁଡ଼ିପଡ଼ିଛି । ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଉଛି । ରାଜ୍ୟ ମୁଖିଆଙ୍କ ଗଡ଼ରେ ପ୍ରଶାସନର ଏକତରଫା କାର୍ଯ୍ୟ କରାଯାଉଥିବା ଯୋଗୁଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ବହୁ ସମୟରେ ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଖାତା ନଂ- ୭୬୨ଓ ପ୍ଳଟ ନଂ -୧୦୯୭ ସରକାରୀ ଜମିରେ ଜନସାଧାରଣଙ୍କ ଜବରଦଖଲମୁକ୍ତ କରିବା ପାଇଁ ହୋଇଥିବା କାମ ନିମ୍ନ ମାନର ଅଭିଯୋଗ ହୋଇଛି । ଉକ୍ତ ଜମିକୁ ସୁରକ୍ଷିତ ରଖିବା ପାଇଁ ଗତ ୨ ମାସ ପୂର୍ବେ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟୟରେ କରାଯାଉଥିବା ଘେରୀ ପାଚେରି ନିର୍ମାଣ କାର୍ଯ୍ୟ ଶେଷ ହେବାର ପାତ୍ର ୨ ମାସ ପରେ ଭୁଷୁଡ଼ି ପଡ଼ିଛି । ସଂପୃକ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ ପାଇଁ ପଂଚାୟତ ପକ୍ଷରୁ ଅନୁରୋଧ ପରେ ସେଠାରେ ଜବରଧଖଲକାରୀଙ୍କୁ ହଟାଯାଇ ତୁରନ୍ତ କାମ ଆରମ୍ଭ ହୋଇଥିଲା । ବ୍ଳକ ପ୍ରଶାସନ ପକ୍ଷରୁ ଏହି କାମ କରାଯାଇଥିଲା । ତେବେ ନିର୍ମାଣରେ ଦୁର୍ନୀତି ଓ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଏହାର ଭିଡ଼ିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଖଳା ସାହି ରେ ରାଜସ୍ୱ ବିଭାଗ ସରକାରୀ ପ୍ଲଟ ନଂ ୧୦୯୭ ରେ ପ୍ରାୟ ଦୁଇମାସ ତଳେ ୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଚେରୀ ଚାରିପାଶ୍ୱର୍ରୁୂ ଗୋଟିଏ ପାର୍ଶ୍ୟ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ତିନିପାଖ ଫାଟିଯାଇଥିବା ଭିଡ଼ିଓ ଭାଇରଲ ମଧ୍ୟ ହୋଇଛି । ସରକାରୀ ଜମିରେ ଅନାଧିକାର ପ୍ରବେଶକୁ ରୋକିବା ନିମନ୍ତେ ସରକାରୀ ତହବିଲରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି କାମରେ କଂକ୍ରିଟ ଲେଏର ନ ଦେଇ ଇଟା ଯୋଡାଇ ଯାଇଥିବା ଏବଂ ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବାରୁ ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବିନା ଟେଣ୍ଡରରେ ବ୍ଲକରେ ଲକ୍ଷାଧିକ ଟଙ୍କାର କାମ ଯନ୍ତ୍ରୀ ଠିକାଦାର ପ୍ରିୟାପ୍ରୀତିରେ ଚାଲିଥିବା ଅଭିଯୋଗ ହୋଇଛି । ଉକ୍ତ ଜମିକୁ କିଛି ଗ୍ରାମବାସୀ ନିଜ ଅକ୍ତିଆର କରି ଗାଇ ଗୁହାଳ କରିଥିଲେ । ରାଜନୈତିକ ଅକ୍ରୋଶ କାରଣରୁ ଆମ୍ବଗ୍ରାମର ପଚାଂୟତର ଅଭିଯୋଗ ପରେ ରାଜସ୍ୱ ବିଭାଗ ଉକ୍ତ ସ୍ଥାନରୁ ଜବରଦଖଲକାରୀ ଙ୍କୁ ହଟାଇ ବ୍ଳକ ଦ୍ୱାରା ଉକ୍ତ ପ୍ରାଚେରୀ ଜବରଦଖଲଙ୍କ ଠାରୁ ସୁରକ୍ଷା ପାଇଁ ହୋଇଥିଲା । ତେବେ ଉକ୍ତ ଗାର୍ଡ଼ୱାଲ ଗୁରୁବାର ଭୁଷୁଡ଼ିପଡ଼ିଥିଲା । ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ସ୍ଥାନ ନିକଟରେ ରହିଥିବା କିଛି ଘର ମାଲିକ ଗୁହାଳ କାର୍ଯ୍ୟରେ ଅସୁବିଧା ଯୋଗୁଁ ଗାର୍ଡ଼ୱାଲକୁ ଜାଣିଶୁଣି ଭାଙ୍ଗି ଦେଇଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ଗାର୍ଡ଼ୱାଲଟି ପ୍ରକୃତରେ ଭୁଷୁଡ଼ି ପଡ଼ିଛି ନା କେହି ଜାଣିଶୁଣି ଭାଙ୍ଗିଦେଇଛି ତାହାର ତଦନ୍ତ କରାଯିବ । ସଂପୃକ୍ତ କାର୍ଯ୍ୟରେ ବିଲ୍ କରାଯାଇନାହିଁ, ଠିକାଦାରଙ୍କୁ କହି ପୁର୍ନବାର ନିର୍ମାଣ କାର୍ଯ୍ୟ କରାଯିବ । ଏ ନେଇ ଠିକାଦାର ମନୋଜ କୁମାର ପୋଲାଇଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଗାର୍ଡ଼ୱାଲ ନିକଟଦେଇ ସଦାସର୍ବଦା ଜଳ ନିଷ୍କାସନ ହେଉଥିବାରୁ ଗାର୍ଡ଼ୱାଲଟି ଦୁର୍ବଳ ହୋଇପଡ଼ିବା ସହ ଭୁଷୁଡ଼ି ପଡ଼ିଛି । ତେବେ ନିର୍ମାଣ କାର୍ଯ୍ୟର ମାତ୍ର ୨ମାସ ମଧ୍ୟରେ ଗାର୍ଡ଼ୱାଲ ନିକଟ ଦେଇ ଜଳ ନିଷ୍କାସିତ ହେଉଥିବାରୁ ଭୁଷୁଡ଼ି ପଡ଼ିବା ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଉଛି କାର୍ଯ୍ୟର ସ୍ଥାୟିତ୍ୱ । ସ୍ଥାନୀୟ ବ୍ଳକର ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରିୟାପ୍ରୀତି ପୋଷଣ କରାଯିବା ସହ ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକା ଚାଲିଥିବା ଜଣାପଡ଼ୁଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ