ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପୁଣି ଶ୍ରୀମନ୍ଦିର ପରିସରରୁ ଚୋରି

ପୁରୀ (ଯୁଗାଦ୍ଧ ନ୍ୟୁଜ): ଗତ ଏକ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ଏକ ମନ୍ଦିରରୁ ଚୋରି ହେବା ଘଟଣାକୁ ଆଜି ପର୍ଯ୍ୟନ୍ତ ପୁଲିସ ଫର୍ଦ୍ଦାଫାଶ କରିନଥିଲା ବେଳେ ପୁଣି ଥରେ ଶ୍ରମନ୍ଦିର ପରିସରରୁ ଚୋରି ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ପକ୍ଷରୁ ଶ୍ରୀମନ୍ଦିରକୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇ ଦିଆଯାଉଥିଲେ ବି ଦୁଇ ଦୁଇଥର ଚୋରି ହେବା ଘଟଣାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ସେବାୟତମାନେ ପୁରୀ ପୁଲିସ ଅପାରଗ ବୋଲି ଅଭିଯୋଗ କରିଛନ୍ତି । ଖବରରୁ ଜଣାଯାଇଛି ଯେ, ଗତକାଲି ରାତିରେ ଶ୍ରୀମନ୍ଦିର ଉତ୍ତରଦ୍ୱାରସ୍ଥ କୋଇଲି ବୈକୁଣ୍ଠ ପରିସରରେ ଥିବା ସୁଆରମହାସୁଆର ନିଯୋଗ କାର୍ଯ୍ୟାଳୟରେ କେହି ଦୁର୍ବୃତ୍ତ ପ୍ରବେଶ କରି ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ଫେରାର ହୋଇଯାଇଛି । ଏନେଇ ସୁଆରମହାସୁଆର ସେବାୟତଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେଲାପରେ ଘଟଣାସ୍ଥଳକୁ ଏସ୍ପି ଉମାଶଙ୍କର ଦାସ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଏସମ୍ପର୍କରେ ଏସ୍ପି ଶ୍ରୀ ଦାସ ସୂଚନା ଦେଇଛନ୍ତି ଯେ, ଟଙ୍କା ଚୋରି ହେବା ସତ୍ୟ । ହେଲେ କେତେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସିସିଟିଭି ଯାଞ୍ଚ ପରେ ଜଣାପଡିଛି ଜଣେ ନାବାଳକ ଶିଶୁ ଲଙ୍ଗଳା ହୋଇ ଉକ୍ତ କାର୍ଯ୍ୟାଳୟରେ ପଶି ଚୋରି କରିଥିବା ଜଣାପଡିଛି । ସେହି ନାବାଳକ ଶିଶୁକୁ ଠାବ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଖୁବ୍ଶିଘ୍ର ଘଟଣାର ଫର୍ଦ୍ଦାଫାଶ ହେବ ବୋଲି ସୂଚନା ଦେଇଛନ୍ତି । ଏନେଇ ସୁଆରମହାସୁଆର ସେବାୟତ ନିଯୋଗ ସଭାପତି ଦାମୋଦର ମହାସୁଆର ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ଭଳି ଏକ ସୁରକ୍ଷିତ ସ୍ଥାନରୁ ୧୧ ଦିନ ଭିତରେ ଲଗାତର ଦୁଇଥର ଚୋରି ହେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ବଳୟରେ ଖିବା ପାଇଁ କେନ୍ଦ୍ର ଗୁଇନ୍ଦା ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ ପୁରୀ ପୁଲିସକୁ ତାଗିଦ୍ କରିଥିଲେ ବି ସେମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ସାମାନ୍ୟ ଚୋରିକୁ ରୋକିବାରେ ସଫଳ ହେଉନାହିଁ କି ଚୋରକୁ ଧରିବାରେ ମଧ୍ୟ ସକ୍ଷମ ହେଉ ନଥିବାବେଳେ ପୁଲିସ କିପରି ଆତଙ୍କବାଦୀଙ୍କ କବଳରୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟପଟରେ ଉକ୍ତ ଚୋରି ଘଟଣାକୁ ନେଇ ସାଧାରଣରେ ପୁଲିସର କାର୍ଯ୍ୟକୁ ନେଇ ତୀବ୍ର ପ୍ରତିକିୟା ପ୍ରକାଶ ପାଇବାସହ ପୁଲିସ କେବେ ଉକ୍ତ ଦୁଇ ଚୋରି ଘଟଣାର ଫର୍ଦ୍ଦଫାଶ କରୁଛି ତାହା ଉପରେ ସମସ୍ତଙ୍କ ନଜର । ସୂଚନାଥାଉକି, ଗତ ୧ ତାରିଖରେ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ନିକଟରେ ଥିବା ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିଲା । ପୁଣି ଗତକାଲି ରାତିରେ ଚୋରି ଘଟଣାକୁ ନେଇ ସମସ୍ତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଘୋର ଅସନ୍ତାଷ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ