ପଦ୍ମନାଭପୁରରେ ନାବାର୍ଡ ପକ୍ଷରୁ ପ୍ରଶିକ୍ଷଣ ଶିବିର
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁୁର ଗ୍ରାମ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଗୁରୁବାର ନାବାର୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ନିମନ୍ତେ ତୃଣମୂଳ ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିସ୍ମୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ବିମଳ କୁମାର ପଟ୍ଟନାୟକ ଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ନାବାର୍ଡ ର ଗଞ୍ଜାମ ଜିଲା ଅଧିକାରୀ ସୁମନ ସୈାରଭ ସାହୁ , ଦିଗପହଣ୍ଡି ବି .ସି.ସି ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ସାହୁ , ଦିଗପହଣ୍ଡି ବ୍ଳକ ଜୀବିକା ମିଶନ ଅଧିକାରୀ ଆଲୋକ ସାହୁ , ପ୍ରାଣୀ ଚିକିତ୍ସାଧିକାରୀ ଡା. ସନ୍ଧ୍ୟାରାଣୀ ସେଠୀ , ଦିଗପହଣ୍ଡି କୃଷି କାର୍ଯ୍ୟାଳୟ କର୍ମଚାରୀ ମନୋଜ ପାଢ଼ୀ ଓ ଦୀପ୍ତି ରେଖା ବେହେରା , ବ୍ଳକ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ନିଖିଳ ମହାରଣା ଶିବିର ରେ ଉପସ୍ଥିତ ରହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ କୁକୁଡ଼ା ,ଗାଈ , ଛେଳି ଓ ମେଣ୍ଢା ପାଳନ ସମ୍ପର୍କରେ ପରାମର୍ଶ ଦିଆଯିବା ସହ ଏଥିରୁ ସେମାନେ କିପରି ଲାଭବାନ ହୋଇପାରିବେ ସେ ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ପ୍ରଚଳିତ ବଳରାମ ଯୋଜନା ମାଧ୍ୟମରେ କିପରି ଋଣ ପାଇପାରିବେ ସେ ସମ୍ପର୍କରେ କୃଷି କର୍ମଚାରୀ ମାନେ ସବିଶେଷ ଆଲୋଚନା କରିବା ସହ ଉପସ୍ଥିତ ଶିବିରାର୍ଥି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବ୍ଳକ ଅଧିନ ବିଭିନ୍ନ ଗ୍ରାମର ୫୦ ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ,ସଦସ୍ୟା ବୃନ୍ଦ ଓ ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ।