ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ୧୨୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ବାଣୀକଣ୍ଠ ନିମାଇଁ ହରିଚନ୍ଦନ ଓଡିଶା ବାହାରେ ଆମ ଓଡ଼ିଆଙ୍କ ପରିଚୟ ,ଆମ ଜଗନ୍ନାଥ ସଂସ୍କୃତି, ପରମ୍ପରା ବାଣୀକଣ୍ଠଙ୍କ ସହିତ ଯୋଡି ହୋଇରହିଛି ବୋଲି ବାଣୀକଣ୍ଠଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ଶିକ୍ଷାବିତ ନୀଳମାଧବ ପତିଙ୍କ ପୌରହିତରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟନିର୍ବାହୀ ସଭ୍ୟ ପବିତ୍ର ପଟ୍ଟନାୟକ ,ଓଡ଼ିଆ ଭାଷା ଗବେଷକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଅଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଣୀକଣ୍ଠଙ୍କ କର୍ମମୟ ଜୀବନ ଓ ସଙ୍ଗୀତ ସାଧନା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ିଶାର ଦ୍ୱିତୀୟ ବାଣୀକଣ୍ଠ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ସଙ୍ଗୀତ ପରିବେଷଣ ମାଧ୍ୟମରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ସଙ୍ଗୀତକୁ ବିଶ୍ୱଦରବାରରେ ପହଞ୍ଚାଇବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ନାତି ତଥା ବିଶିଷ୍ଟ ଆଇନଜ୍ଞ ପ୍ରଣୟ କିଶୋର ହରିଚନ୍ଦନ ଓ ବିଶିଷ୍ଟ ସୁନାମଧନ୍ୟ କବି,ଗୀତିକାର ମୋହିତ ଚକ୍ରବର୍ତ୍ତୀ ବାଣୀକଣ୍ଠଙ୍କ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ପାୟଲ ମ୍ୟୁଜିକ୍ ସ୍କୁଲର ପ୍ରତିଷ୍ଠାତା,ସମ୍ପାଦକ ଦେବାଶିଷ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଓ ଯୁବ କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ, ଓଡିଶୀ ସଙ୍ଗୀତଗୁରୁ ରବୀନ୍ଦ୍ରନାଥ ମିଶ୍ର,ପାୟଲ ମ୍ୟୁଜିକ୍ ସ୍କୁଲର ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା,ତବଲାଗୁରୁ ସୁଶୀଲ କୁମାର ସେନ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ