ପଦ୍ମିନୀ ମୃତ୍ୟୁ ଘଟଣା ଯୌତୁକ ସାମଗ୍ରୀ ଜବତ କଲା ପୋଲିସ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମର ନବବିିବାହିତ ବଧୁ ତଥା ଗଣିଜାଙ୍ଗ ଗ୍ରାମର ରବିନ୍ଦ୍ର ପରିଡାଙ୍କ ଝିଅ ପଦ୍ମିନୀ(୨୫) ମୃତ୍ୟୁ ଘଟଣାରେ ରବିବାର ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିବା ବେଳେ ଯୌତୁକ ବାବଦ ଟଙ୍କା ଓ ସୁନା ଗହଣା ଫେରସ୍ତ ହୋଇନଥିବା ଜଣାଯାଇଛି । ପ୍ରକାଶ ଯେ, ଆଜକୁ ୨୦ ଦିନ ତଳେ ପଦ୍ମିନୀର ମୃତ୍ୟୁ ହୋଇଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ପ୍ରଦାନ କରାନଯିବା ଏବଂ ଯୌତୁକ ସାମଗ୍ରୀ ଜବତ କରାନଯିବା ସଂପର୍କରେ ପଦ୍ମିନୀର ବାପ ଘରଲୋକେ ଶନିବାର ପୋଲିସ ଠାରେ ଅଭିଯୋଗ କରିଥିଲେ । ଫଳସ୍ୱରୂପ ରବିବାର ପୋଲିସ ପଦ୍ମିନୀର ଶଶୁର ଘରେ ପହଂଚି ଯୌତୁକ ସାମଗ୍ରୀ ଜବତ କରିଥିଲେ । ମାତ୍ର ଯୌତୁକ ବାବଦ ନେଇଥିବା ୫୦ ହଜାର ଟଙ୍କା ଓ ସୁନାଗହଣାକୁ ଫେରସ୍ତ କରାଯାଇନଥିଲା । ଉକ୍ତ ଟଙ୍କା ଓ ସୁନା ଗହଣାକୁ ଫେରସ୍ତ କରିବା ସହ ଘଟଣାରେ ସଂପୃକ୍ତ ଦେଢଶୁର ଓ ଯାଆକୁ ଗିରଫ କରିବା ପାଇଁ ପଦ୍ମିନୀର ବାପଘର ଲୋକେ ଦାବୀ କରିଛନ୍ତି । ସାମଗ୍ରୀ ଜବତ ବେଳେ ପଦ୍ମିନୀର ଭାଇ ଅନନ୍ତ ପରିଡା ଓ ଭାଉଜଙ୍କ ସମେତ ଗଣିଜାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାଷ ମଳିକ, ହରେକୃଷ୍ଣ ମଳିକ, ଜଗନ୍ନାଥ ପାଣିଗ୍ରାହୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।