ପନ୍ଦାଡୋ ଠାରୁ ବିଦ୍ୟାଧରପୁର ରାସ୍ତା ପୁନଃ ନିର୍ମାଣ ହେବ କେବେ ?
ହାଟଡିହି, (ବିକାଶ ବିଶ୍ୱାଳ ) : ଜଳସମ୍ପଦ ବିଭାଗ ପାଲଟିଛି ଦୁର୍ନିତିର ଗନ୍ତାଘର । ଏଠାରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବାବେଳେ ନିମ୍ନମାନର କାମ ଯୋଗୁଁ କାମ ଗୁଡିକ ଦିନ କେଇଟାରେ ନଷ୍ଟ ହୋଇଯାଉଛି । କୋଟି କୋଟି ଟଙ୍କାର କାମ ଚାଲୁଥିବାବେଳେ ତୋର ଅଧେକୁ ମୋର ଅଧେ ନୀତିରେ କାମ ଗୁଡିକ ହେଉଥିବାରୁ ତଦାରଖ କରିବାକୁ କେହି ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବିଦ୍ୟାଧରପୁର ଜଳ ସେଚନ ବିଭାଗରେ । ଏହି ବିଭାଗ ଅଧିନରେ ଥିବା ବିଦ୍ୟାଧରପୁର – ପନ୍ଦାଡୋ ଜଳସେଚନ ବିଭାଗ ରାସ୍ତା ନିର୍ମାଣରେ ବ୍ୟାପକ ଅନିମିତତା ହୋଇଛି । ଠିକାଦାରୀ ପ୍ରିତିରେ ରାସ୍ତା ନିର୍ମାଣ ନାମରେ ହରିଲୁଟ କରାଯାଇଛି । ଏହି ରାସ୍ତାଟି ଉପରେ ହାଟଡିହି ବ୍ଲକର ବାଲିବରେଇ, ପଢ଼ିଆରିପଲ୍ଲି, ସଢ଼ା, ପନ୍ଦାଡୋ, ବାଙ୍ଗୋର, ଜମ୍ଭୀରା, ଢ଼େଙ୍କା, ସୋସୋ, ହାଟଡିହି ଆଦି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ୬/୭ବର୍ଷ ପୁର୍ବେ ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ସରକାର ରାସ୍ତାଟିକୁ ଉନ୍ନତ ମାନର କରିବାପାଇଁ ୫ କୋଟିରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲେ । ଏମ.ଏସ.ଆଇ.ଏଲ ନାମକ ଏକ ଠିକାସଂସ୍ଥା ଏହିକାମକୁ ଟେଣ୍ଡର ନେଇ ବର୍ଷବର୍ଷ ଧରି କାମ ନକରି ପକାଇ ରଖିଥିଲା । ବିଭାଗ ପକ୍ଷରୁ ବାରମ୍ବାର ତାଗିଦା ପରେ ନିଜେ କାମ ନକରି ପେଟି କଣ୍ଟ୍ରାକ୍ଟରଙ୍କ ଦ୍ୱାରା କାମ କରାଇଥିଲା । ସେମାନେ ବାଧ୍ୟବାଧକତା ଭିତ୍ତିରେ ଯେଣତେଣ ପ୍ରକାର କିଛି ରାସ୍ତାର କାମ ସାରିଦେଲେ । ଦୁଇ ଲେୟାର ମେଣ୍ଟଲିଂ କରିବାପରେ ପିଚୁ କରାଯିବାର ଏଷ୍ଟିମେଟ ଥିବାବେଳେ ଏଷ୍ଟିମେଟ ଅନୁଯାଇ କାମ ନକରି ଗୋଟିଏ ଲେୟାର ମେଣ୍ଟାଲିଂ କରି ମନଇଛା କାମ କରାଯାଇଥିଲା । ଫଳରେ ପନ୍ଦାଡୋ, ବରାଙ୍ଗ, ସଢ଼ା, କଣିଆରି ପ୍ରଭୃତି ସ୍ଥାନ ମାନଙ୍କରେ ଦିନ କେଇଟା ମଧ୍ୟରେ ସେ ସବୁ ରାସ୍ତାର ପିଚୁ ଉଠିଯାଇ ରାସ୍ତାଟି ପୁର୍ବ ଅବସ୍ଥାକୁ ଚାଲି ଆସିଥିଲା । ଏହି ରାସ୍ତାରେ ବିରାଟ ବିରାଟ ଖାଲଖମା ସୃଷ୍ଟି ହେବା ଦ୍ୱାରା ସାଇକେଲ କି ମୋଟର ସାଇକେଲଟିଏ ନେଇ ଯାତାୟତ କରିବା କଷ୍ଟକର ହୋଇ ପଡୁଛି । ସେହିପରି ବିଦ୍ୟାଧରପୁର ଠାରୁ ଆମ୍ବଗଡିଆ ଛକ ପର୍ଯ୍ୟନ୍ତ ରାସ୍ତା କାମ ନକରି ବର୍ଷବର୍ଷ ଧରି ପକାଇ ରଖିବାରୁ ତାହା ଶୋଚନୀୟ ହୋଇପଡିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକଙ୍କ ଦାବିପରେ ସାଢ଼େ ତିନବର୍ଷ ପରେ ବିଦ୍ୟାଧରପୁର-ବାରିଗାଁ ରାସ୍ତାକୁ ପିଚୁ କରାଯାଇଥିଲା । ଉକ୍ତ ରାସ୍ତାକାମ ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ନରହିବାରୁ ଠିକାଦାର ମନଇଛା କାମ କରିଦେଇଥିଲା । ଫଳରେ କାମ କରିବାର ୧୫ଦିନ ଭିତରେ ପିଚୁ ରାସ୍ତାରୁ ପିଚୁ ସବୁ ଉଠିବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସମୟରେ ବିରାଟ ବିରାଟ ଖାଲ ଖମା ସୃଷ୍ଟି ହୋଇ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲାଣି । ଏପରିକି ବିଦ୍ୟାଧରପୁର ଠାରୁ ବାରିଗାଁ ପର୍ଯ୍ୟନ୍ତ ରାସ୍ତାର କୌଣସି ବି ଗୋଟିଏ ସ୍ଥାନରେ ପିଚୁର ନାଁ ଗନ୍ଧ ରହିଲାନି । ଦିନ କେଇଟା ମଧ୍ୟରେ ସମସ୍ତ ପିଚୁ ଉଠିଯାଇ ପିଚୁ ରାସ୍ତାଟି ମାଟି ରାସ୍ତାରେ ପରିଣତ ହେବାସହ ପୋଖରୀ ସଦୃଶ ଖାଲଖମା ମାନ ସୃଷ୍ଟି ହୋଇଛି । ଏହି ରାସ୍ତା ଉପରେ ସେପରି କୌଣସି ଭାରିଜାନ ଚଳାଚଳ କରୁନଥିବା ବେଳେ କେବଳ ଛୋଟ ଚାରିଚକିଆ ଗାଡି, ବାଇକ ଓ ସାଇକେଲ ଆରୋହୀମାନେ ଯାତାୟତ କରିଥାନ୍ତି । କିନ୍ତୁ ଏବେ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇପଡିଲାଣି ଯେ ବାଇକତ ଦୁରର କଥା ଚାଲିକରି ଯିବାମଧ୍ୟ ସମ୍ଭବପର ହେଉନି । ଦିନ କେଇଟା ମଧ୍ୟରେ ରାସ୍ତାର ଏପ୍ରକାର ଅବସ୍ଥାକୁ ଦେଖିଲେ କେହିବି ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହୋଇଥିବା ବିଶ୍ୱାଷକୁ ନେବେ ନାହିଁ । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ଜାଣିଛନ୍ତି ଓ କିପରି ରାସ୍ତା ମରାମତି କରାଯିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । କିନ୍ତୁ ଏଠରେ ପ୍ରଶ୍ନଉଠେ ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କାମ କରାଯାଉଥିବାବେଳେ ଠିକାଦାର ଏତେ ନିମ୍ନମାନର କାମ କରୁଥିଲେବି ବିଭାଗୀୟ ଯନ୍ତ୍ରୀ କାହିଁକି ଉପଯୁକ୍ତ ତଦାରଖ କରୁ ନାହାନ୍ତି ଓ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ କାହିଁକି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ବିଭାଗରେ ୫-ଟି ଲାଗୁକରିଥିବାବେଳେ ଜଳସମ୍ପଦ ବିଭାଗରେ ୫-ଟି ଲାଗୁ କରାଯାଇ ଏପରି ଦୁର୍ନିତିଗ୍ରସ୍ଥ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।