ପବନ ବର୍ଷାରେ ଜିଲ୍ଲାର ହଜାର ହଜାର ଏକର ଜମି ଜଳମଗ୍ନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୧୧୩ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେଥିମଧ୍ୟରୁ କେନ୍ଦ୍ରାପଡା ବ୍ଲକରେ ୧୨ମି.ମି. ବର୍ଷା ହୋଇଥିବା ବେଳ ଡେରାବିଶ୍ ବ୍ଲକରେ ୧୩ମି.ମି., ପଟ୍ଟାମୁଣ୍ଡାଇ ବ୍ଲକରେ ୧୩ମି.ମି., ମାର୍ଶାଘାଇ ବ୍ଲକରେ ୨୨ମି.ମି., ମହାକାଳପଡା ବ୍ଲକରେ ୨୫ମି.ମି., ଆଳି ବ୍ଲକରେ ୪ମି.ମି., ରାଜକନିକା ବ୍ଲକରେ ୭ମି.ମି. ଓ ରାଜନଗର ବ୍ଲକରେ ୧୭ମି.ମି. ବର୍ଷା ହୋଇଥିବା ବେଳେ ଗରଦପୁର ବ୍ଲକରେ ଆଦୌ ବର୍ଷା ହୋଇନଥିବା ଜିଲ୍ଲା ଜରୁରୀ ବିଭାଗରୁ ସୂଚନା ମିଳିଛି । ସେହିପରି ତଳିଆ ଅଞ୍ଚଳରୁ ଏବଂ ପାଣି ଘେରରୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳରେ ବିପନ୍ନ ମାନଙ୍କୁ ଆଶ୍ରୟ ଦେବା ପାଇଁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୪୮୨ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୨୧୫ଟି ବାତ୍ୟା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ୨୬୭ଟି ବିଭିନ୍ନ ବିଦ୍ୟାଳୟ ରହିଛି । ସାରା ଜିଲ୍ଲାରେ ଏକମାତ୍ର ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ଗ୍ରାମର ବିଦ୍ୟାଳୟରେ ପ୍ରଥମ କରି ଆଜି ଗୋଟିଏ ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଥିବା ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ଏନଡିଆରଏଫ ଟିମ୍ ଶୁକ୍ରବାର କେନ୍ଦ୍ରାପଡାରେ ପହଂଚିଛି । ସ୍ୱତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏହି ଟିମ୍କୁ କେନ୍ଦ୍ରାପଡାକୁ ପଠାଇଛନ୍ତି । କେନ୍ଦ୍ରାପଡାରେ ପହଂଚିବା ପରେ ଏହି ଟିମ୍ଟିକୁ ପଟ୍ଟାମୁଣ୍ଡାଇକୁ ପଠାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇ ବି.ଡି.ଓଙ୍କ ଅଧିନରେ ଏହି ଟିମ୍ଟି ଜାୱାଦ ବାତ୍ୟାଞ୍ଚଳରେ ଉଦ୍ଧାର, ପୁନର୍ଗଠନ ଏବଂ ରିଲିଫ ବିତରଣ କାର୍ଯ୍ୟରେ ନିୟୋଜିତ ହେବ । କମାଣ୍ଡାଣ୍ଟ ନରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ବାତ୍ୟାଞ୍ଚଳରେ କାର୍ଯ୍ୟ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ଶୁକ୍ରବାର ରାତିର ଲଗାଣ ବର୍ଷା ଫଳରେ ଚାଷଜମି ଗୁଡିକରେ ପାଚି ଛିଡା ହୋଇଥିବା ହଜାର ହଜାର ଏକର ଜମିର ଧାନ ଫସଲ ପାଣିରେ ବୁଡିଯାଇଛି । ମାସକ ପରେ ଏହି ଧାନ ଅମଳ ହୋଇଥାନ୍ତା । ତଳିଆ ଅଞ୍ଚଳରୁ ଅଧା ପାଚିଲା ଧାନ ଫସଲକୁ ଚାଷୀମାନେ କାଟି ନେଉଛନ୍ତି । ୧୫ ଦିନ ତଳେ ଯେଉଁ ବର୍ଷା ହୋଇଥିଲା ସେହି ବର୍ଷା ପାଣି ଯୋଗୁ ବହୁ ଜମିର ପାଚିଲା ଧାନ କଟାଯାଇ ପାରିନଥିଲା । ସେହି ଧାନ ଗଛ ସବୁ ପାଣି ଉପରେ ଶୋଇପଡିଛି । ଅଧିକ ବର୍ଷା ହେଲେ ସେହି ଧାନ ଫସଲ ସମୂଳେ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ଶନିବାର ମଧ୍ୟାହ୍ନରୁ ବର୍ଷା ଛାଡି ଯାଇଥିଲେ ମଧ୍ୟ ଆକାଶ ମେଘାଛନ୍ନ ଥିବାର ଦେଖିବାକୁ ମିଳିଛି ।