ପବିତ୍ର କାର୍ତ୍ତିକ ପୂର୍ଣ୍ଣମାରେ ଚଳଚଞ୍ଚଳ ବାଲେଶ୍ୱର

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଭୋର ସବୁଠି ଡଙ୍ଗା ଭସାଣି ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରଗ୍ରହଣ ପାଇଁ କୌଣସି ପ୍ରକାର ଦେବନୀତି ବାରଣ ଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବାଲେଶ୍ୱର ସହର ସମତେ ସମଗ୍ର ଜିଲାରେ ପୋଖରୀ, ନଦୀରେ ଲୋକେ ସୋଲ ଡଙ୍ଗା ଭସାଇଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀର ବାଲିଘାଟରେ ଭୋର ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଡଙ୍ଗାରେ ଧୂପ ଦୀପ, ଫଳ ରଖି ବନ୍ଦାପନା କରିବା ପରେ ଆ-କା-ମା- ବୈ, ପାନ ଗୁଆ ଥୋଇ ଗୀତ ବୋଲିବା ସହ ଡଙ୍ଗା ଭସାଇ ପୁରୁଣା ପରମ୍ପରାକୁ ମନେ ପକାଇଥିଲେ । ସେହିପରି ଚାନ୍ଦିପୁର ସମୁଦ୍ର ବେଳାଭୂମି ଆଜି ଭୋର ଲୋକାରଣ୍ୟ ହୋଇ ଉଠିଥିଲା । ଲୋକ ସମୁଦ୍ରରେ ଡଙ୍ଗ ଭାସାଇ ପରମ୍ପରାକୁ ଉଜ୍ଜୀବିତ କରିଥିଲେ । ଏହି ଅବସରରେ ବାଲିଘାଟ ସୁରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଉଡ଼ା ପଡିଆରେ ଆରମ୍ଭ ହୋଇଛି ବାଲିଯାତ୍ରା । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଓ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି ମେଳାକୁ ମିଳିତ ଭାବେ ଉଦଘାଟନ କରିଥିଲେ । ପ୍ରଚୀନ ଉତ୍କଳର ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ବାଲେଶ୍ୱରରେ ଏହି ଭଳି ମେଳା ଆୟୋଜନ ବାସ୍ତବିକ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଏହି ମେଳା ଆମ ସମୃଦ୍ଧ ଇତିହାସ ସମ୍ପର୍କରେ ମନେ ପକାଇ ଦେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତିନିଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ବା ମେଳାରେ ଖୋଲିଛି ଶତାଧିକ ଷ୍ଟଲ । ଘରର ବ୍ୟବହୃତ ବହୁ ଦରକାରୀ ସାମଗ୍ରୀ, କଂସା ବାସନ, ଖେଳଣା, ଗୁପଚୁପ୍ ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଦୋକାନରେ ବେଶ ଭିଡ଼ ଜମୁଛି । ବିଶେଷ କରି ଘରକରଣା ଜିନିଷ କିଣିବା ପାଇଁ ମହିଳାମାନେ ଭିଡ ଲଗାଉଛନ୍ତି ସେଠାରେ । କରୋନା ସଂକ୍ରମଣ ପାଇଁ ଦୁଇବର୍ଷ ପରେ ହେଉଥିବା ଏହି ମେଳାରୁ ବେଶ୍ ଲାଭ ମଧ୍ୟ ଲାଭ ମିଳିଥାଏ ବୋଲି ଦୋକାନୀମାନେ ଆଶା ବାନ୍ଧିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାର ଏହି ବାଲିଯାତ୍ରା ମେଳା ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ଖୁଥିବା ବେଳେ ବ୍ୟବସାୟୀଙ୍କ ପାଇଁ ଏକ ରୋଜଗାରର ସୁଯୋଗ ସୃଷ୍ଟି କରିଛି । କାର୍ତ୍ତିକ ପୂର୍ଣ୍ଣିମାକୁ ରାହାସ ପୂର୍ଣ୍ଣିମା ଭାବେ ମଧ୍ୟ ପାଳନ କରାଯାଉଥିବା ବେଳେ ଚନ୍ଦ୍ରଗ୍ରହଣ ପାଇଁ ଭୋର ୫ଟା ପୂର୍ବରୁ ସମସ୍ତ ପ୍ରକାର ପୂଜାନୀତି ଶେଷ କରାଯାଇଥିଲା । ସେହି ପରି ସହରର ବିଭିନ୍ନ ସ୍ଥାନରେ ନଗର ସଂକୀର୍ତ୍ତନ ବାହାରି ସହର ପରିକ୍ରମା କରିଥିବା ଲକ୍ଷ୍ୟ କରାଯାଇଥିଲା । ମହା ପଞ୍ଚକର ଶେଷ ଦିନ ଭାବେ ଘରେ ଘରେ ତୁଳସୀ ଚଉରାରେ ଝୋଟି ଚିତା ଏବଂ ମୁରୁଜ ଆଙ୍କିବା ସହିତ ମହିଳାମାନେ ପୂଜାର୍ଚ୍ଚନା କରିଥିଲେ । ଚନ୍ଦ୍ରଗ୍ରହଣ ସତ୍ତ୍ୱେ ବାଲେଶ୍ୱରରେ ଶ୍ରଦ୍ଧା ଓ ଭକ୍ତିର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ