ପବିତ୍ର ରଥଯାତ୍ରା ଉପଲକ୍ଷେ ଲାୟନ୍ସ କ୍ଲବ ନୟାପଲ୍ଲୀର ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଓ ନୂତନ ଲାୟନ୍ସ ବର୍ଷର ପ୍ରଥମ ଦିନରେ ଲାୟନ୍ସ କ୍ଲବ ନୟାପଲ୍ଲୀର ସଭ୍ୟମାନେ ଜିଲ୍ଲା ୩୨୨ ସି୪ର ଜିଲ୍ଲା ଗଭର୍ଣ୍ଣରଙ୍କ ଗହଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡଗିରି ଧର୍ମବିହାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ, କ୍ଲବର ସଭାପତି ଟି. ରବି କୁମାର ପାତ୍ର, ସମ୍ପାଦିକା ଭାରତୀ ପଟ୍ଟନାୟକ ଏବଂ ୩୦ରୁ ଅଧିକ ସଭ୍ୟଙ୍କ ଗହଣରେ ଓ ସ୍କୁଲ୍ର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଲାୟନ ନାୟକ ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ ପିଲାମାନଙ୍କୁ ବୃକ୍ଷରୋପଣର ଉପାଦେୟତା ଓ ତାର ରକ୍ଷଣା ବେକ୍ଷଣ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । କ୍ଲବର ସଭାପତି ଲାୟନ ପାତ୍ର ବିଦ୍ୟାଳୟକୁ ଏକ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ମେସିନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ ଉକ୍ତ ସ୍ଥାନରେ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବା ପାଇଁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର ବହୁ ପୂର୍ବତନ ସଭାପତି ଓ ନୂତନ କର୍ମକର୍ତ୍ତା ଯୋଗଦେଇ ସୁଚାରୁ ରୂପେ ତୁଲାଇଥିଲେ । ଏହି ଅବସରରେ ସ୍କାଉଟ ଓ ଗାଇଡ୍ ପିଲାମାନଙ୍କୁ ଜଳପାନରେ ଆପ୍ୟାୟିତ କରାଯାଇଥିଲା ।