ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଥଣ୍ଡା ପାନୀୟ ସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଭୁବନେଶ୍ୱର-ପୁରୀ ରାସ୍ତାର ଧଉଳି ଛକ ନିକଟରେ ପଥପ୍ରାନ୍ତ ଥଣ୍ଡା ପାନୀୟ ସେବା ଏବଂ ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ୍ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ । ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ସହଯୋଗରେ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ପାଇଁ ମାଗଣାରେ ଥଣ୍ଡା ପାଣି ଓ ଦହି ସର୍ବତ ବିତରଣ କରାଯାଇଥିଲା । ତତ୍ସହିତ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ କର୍ମୀମାନେ ନିଜର ସକ୍ରିୟ ସେବା ଅର୍ପଣ କରି ପଥଚାରୀ, ଭକ୍ତ, ବାଇକ୍ ଆରୋହୀମାନଙ୍କୁ ଥଣ୍ଡାପାନୀୟ ବଣ୍ଟନ କରିବା ସହ ନିରାପଦ ସଡ଼କ ସୁରକ୍ଷା ଯାତ୍ରା ଉପରେ ଭକ୍ତମାନଙ୍କୁ ସତେଚନତାର ବାର୍ତ୍ତା ବାଣ୍ଟିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଚିନ୍ମୟୀ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସନ୍ତୋଷୀ ଜୈନ, ଗୌହାଟୀ ଏମ୍ସ ର ଆସୋସିଏଟ୍ ପ୍ରଫେସର ଡ. ରଶ୍ମୀରଞ୍ଜନ ସାହୁ, ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, କବି ଅକ୍ଷୟ ସ୍ୱାଇଁ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ସାମିଲ ହୋଇ ଉକ୍ତ ସେବା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।


