ପରକୀୟା ପ୍ରୀତିକୁ ନେଇ ଉତ୍ତେଜନା, ପ୍ରେମିକକୁ ବାରଣ କରିବାକୁ ପୁଲିସକୁ ଗୁହାରୀ କଲା ସ୍ୱାମୀ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ଡଅଁର ପଞ୍ଚାୟତର ସରଳା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏପରି କାର୍ଯ୍ୟ କରିବାକୁ ପ୍ରେମିକକୁ ବାରଣ କରିବାକୁ ସ୍ୱାମୀ ପୁଲିସକୁ ଗୁହାରୀ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ସରଳା ଗ୍ରାମର ଜଣେ ମହିଳାଙ୍କ ଘରକୁ ଭଦ୍ରକ ଜିଲ୍ଲା ଓଳମ ଗ୍ରାମର ବାବାଜି ବାରିକ ନାମକ ଜଣେ ବ୍ୟକ୍ତି ନିୟମିତ ଯିବା ଆସିବା କରିଥାଏ । ଏହାରି ମଧ୍ୟରେ ମହିଳାଙ୍କ ସହିତ ତାର ପ୍ରେମ ସମ୍ପର୍କ ଗଢ଼ିଉଠେ । ଗତ ଲକଡାଉନ କଟକଣା ସମୟରେ ଭଦ୍ରକ ସୀମାନ୍ତ ସରଳା ଗ୍ରାମ ନିକଟରେ ପୁଲିସ ସୀମା ସିଲ କରିଥିଲା । ମାତ୍ର ଏହି ବ୍ୟକ୍ତି ଜଣକ ମହିଳାଙ୍କ ଘରକୁ ଯିବା ଆସିବା ଭିତରେ ପୁଲିସ ହାବୁଡରେ ପଡି ମାଡ ମଧ୍ୟ ଖାଇଥିଲା । ସରଳା ଗାଁ ଲୋକମାନେ ପୁଲିସକୁ କହି ମୋତେ ମାଡ ମରାଇଛନ୍ତି ବୋଲି ବାବାଜି ଭାବି ନେଇôତଲା । ଗତ ଦୁଇଦିନ ତଳେ ସରଳା ଗ୍ରାମର ଜଣେ ବ୍ୟକ୍ତି ମହାନ୍ତ ସାହିକୁ ଯାଇଥିବାବେଳେ ବାବାଜି ସରଳା ଗ୍ରାମର ଲୋକକୁ ଅଟକ ରଖି ପିଟାମରା କରିବାକୁ ବାହାରିଥିଲା । ଖବରପାଇ ସରଳା ଗ୍ରାମର କିଛି ବ୍ୟକ୍ତି ପହଞ୍ଚିବାରୁ ବାବାଜି ସହିତ ଝଗଡାଝାଟି ହୋଇଥିଲା । ଏପରିକି ବାବାଜି ଓ ସଂପୃକ୍ତ ମହିଳା ଜଣକ ନନ୍ଦିପଦା ଥାନାକୁ ଯାଇ କିଛି ସରଳା ଗ୍ରାମବାସୀଙ୍କ ନାମରେ ଅଭିଯୋଗ କରିôତଲେ । ଏହାକୁନେଇ ସରଳା ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ମହିଳାଙ୍କ ସ୍ୱାମୀ ଗତକାଲି ନନ୍ଦିପଦା ଥାନାରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି । ଗତ ଦୁଇଦିନ ତଳେ ତାର ସ୍ତ୍ରୀ ସହ ବାବାଜିର ଅନୈତିକ ସମ୍ପର୍କ ଦେଖିବାପରେ ପାଟିତୁଣ୍ଡ କରିବାରୁ ବାବାଜି ତାକୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଓ ତାର ସ୍ତ୍ରୀ ବାବାଜିକୁ ସ୍ୱାମୀ ବୋଲି କହୁଥିବା ସେ ଅଭିଯୋଗ କରିଛନ୍ତି । ବାବାଜି ଯଦି ତାଙ୍କ ଘରକୁ ନଆସିବ ତେବେ ସେ ତାର ସ୍ତ୍ରୀକୁ ଧରି ଖୁସିରେ ଚଳିବ ବୋଲି କହିଛି । ଏଣୁ ବାବାଜି ତାଙ୍କ ଘରକୁ ଆସିବାରେ ପୁଲିସ ବାରଣ କରିବାକୁ ସେ ନିବେଦନ କରିଛନ୍ତି ।