ପରମ୍ପରାରେ ବୋଲବମ୍‌

ବିପିନ୍ ବିହାରୀ ମହାନ୍ତି
ପ୍ରତିବର୍ଷ ଶ୍ରାବଣ ମାସ ଆସିଲେ କାଉଡ଼ିଆଙ୍କର ରାସ୍ତା ସାରା ଓ ମହାଦେବପୀଠ ଭିଡ଼ ହୁଏ । ସେମାନେ କୌଣସି ନଦୀ ବା ଜଳାଶୟରୁ ଜଳନେଇ କୌଣସି ମହାଦେବ ମନ୍ଦିରର ଶିବଲିଙ୍ଗ ଉପରେ ଜଳ ଢ଼ାଳନ୍ତି । ବିଶେଷକରି ଏ ଜଳ ଶ୍ରାବଣ ମାସର ପ୍ରତି ସୋମବାରେ ଲାଗିହୁଏ । ଆଜିକାଲି ଆଉ ସେମିତି କିଛି ନିଦ୍ଧିଷ୍ଟ ଦିବସ ନାହି । ତେବେ ସୋମବାରହିଁ ମହାଦେବଙ୍କ ବାର ।
ଏ ପରମ୍ପରା କେବେଠୁ ଆରମ୍ଭ ହୋଇଛି ତାହା ନିର୍ଦ୍ଧିଷ୍ଟ ଭାବରେ କହିହେବ ନାହିଁ । ତେବେ ପୁରାଣ ମାନଙ୍କରେ ଏହାର ପ୍ରମାଣ ଅଛି । ପୂରାଣମତେ:ଧୂପୈଦୀପୈ ସ୍ତଥା ପୁଣୈ ନୈବେଦୈ ବିବିଧେରାପି । ନଃତୁଷ୍ୟତି ତଥା ଶମ୍ଭୁ ଯଥା କାମର ବାରିଣୀ । ଏହାର ମାନେହେଲା ଭଗବାନ ଶିବ ଗଙ୍ଗାଜଳ ସ୍ନାନଦ୍ୱାରା ଯେତିକି ପ୍ରସନ୍ନ ହୋଇଥାଆନ୍ତି, ତାଙ୍କୁ ଧୂପ, ଦୀପ, ନୈବେଦ୍ୟ ତଥା ଫୁଲ ଚଢ଼ାଇବାଦ୍ୱାରା ସେତିକି ପ୍ରସନ୍ନ ହୋଇନଥାନ୍ତି । ଏହି କାରଣରୁ ପୂର୍ବେ ଭକ୍ତମାନେ ବଦ୍ରିନାରାୟଣରୁ ଗଙ୍ଗାଜଳ ବହିଆଣି ରାମେଶ୍ୱର ଯାଇ ଶିବଙ୍କ ଶିରରେ ଜଳଲଗାନ୍ତି । ସେମାନେ ଏ ଜଳକୁ ଯେଉଁ ଭାରରେ ବୁହାନ୍ତି, ତାକୁ କୁହନ୍ତି କାଉଡ଼ି ବା କାଉଁରି ଭାର । କାଉଡ଼ି ବା କାଉଁରି ଅର୍ଥ ବାହିଙ୍ଗି ବା ବହୁଙ୍ଗି । ଏହାକୁ ଯେଉଁମାନେ ବୁହାନ୍ତି, ସେମାନଙ୍କୁ କୁହାଯାଏ କାଉଡ଼ିଆ ବା କାଉରିଆ ।
ଏମାନେ ଭାରବୋହିକି ନେଲାବେଳେ କିଛି ଶବ୍ଦ ବା ସ୍ୱର ଉଚ୍ଚାରଣ କରୁଥାନ୍ତି । ତାହା ହେଉଛି : ବୋଲେବମ୍ ହରେବମ୍ ବମ୍ ବମ୍ ଭୋଳେ । ତା’ ସହିତ ଭୋଳେ ବାବା ରକ୍ଷାକରେ, ଭୋଳେ ବାବା ପାରିକରେ ଇତ୍ୟାଦି ଶବ୍ଦ ବା ବାକ୍ୟ ବ୍ୟବହାର କରନ୍ତି । ‘ବମ୍ ବମ୍‌’ ହେଉଛି ଗାଲ ବାଦ୍ୟରଶବ୍ଦ । ଭିନ୍ନ ଅର୍ଥରେ ଶିବପୂଜା ବାଦ୍ୟ । ଏମିତି ଡ଼ାକି ଡ଼ାକି ଚାଲିନ୍ତୁ ସେମାନେ । ଏହା ଦ୍ୱାରା ମଧ୍ୟ ପଥଚଲା କଷ୍ଟ ଲାଘବ ହୋଇଯାଏ ।
ଏମାନଙ୍କର ପୋଷାକ ସ୍ୱତନ୍ତ୍ର । ନାଲି ଅଥବା ହଳଦିଆ । ଖାଲି ପାଦ । କାନ୍ଧରେ ଭାର । ସବୁରେ ଶିବ ସଂକେତ । ସେମାନେ ଯେଉଁ ଢଙ୍ଗରେ ଯାଆନ୍ତି, ତାହାକୁ ଶାସ୍ତ୍ରରେ ଏହିପରି ଲେଖାଯାଇଛି:
ସ୍କନ୍ଧେଚ ବାମରଂ ଧୃଚ୍ୱା ବମ୍‌ବମ୍ ପ୍ରୋଜ୍ୟ କ୍ଷଣେକ୍ଷଣେ,
ପଦେପଦେ ଅଶ୍ୱମେଧସ୍ତ ଅକ୍ଷୟ ପୁଣ୍ୟମ୍ ସୁତେ ।
ଅର୍ଥାତ୍ କୋନ୍ଧରେ କାଉଡ଼ି ଭାରବୋହି ବୋଲବମ୍ ଡ଼ାକଦେଇ ଯିବାଦ୍ୱାର ଭକ୍ତ ଅଶ୍ୱମେଧ ଯଜ୍ଞସମ ପୁଣ୍ୟ ଲାଭ କରିଥାଏ । ଆନନ୍ଦ ରାମାୟଣରେ ଲେଖାଅଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ କାଉଡ଼ିଆ ସାଜି ସୁଲତାନ ଗଞ୍ଜ ନିକଟ ଗଙ୍ଗାରୁ ଜଳ ସଂଗ୍ରହ କରି ବୈଦ୍ୟନାଥ ଧାମରେ ଭଗବାନ ଶିବଙ୍କୁ ଜଳାଭିଷେକ କରୁଥିଲେ । ଲଙ୍କାପତି ରାବଣ ମଧ୍ୟ କାଉଡ଼ିଆ ସାଜି ଶିବଙ୍କୁ ଜଳାଭିଷେକ କରୁଥିଲେ କାରଣ ସେ ଥିଲେ ପରମ ଶିବ ଭକ୍ତ । ଏହିପରି ଆଉଜଣେ ହେଲେ ଭୂତନାଥ ଭୈରବ । ସେ ମଧ୍ୟ ଶିବଙ୍କୁ କାଉଡ଼ି ଜଳରେ ସ୍ନାନ କରାଉଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, କାଉଡ଼ିଆଙ୍କ ଜଳଅର୍ପଣ ପରମ୍ପରା ବହୁତ ପ୍ରାଚୀନ । ଏହା କେବଳ ଆମ ରାଜ୍ୟରେ ସୀମାବଦ୍ଧ ନୁହେଁ । ସମଗ୍ର ଭାରତରେ ହିନ୍ଦୁଶିବଭକ୍ତ ମଧ୍ୟରେ ଏହା ପ୍ରଚଳିତ ।
କାଉଡ଼ିଆ ପାଇଁ କିଛିଟା ସ୍ୱତନ୍ତ୍ର ନିୟମ ଅଛି । ଏହି ନିୟମାନୁଯାୟୀ ଭାରବୋହି ନେଲାବେଳେ ଭାରକୁ ଭୂମିରେ ଥୋଇବେ ନାହିଁ, ସେମାନେ ଏହିକାଳରେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବେ । ଅର୍ଥାତ୍ ମଦ, ମାଂସ ଓ ମାଛ ଇତ୍ୟାଦି ଖାଦ୍ୟ ଗ୍ରହଣ କରିବେ ନାହିଁ । ମନରେ ମନ୍ଦ ବା ଅଶ୍ଳୀଳ ଅଥବା ପରର ଅନିଷ୍ଟ ଚିନ୍ତା କରିବେ ନାହିଁ । କ୍ରୋଧ , ଲୋଭ, ମୋହ ଅଥବା କୁକର୍ମ ତ୍ୟାଗ କରିବେ । ଦେହ ଓ ମନରେ କେବଳ ଶିବଙ୍କୁ ରଖିଲେ ଏ ଯାତ୍ରା ସଫଳ ହୁଏ । ନୋହିଲେ ଏଥିରେ କିଛି ମାନେ ନଥାଏ ।
ପାପ-ପୁଣ୍ୟ ବ୍ୟକ୍ତିଗତ କର୍ମର ଫଳ । ଏଣୁ ଜଣେ ଭକ୍ତ ନିଜ ଭକ୍ତିର ପରାକାଷ୍ଠା ନେଇ ତା’ଫଳ ପାଏ । ଜଣେ କାଉଡ଼ିଆ ଯଦି ନିଜେ ଭକ୍ତ, ସେ ତା’ର ପୁଣ୍ୟ ଫଳ ଅବଶ୍ୟ ପାଇବ । ଏବେ କିନ୍ତୁ କଥାଟି ଅଲଗା ହେବାରେ ଲାଗିଛି । ଜଣେ ତା’ନିଜର ଅଥବା ପିଲା ବା ପରିବାରର ମଙ୍ଗଳାର୍ଥେ କିଛି ମନାସେ । ମନାସିବା ଲୋକ ନିଜେ କାଉଡ଼ିଆ ହେବା କଥା । ମାତ୍ର ଏବେ କାଉଡ଼ିଆମାନେ ଭଡ଼ାରେ ମିଳନ୍ତି ଏବଂ ଜଳଭାର ବୋହି ଶିବମନ୍ଦିରରେ ଅଜାଡ଼ନ୍ତି । ବୁଝି ହୁଏନା ଯେ ଏଥିରେ କିମିତି ବାଞ୍ôଚତ ଫଳ ମିଳେ । କଥାରେ କହନ୍ତି ନିଜେ ନ ମଲେ କେହି ସ୍ୱର୍ଗ ଦେଖନ୍ତି ନାହିଁ ।
ପୂନଶ୍ଚ ବିଧି ଅନୁସାରେ ଗଙ୍ଗାଜଳ ଢ଼ାଳିବା କଥା । ଗଙ୍ଗାଜାଇ ହେଉଛି ନା, ସେ ଜଳ ଆଣି ଶିବଙ୍କ ଶିରରେ ଢ଼ାଳି ହେଉଛି ! ସେତିକି ନ ହୋଇପାରିଲେ, ଆମେ ସଂଗ୍ରହ କରିଥିବା ନଦୀ ବା ଜଳାଶ୍ରୟ ଜଳରେ କିଛି ଗଙ୍ଗା ପାଣି ମିଶାଇବା କଥା । ମାତ୍ର ସେତକ ମଧ୍ୟ ହେଉନାହିଁ । ତେବେ ମନ ଜାଣି ଗୋବର ଗାଡ଼ିଆ ବି ଗଙ୍ଗା । ଏହି ଅର୍ଥରେ ଯାହା ଫଳ ମିଳିବା କଥା ମିଳେ ।
ଦିନକୁ ଦିନ କାଉଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି । ଏବେ ତ ଉଭୟ ପୁରୁଷ ଓ ନାରୀ କବାଡ଼ିଆମାନେ ଏଥିରେ ସଂପୃକ୍ତ । ଏମାନଙ୍କ ଗହଳିରେ ରାସ୍ତାଯାମ । ଅସାବଧାନତା କାରଣରୁ କେହି ବି ଦୁର୍ଘଟଣାରେ ମୁକ୍ତିପାଇଯାଉଛନ୍ତି ତ, ଜଳ ସଂଗ୍ରହ ବେଳେ କିଏ ଭାସି ଯାଉଛି । ଏହା ବର୍ତ୍ତମାନ ସରକାରଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ସେହିପରି ପବିତ୍ରତା ନାଁରେ କେଉଁଠି ବି ନୈତିକ ସ୍ଫଳନ ଘଟୁଛି । ଅନେକ ବି ଯାତ୍ରା ପୂର୍ବରୁ ବା ପରେ ନିର୍ଦ୍ଧିଷ୍ଟ ଖାଦ୍ୟ ବା ପାନୀୟ ନେଉଛନ୍ତି । ସବୁସତ୍ତ୍ୱେ ଏ ପରମ୍ପରା ରହିଛି । ଏହିପରି ରହିଥିବ ବୋଲି ଆଶା କରାଯାଏ । ଏଥିପାଇଁ ପ୍ରଚଳିତ ନିୟମ ଏବଂ ଯାତ୍ରା, ଧର୍ମ ନେଇ ହେଲେ ହେଁ, ଏହା ବିଜ୍ଞାନ ସମ୍ମତ ରହିତ ନୁହେଁ ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ