ପରମ୍ପରା ନାମରେ ଚାଲିଛି ଜୁଆ ଆସର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା କାଳରେ ଲୋକେ ଆର୍ଥିକ ଦୁର୍ଗତି ଭିତରେ କାଳାତିପାତ କରୁଥିଲେ ହେଁ ଗଞ୍ଜାମ ଜିଲ୍ଲାର ପ୍ରାୟତଃ ସମସ୍ତ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳରେ ଚାଲିଛି ପରମ୍ପରା ନାଁ ରେ ଜୁଆର ଆସର । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ପୁଲିସ ମଧ୍ୟ ଏହି ବେଆଇନ ଜୁଆ ଖେଳ ରୋକିବାକୁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖିଛି । ବିଶେଷ କରି ପାର୍ବଣଋତୁ ବା ଦଶହରା ଆସିଲେ ଗଞ୍ଜାମ ଜିଲ୍ଲା ହୋଇ ଉଠୁଛି ଚଳଚଂଚଳ । ଗ୍ରାମାଂଚ ଠାରୁ ଆରମ୍ଭ କରି ସହରାଂଚଳ ସବୁଠି ଚାଲୁଛି ଜୁଆ ଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାରପୁର୍ଣ୍ଣିମା ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇଥାନ୍ତି ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି । କାଳକ୍ରମେ ତାସ ଖେଳର ଏହି ପରମ୍ପରା ଜୁଆରେ ପରିଣତ ହୋଇସାରିଛି । କିଛି ଲୋକଙ୍କ ପାଇଁ ଏହା ନିଶା ପାଲଟି ଯାଇଥିବାର ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତିବିଶେଷ ତାସ କେଳ ପ୍ରତି ଆଶକ୍ତ ହୋଇ ପଡ଼ୁଛନ୍ତି ।ଏପରିକି ବହୁ ସମୟରେ ବହୁ ଜୁଆଡ଼ି ନିଜର ସର୍ବସ୍ୱ ହରାଇ ରାସ୍ତାର ଭିକାରି ପାଲଟି ଯାଇଥିବାର ନଜିର ରହିଛି । କିଛି ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୁତ୍ରପାତ ହେଉଥିବା ବେଳେ ଅନ୍ୟକିଛି ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ମଧ୍ୟ ନଜିର ରହିଛି । କେବଳ ଯେ ଦଶହରା ବା ଆଶ୍ୱିନ ମାସ ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ଜୁଆ ଖେଳ ଚାଲୁଥିବାର ନଜିର ରହିଛି । ଆଶ୍ୱିନ ମାସ ଆରମ୍ଭରୁ ହିଁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ହିଞ୍ଜିଳି ଥାନାର କିଛି ଅଂଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ବେଳେ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି । ଅପରାଧ ଦୁନିଆ ସହ ଜଡ଼ିତ କିଛି ଅସାମାଜିକ ବ୍ୟକ୍ତି ଜୁଆ ଆଡଡ୍ଡା ଆୟୋଜନ କରୁଥିବାର ଜଣାପଡ଼ିଛି । ପରିତ୍ୟକ୍ତ ସ୍ଥାନ, ନିଛାଟିଆ ଘର ମଧ୍ୟରେ, ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଜମୁଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୩ଟି ସ୍ୱତନ୍ତ୍ ଟିମ୍ ଗଠନ କରାଯାଇ ସାଧା ପେରାଷାକଧାରୀ ପୁଲିସଙ୍କୁ ଉକ୍ତ ଟିମ୍‌ରେ ନିଯୁକ୍ତି କରାଯାଇଛି । ସ୍ଥାନୀୟ ପୁଲିସ ବାହୀନି ପକ୍ଷରୁ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିବା ବେଳେ ଜୁଆଡ଼ିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇନଥିବା ଯୋଗୁଁ ନ୍ୟାୟଳୟରୁ ସହଜରେ ଜାମିନ ପାଇବା ପରେ ପୁଣି ଥରେ ଜୁଆଡ଼ି ମାନେ ଜୁଆ ଖେଳରେ ଲିପ୍ତ ରହୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ