ପରମ୍ପରିକ ନୃତ୍ୟଗୀତରେ କମ୍ପିଲା ବାରିପଦା ସହର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ସାରା ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି. ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ବିଗତ 6ବର୍ଷ ଧରି ବାରିପଦା ଛଉ ପଡିଆ ଠାରେ ପାଳିତ ହୋଇ ଆସୁଛି ମୟୂରଭଞ୍ଜ ମହୋତ୍ସବ. ଚଳିତ ବର୍ଷ ୭ମ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ. ଆଜି ଅପରାହ୍ନ ରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛଉ ପଡିଆ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା, ଏହି ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରାକୁ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସ କଣା ବିଧାୟକ ଭାଦବ ହାଁସଦା, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି,
ମହୋତ୍ସବ କମିଟିର ଅଧ୍ୟକ୍ଷ ସିନେ ତାରକା ଅସିତ ପତି, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ମହୋତ୍ସବ ଆୟୋଜକ କମିଟିର ସଭାପତି ତଥା ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସ୍ମରଣୀକା ସମ୍ପାଦକ ବିଭୁ ପ୍ରସାଦ ଦାସ, କମିଟିର ବରିଷ୍ଠ କର୍ମକର୍ତ୍ତା ବିପ୍ଳବ ବୁଗୁଡେଇ, ସଂଜୀବ ଦିୱେଦି, ତାପସ କୁମାର ପାଢ଼ୀ, ରାକେଶ ବେହେରା, ବିଭିନ୍ନ ଉପଖଣ୍ଡ କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ପତକା ହଲାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ. ଏହି ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମୟୁରଭଞ୍ଜର ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ, ଆଦିବାସୀ ନୃତ୍ୟ, କଳସି ନାଚ, ଦାଣ୍ଟା ନାଚ, ଦାସାଏଁ ନୃତ୍ୟ, ମୁଣ୍ଡାରୀ ନୃତ୍ୟ, କରମା ନୃତ୍ୟ, ଝୁମର ନୃତ୍ୟ ଆଦି ବହୁ ପ୍ରକାର କଳାର ହଜାରହଜାର କଳାକାର ଯୋଗଦେଇ ନିଜନିଜର କଳା ପ୍ରଦର୍ଶନ କରିଥିବା ବେଳେ, ଅଘୋରୀ ବାବା ନୃତ୍ୟ ସହ ବହୁ ଆକର୍ଷଣୀୟ କଳା ମଧ୍ୟ ଦେଖିବାକୁ ମିଳିଥିଲା. ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ଦଳ ମତ ନିର୍ବିଶେଷରେ ବହୁ ସଂଖ୍ୟାରେ ମୟୁରଭଞ୍ଜିଆ ମାନେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ. ଡିସେମ୍ବର 2ରୁ 11 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ରେ ପ୍ରତିସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ବଲିଉଡ ଏବଂ ଓଲିଉଡ଼ କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.
ସେହିପରି ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଥିବା ବେଳେ, ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ, କୁଟୀର ଶିଳ୍ପ, ପୋଷାକ, ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ଆସର ଜମିବ. ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯାଉଥିବା ବେଳେ, ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ସେହିପରି ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରିଲସ ପ୍ରତିଯୋଗିତା, ଫୁଟବଲ, ଲାଖବିନ୍ଧା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି.