ପରଲୋକରେ ଆରଏସ୍ଏସ୍ର ବରିଷ୍ଠ ପ୍ରଚାରକ ହରିହର ନନ୍ଦ

ଭୁବନେଶ୍ୱର: ଆରଏସ୍ଏସ୍ର ବରିଷ୍ଠ ପ୍ରଚାରକ ହରିହର ନନ୍ଦଙ୍କର ପରଲୋକ । ସେ ହରିହର ଦା ନାମରେ ସୁପରିଚିତ ଥିଲେ । ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ପ୍ରତିଷ୍ଠାତା ସମ୍ପାଦକ, ସୁବକ୍ତା, ସୁଲେଖକ, ସୁସାହିତ୍ୟିକ, ସୁସଂଗଠକ, ସୁସାମ୍ବାଦିକ, ଦରଦୀ କବି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ପ୍ରଚାରକ ତଥା ପୂର୍ବତନ ପ୍ରାନ୍ତ କାର୍ଯ୍ୟବାହ ହରିହର ନନ୍ଦଙ୍କର ସୋମବାର ପ୍ରାତଃ ୩ଟା ୧୫ରେ ପରଲୋକ ହୋଇଛି । ସେ ଯକୃତ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ତାଙ୍କ ମରଶରୀରକୁ ଭୁବନେଶ୍ୱର ଉକ୍ରଳ ବିପନ୍ନ ସହାୟତା ସମିତି ପରିସରକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା । ସେଠାରୁ କଟକ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା । ସଂଘର ସ୍ୱୟଂସେବକ, ଶୁଭେଚ୍ଛୁ ଏବଂ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ନନ୍ଦ ୧୯୩୬ ମସିହା ଜୁଲାଇ ୧୭ ତାରିଖରେ ବାଲେଶ୍ୱର ଲଙ୍ଗଳେଶ୍ୱର ନିକଟସ୍ଥ ବାଳିଆପାଟିରେ ଜନ୍ମ ନେଇଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଓ ଆଇନରେ ସ୍ନାତକ କରିଥିଲେ । ସେଠାରୁ ଆସି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଅବିଭକ୍ତ କଟକ ଜିଲ୍ଲାର ପ୍ରଚାରକ ଭାବେ କିଛିଦିନ କାମ କଲା ପରେ ୧୯୭୪ରେ ନନ୍ଦ ପ୍ରାନ୍ତ କାର୍ଯ୍ୟବାହ ଦାୟିତ୍ୱ ବହନ କରିଥିଲେ । ସେହି ସମୟରେ ପ୍ରାନ୍ତ ସଂଘଚାଳକ ସ୍ୱର୍ଗତ ଭୂପେନ କୁମାର ବସୁ ଏବଂ ସ୍ୱର୍ଗତ ବାବୁରାଓ ପାଲଧିକର ପ୍ରାନ୍ତ ପ୍ରଚାରକ ଥାଇ ବିଧିବଦ୍ଧ ଭାବରେ ପ୍ରାନ୍ତ କାର୍ଯ୍ୟକାରିଣୀ ଗଠିତ ହୋଇଥିଲା । ଏହା ପରେ ୧୯୭୫, ଜୁନ୍ ୨୬ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରେ ସଂଘକୁ ବେଆଇନ ଘୋଷଣା କରାଗଲା । ସେ ସମୟରେ ସଂଘର ସ୍ୱୟଂସେବକମାନେ ଭୂମିଗତ ରହି ଯେଉଁ ଆନ୍ଦୋଳନ ଚଲାଇଥିଲେ ତାକୁ ଓଡ଼ିଶାରେ ନେତୃତ୍ୱ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ପରେ ସ୍ୱର୍ଗତ ପାଲଧିକର କ୍ଷେତ୍ର ପ୍ରଚାରକ ହୋଇ କଲିକତାକୁ ଯିବା ପରେ ଓଡ଼ିଶାର ପ୍ରାନ୍ତ ପ୍ରଚାରକ ଭାବେ ଦାୟିତ୍ୱ ନିର୍ବାହ କରି ଅନେକ ବର୍ଷ ତୁଲାଇବା ପରେ ସେ ଓଡ଼ିଶା ଓ ଅବିଭକ୍ତ ଆନ୍ଧ୍ରକୁ ନେଇ ଗଠିତ ଆଗ୍ନେୟ କ୍ଷେତ୍ରର କ୍ଷେତ୍ରୀୟ ବୌଦ୍ଧିକ ପ୍ରମୁଖ ଓ ପ୍ରଚାର ପ୍ରମୁଖ ଏବଂ ପରେ ହିନ୍ଦୁଜାଗରଣ ସାମୁଖ୍ୟର ଅଖିଳ ଭାରତୀୟ ସଂଯୋଜକ ଦାୟିତ୍ୱ ନିର୍ବାହ କରିଥିଲେ । ବୟସ ଦୃଷ୍ଟିରୁ ଦାୟିତ୍ୱ ମୁକ୍ତ ହେବା ପରେ ସଂଘର କଟକ କାର୍ଯ୍ୟାଳୟରେ ରହି ଓଡ଼ିଶାରେ ସଂଘ କାର୍ଯ୍ୟକୁ ମାର୍ଗଦର୍ଶନ ଦେଇଆସୁଥିଲେ । ସେ ସଂଘର ପୂର୍ବତନ ସରକାର୍ଯ୍ୟବାହ ଏଚ୍.ଭି. ଶେଷାଦ୍ରିଙ୍କ ଲିଖିତ ବହୁ ଚର୍ଚ୍ଚିତ ପୁସ୍ତକ ବଂଚ ଅଫ୍ ଥଟ୍ସର ଓଡ଼ିଆ ଅନୁବାଦ ଚିନ୍ତା ଚୟନ (୧ମ ଓ୨ୟ ଭାଗ)ନାଁରେ କରିଥିଲେ । ହଜାର ହଜାର ସ୍ୱୟଂସେବକ ତଥା ଶୁଭେଚ୍ଛୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ