ପରଲୋକରେ ଯୋଗୀ ଆଦିତ୍ୟନାଥଙ୍କ ପିତା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ କିଡ଼ନୀ ସମସ୍ୟା ଥିଲା। ସେ ଭେଣ୍ଟିଲେଟରରେ ଥିଲେ। ସୋମବାର ସକାଳ ୧୦ଟା ୪୪ ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସୂଚନା ଦେବା ସହ ଗଭୀର ସମବେଦନା ଜଣାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ ନାହିଁ ବୋଲି ଏକ ପତ୍ର ଲେଖି ଜଣାଇଛନ୍ତି। ଦେଶରେ କୋରୋନା ମହାମାରୀକୁ ନେଇ ଚାଲିଥିବା ଲକ୍ଡାଉନ ଫଳରେ କରୋନା ବିରୋଧରେ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କୁ ଲକଡାଉନ ନିୟମକୁ ପାଳନ କରିବା ପାଇଁ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ତେବେ ପରିବାରର ଅନ୍ୟ ସଦସ୍ୟମାନେ ଲକ୍ଡାଉନ ନିୟମକୁ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଅନୁରୋଧ କରିଛନ୍ତି। ଗୋଟିଏ ପଟେ କୋରୋନା ମୁକାବିଲା ଲାଗି ଗଠିତ ଟିମ୍-୧୧କୁ ନେଇ ଯୋଗୀ ଆଦିତ୍ୟନାଥ ବୈଠକ କରୁଥିବା ସମୟରେ ଅନ୍ୟପଟେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବି ସେ ବୈଠକକୁ ସ୍ଥଗିତ ରଖିନାହାନ୍ତି। ହେଲେ ଯୋଗୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟ ଉତ୍ତରାଖଣ୍ଡ ୟମକେଶ୍ୱରର ପଞ୍ଚୁର ଗାଁରେ ରହୁଥିଲେ। ସେ ୧୯୯୧ରେ ଫରେଷ୍ଟ ବିଭାଗର ରେଞ୍ଜର ପଦବୀରୁ ଅବସର ନେବା ପରେ ସେ ତାଙ୍କ ପୈତୃକ ଗାଁରେ ରହୁଥିଲେ। ଯୋଗୀ ଆଦିତ୍ୟନାଥ ଏକ ବିବୃତିରେ କହିଛନ୍ତି, ବାପାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ବାପା ମୋତେ ସବୁ ବେଳେ ବିଶ୍ୱସ୍ତ, କଠିନ ପରିଶ୍ରମୀ ଓ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ। ଶେଷ ସମୟରେ ମୁଁ ବାପାଙ୍କ ସହ ରହିବାକୁ ଚାହୁଁଥିଲି। ହେଲେ ଉତ୍ତର ପ୍ରଦେଶର ୨୩ କୋଟି ଲୋକଙ୍କ ଦାୟିତ୍ୱ ମୋ କାନ୍ଧରେ ଥିବାରୁ ମୁଁ ତାଙ୍କ ପାଖରେ ଉପସ୍ଥିତ ରହିପାରିଲି ନାହିଁ। ଏବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହୋଇଛି। ଏହି କାରଣରୁ ମୁଁ ମୋ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବି ନାହିଁ। ସେ ଆହୁରି କହିଛନ୍ତି, ମୁଁ ମୋ ମା’ ଓ ପରିବାର ସଦସ୍ୟଙ୍କୁ ଲକଡାଉନ କଟକଣାକୁ ମାନି ବାପାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଅପିଲ କରିଛି। ଲକଡାଉନ ଶେଷ ହେବା ପରେ ମୁଁ ଆପଣମାନଙ୍କ ପାଖକୁ ଯିବି। ଦିଲ୍ଲୀରୁ ଯୋଗୀ ଆଦିତ୍ୟନାଥ ପିତା ଆନନ୍ଦଙ୍କ ମରଶରୀର ଉତ୍ତରାଖଣ୍ଡର ପାଉରିକୁ ନିଆଯିବ।