ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିରର ସୁରକ୍ଷା’ଶୀର୍ଷକ ରାଜ୍ୟସ୍ତରୀୟ ସଂଗୋଷ୍ଠୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିରର ସୁରକ୍ଷା’ଶୀର୍ଷକ ଆଲୋଚନା ଚକ୍ର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟ ଠାରେ ଜୁନ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ପ୍ରାକ୍ତନ କୂଳପତି ଡ.ପ୍ରଫୁଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ନିଗମ କଳ୍ପତରୁ ଆଶ୍ରମ, ଭୁବନେଶ୍ୱରର ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜାରାମ ଶତପଥି ଓ ବିଶିଷ୍ଟ ଐତିହାସିକ ତଥା ଗବେଷକ ଅନୀଲ ଧୀର ପ୍ରମୁଖ ଯୋଗଦେଇ ଶ୍ରୀମନ୍ଦିର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି ଜଗନ୍ନାଥଙ୍କୁ ଓଡିଶାର ଇତିହାସ ଭାବରେ ଅଭିହିତ କରି ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି କହିଲେ ଶ୍ରୀମନ୍ଦିର ସହିତ ମଠ ମନ୍ଦିର, ସେବାପୂଜା ଓ ହଜାର ହଜାର ବର୍ଷର ଐତିହକୁ ବୁଝାଏ । ପରିକ୍ରମା ପ୍ରକଳ୍ପ ନାମରେ ମଠ ମନ୍ଦିରକୁ ମାଟିରେ ମିଶାଇବା, ନାନକ ଓ ରାମାନୂଜଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରସିଦ୍ଧ ମଠ ଭଙ୍ଗାକୁ ସେ ନାପସନ୍ଦ କରିଥିଲେ । ସରକାରଙ୍କ ଏପରି ଆଭିମୁଖ୍ୟତାକୁ ଜନ ସାଧାରଣ ନିନ୍ଦା କରୁନଥିବାରୁ ଜନସାଧାରଣଙ୍କ ମାନସିକାତକୁ ମଧ୍ୟ ସେ ଆକ୍ଷେପ କରିଥିଲେ । ସୁପ୍ରିମକୋର୍ଟର ଅଧିବକ୍ତା ସଂଗ୍ରାମ କେଶରୀ ପଟ୍ଟନାୟକ ସୁପ୍ରିମକୋର୍ଟର ନିଷ୍ପତି ଶେଷକଥା ନୁହେଁ ବୋଲି ଉଲ୍ଲେଖ କରି କହିଲେ ଯେ,କ୍ୟୁରୋଟିଭ ପିଟିସନ ଜରିଆରେ ଏହାର ପରିବର୍ତନ ହୋଇପାରେ । ଜଏଂଟ ଇନ୍ସ୍ପେକସନ କମିଟି ରିପୋର୍ଟରେ ସରକାରଙ୍କ ପ୍ରତିନିଧି ଥିଲା ବେଳେ ଏହି ରିପୋର୍ଟରେ ଅନେକ ନୀତି ନିୟମ ଏବଂ ମନ୍ଦିର ପ୍ରତି ବିପଦ ଥିବା କଥା ଉଲ୍ଲେଖ କରିଛି । ତେଣୁ ଏଏସ୍ଆଇ ଯେ କୌଣସି ସମୟରେ ପ୍ରକଳ୍ପର ବ୍ୟତିକ୍ରମ ପାଇଁ ଦେଇଥିବା ଅନୁମୋଦନକୁ ମଧ୍ୟ ପ୍ରତ୍ୟାହାର କରିପାରିବେ । ତେଣୁ ଆମେ ନିରାଶ ନହୋଇ ପରବର୍ତି ଆଇନଗତ ଯୁଦ୍ଧପାଇଁ ପ୍ରସ୍ତୁତ ହେବା ଉଚିତ । ଗବେଷକ ଅନୀଲ ଧୀର କହିଲେ ଯେ, ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ବୋଲି କେବଳ ଭାରତବାସୀ ଚିନ୍ତିତ ନୁହଁନ୍ତି, ସମଗ୍ର ପୃଥିବୀରେ ଥିବା ହିନ୍ଦୁମାନେ ଚିନ୍ତାପ୍ରକଟ କରିଛନ୍ତି । ଗୋଆରେ ସଦ୍ୟ ଶେଷ ହୋଇଥିବା ବିଶ୍ୱ ହିନ୍ଦୁ ସମ୍ମିଳନୀରେ ୩୫ଟି ଦେଶରୁ ହିନ୍ଦୁ ଧର୍ମର ପ୍ରତିନିଧିମାନେ ଆସିଥିଲେ । ସମସ୍ତେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ସମ୍ମିଳିତ ଭାବେ ରାଜ୍ୟସରକାରଙ୍କ ଭଙ୍ଗାଭଙ୍ଗି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ମଠ ଭାଙ୍ଗିବା ଭିତରେ ରାଜ୍ୟ ସରକାର ଭାରତୀୟ ପୁରାତତ୍ୱ ସଂରକ୍ଷଣ ଆଇନକୁ ନୁହେଁ, ଦୁଇଟି ବଡ ଆର୍ନ୍ତଜାତୀୟ ଆଇନକୁ ମଧ୍ୟ ଉଲଙ୍ଘନ କରିଛନ୍ତି । ଅନ୍ୟ ପକ୍ଷରେ ବେଆଇନ ଭାବେ ରାଜ୍ୟର ଅର୍ଥକୁ ହରିଲୁଟ କରି ୬୦୦ କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି ଓ ହଜାର ହଜାର ବର୍ଷ ତଳର ମଠକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି । ସମଗ୍ର ପୃଥିବୀରେ ଐତିହ୍ୟ ଓ ପ୍ରାଚୀନ ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟ କରଣ ପାଇଁ ଅନ୍ୟ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ସ୍ଥାନକୁ ଧ୍ୱଂସ କରିବାର ଉଦାହରଣ ନାହିଁ । ସିଭିଲ ସୋସାଇଟ ଏକାଠି ହେଲେ ରାଜ୍ୟ ସରକାରଙ୍କର ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରାଯାଇ ପାରିବ । ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସମସ୍ତ ଶ୍ରୋତାଙ୍କୁ ଆହ୍ୱାନ ଦେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଥିବା ବେଳେ ଏହା କେବଳ ବୁଦ୍ଧିଜୀବୀମାନଙ୍କର କାମ ନୁହେଁ ସମସ୍ତ ଓଡିଶାର ଜନସାଧାରଣ ଏକାଠି ହୋଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ଅତୀତରେ ଜଗନ୍ନାଥଙ୍କ ଉପରେ ବହୁବାର ଆକ୍ରମଣ ହୋଇଛି । ଜଗନ୍ନାଥଙ୍କୁ ମଧ୍ୟ ୨ଶହ ବର୍ଷ ପାତାଳୀ ହେବାକୁ ପଡିଛି । ଆଜିପୁଣି ଶ୍ରୀମନ୍ଦିର ଉପରେ ସେହି ଆକ୍ରମଣ କରାଯାଇଛି । ଇତିହାସ କହେ ଭାରତରେ ବିଧର୍ମୀମାନେ ଆଗେ ଭାରତର ହିନ୍ଦୁମାନଙ୍କ ମନ୍ଦିର ଧ୍ୱଂସ କରୁଥିଲେ । ଏବେ ଇତିହାସ ବଦଳାଇଛନ୍ତି ରାଜ୍ୟ ସରକରାର । ପ୍ରଥମକରି ହିନ୍ଦୁ ମନ୍ଦିର ମଠ ପରମ୍ପରାକୁ ଧ୍ୱଂସ କରୁଛନ୍ତି ହିନ୍ଦୁମାନେ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷାକୁ ଧ୍ୱଂସ କରୁଛନ୍ତି ସେମାନେ ହିନ୍ଦୁମାନଙ୍କ ଅଭିଶାପରେ ଧ୍ୱଂସ ହୋଇ ଯିବେ । ଆମେ ଯଦି ସମସ୍ତେ ଏକାଠି ହେବା , ମନ୍ଦିର ସୁରକ୍ଷା ପାଇଁ ଘରୁ ବାହାରି ଆସି ଏକାଠି ହୋଇ ଏହାର ପ୍ରତିବାଦ କରିବା ତେବେ ଶ୍ରୀମନ୍ଦିର ସୁରକ୍ଷିତ ରହିପାରିବ । କାର୍ଯ୍ୟକ୍ରମର ଅଧ୍ୟକ୍ଷ ପୂର୍ବତନ କୂଳପତି ଡ. ପ୍ରଫୁଲ ମିଶ୍ର ତାଙ୍କ ଅଭିଭାଷଣରେ ରାଜ୍ୟସରକାର ଯାହା କରୁଛନ୍ତି ନିଜର ଅର୍ଥବଳ ଓ ପ୍ରଶାସନିକ କଳର ଅପବ୍ୟବହାର କରି । ପୁରୀ ଶ୍ରୀମନ୍ଦିର ବାଲି କୁଦ ଉପରେ ପଥର କୁ ପଥର ଯୋଡି ପ୍ରାଚୀନ କୌଶଳରେ ତିଆରି ହୋଇଛି । ବର୍ତମାନ ମନ୍ଦିର ଚାରିପଟେ ଗଭୀର ଗାତ ଖୋଳିବା ଭିତରେ ମନ୍ଦିର ଭାରସମ୍ୟ ହରାଇ ଭୁଷୁଡି ପଡିବ । ୩୫ ଏମ୍ ଏମ୍ ରଡରେ ୭୦୦ କୋଟି ଟଙ୍କା ବିନିମୟରେ ଶୌଚାଳୟ ହେଉନାହିଁ ତାମସିକ ଭୋଗ ପାଇଁ ବିଶାଳ ଅଟାଳିକା ପ୍ରସ୍ତୁତ ହେଉଛି । ଏହା ସମ୍ପୂର୍ଣ୍ଣ ରୂପେ ଶ୍ରୀମନ୍ଦିରକୁ ଧ୍ୱଂସ କରିଦେବ । ସେହିଭଳି ଭୁବନେଶ୍ୱରରେ ମଧ୍ୟ ମନ୍ଦିର ଭଙ୍ଗା ଚାଲିଛି । ରାଜ୍ୟ ସରକାର ରାଜନୈତିକ ସ୍ୱାର୍ଥ ଓ ଭୋଟ ହାସଲ ପାଇଁ ଏପରି କରୁଛନ୍ତି । ଏହା କେବଳ ବେପାରୀ ଓ ସେବକଙ୍କ ସ୍ୱାର୍ଥ ପାଇଁ ହେଉଛି । ଭକ୍ତମାନଙ୍କ ପାଇଁ ନୁହେଁ । ତେଣୁ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ସମସ୍ତେ ଏକାଠି ହୋଇ ଏହାର ପ୍ରତିବାଦ କରନ୍ତୁ । ହିନ୍ଦୁମାନଙ୍କର ବିବାଦ ଭିତରେ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ସମାଜସେବୀ ଅଜୟ କୁମାର ରାଉତ ଏହି ଆଲୋଚନାକୁ ସଂଯୋଜନା କରି କହିଲେ ଯେ,ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ ବିପନ୍ନ କରିବା ସହିତ ମଠ ମନ୍ଦିର ଗୁଡିକ ବେଆଇନ ଭାବରେ ଭାଙ୍ଗି ଏକ ଅପରାଧିକ କାର୍ଯ୍ୟ କରିଛନ୍ତି ବୋଲି ନିଜେ ଅବଗତ ଅଛନ୍ତି ଓ ସେଥିପାଇଁ ଭୟଭୀତ ଅଛନ୍ତି । ସେଥିପାଇଁ ଇଡିକଲ ପ୍ରେକ୍ଷାଳୟରେ ଏହି ମିଟିଂ ହେବ ବୋଲି ସ୍ଥିର କରାଯାଇଥିବା ବେଳେ କାଲି ରାତି ୯ ଟାରେ ବାତିଲ କରି ଆମକୁ ମିଟିଂ ନକରାଇଦେବାକୁ ପ୍ରୟାସ କରିଛନ୍ତି । କିନ୍ତୁ ଆମେ ଏଥିରେ ନଡରି ଆମ ଆଲୋଚନାକୁ ଜିଲ୍ଲାସ୍ତରକୁ ନେବୁ ଓ ଏ ସରକାର ମନ୍ଦିର ପ୍ରତି ବିପଦ ଅଛି ବୋଲି ଲୋକଙ୍କୁ ବୁଝାଇବୁ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି କରିବାକୁ ପ୍ରୟାସ କରିବୁ ।
ଶ୍ରୀମନ୍ଦିର ସୁରକ୍ଷାର ସହସଂଯୋଜକ ଶ୍ରୀ ତନ୍ମୟ ଦାଶ ଏହି ଆଲୋଚନା ଚକ୍ରରେ ଧନ୍ୟବାଦ ଅର୍ପଣ କରିଥିଲେ ।