“ପରିଚୟ” ଦ୍ୱାରା ପାଗଳ କୁ ମିଳିଲା ପରିଚୟ

ବୁଗୁଡା, (ଅନିଲ କୁମାର ମହାରଣା):ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବୁଗୁଡ଼ାରେ ଏକ ପାଗଳ ରହିଆସୁଥିଲେ। ଲୋକଙ୍କ ଦୟାରେ ଗଣ୍ଡେ ଖାଇ ରାସ୍ତା କଡରେ ବା କାହାର ବାରଣ୍ଡାରେ ଆଶ୍ରୟ ନେଉଥିଲେ। ଜଣେ ପାଗଳ ବୋଲି ସମସ୍ତେ କହୁଥିଲେ । ହେଲେ ଅଗଷ୍ଟ ୧୮ ତାରିଖ ଦିନ ସ୍ୱେଚ୍ଛାସେବୀ ସଂଗଠନ “ପରିଚୟ” ଦ୍ୱାରା ପାଗଳଙ୍କୁ ମିଳିଥିଲା ପରିଚୟ। ସେହି ବ୍ୟକ୍ତି ଜଣକ ବିହାରର ଶଶୀ ମେହେଟା ବୋଲି ଜାଣିଲେ ବୁଗୁଡା ସହର ବାସିନ୍ଦା। ବୁଗୁଡାର ସମାଜସେବୀ ଭାଗଗ୍ରାହୀ ମହାନ୍ତି ସ୍ୱେଚ୍ଛାସେବୀ ସଂଗଠନ ” ପରିଚୟ” କୁ ବୁଗୁଡ଼ାରେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଏକ ପାଗଳ ଅସହାୟ ଅବସ୍ଥାରେ ରହୁଥିବା ଖବର ପ୍ରଦାନ କରିଥିଲେ। ଖବର ପାଇ ପରିଚୟ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୁଗୁଡାର ପାଗଳକୁ ଉଦ୍ଧାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ସ୍ବେଚ୍ଛାସେବୀ ସଙ୍ଗଠନ “ପରିଚୟ” କୁ ସହଯୋଗ କରିବାକୁ ପତ୍ର ଦେବା ସହ ପରିଚୟ କୁ ମଧ୍ୟ ପତ୍ର ଦେଇଥିଲେ। ଏହାପରେ ସ୍ବେଚ୍ଛାସେବୀ ସଂଗଠନ ପରିଚୟ ର ସଭାପତି ସୁଦୂର ସମ୍ବଲପୁର ବାସିନ୍ଦା ବିପିନ ବିହାରୀ ପଣ୍ଡା, କୋଷାଧ୍ୟକ୍ଷ ତଥା ବୁଗୁଡା ବାସିନ୍ଦା ଦେବାଶିଷ ମହାନ୍ତି, ସଦସ୍ୟ ଚୈତନ୍ୟ ନାୟକ ଆଜି ବୁଗୁଡ଼ାରେ ପହଞ୍ଚି ରାସ୍ତା ପାର୍ଶ୍ୱରେ ଥିବା ପାଗଳଙ୍କୁ ଉଦ୍ଧାର କରି ବୁଗୁଡା ନିକଟସ୍ଥ ଭାବ ମହାନ୍ତିଙ୍କ ଫାର୍ମ ହାଉସ କୁ ନେଇ ନିଜେ ସଭାପତି ଶ୍ରୀ ପଣ୍ଡା ମୁଣ୍ଡର ଛୁଟି ଓ ଦାଢ଼ି କାଟି ଗାଧୋଇବା ସହ ନୂତନ ପେଣ୍ଟ ସାର୍ଟ ପରିଧାନ କରାଇ ଶଶୀ ମେହେଟା ଙ୍କ ପରିଚୟ ସୃଷ୍ଟି କରିଥିଲେ। ପାଗଳରୁ ଶଶୀ ମେହେଟା ଭାବେ ପରିଚିତ ହୋଇଥିବା ବେଳେ ଶଶୀଙ୍କୁ ବୁଗୁଡ଼ାରୁ ଭୁବନେଶ୍ୱର ନେଇ ନୀଳାଚଳ ସେବା ପ୍ରତିଷ୍ଠାନରେ ଥଇଥାନ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ