ପରିଣତ ବୟସରେ ଗୋପୀନାଥଙ୍କ ବୃକ୍ଷରୋପଣ ନିଶା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗରର ବଂଶଧାରା ନଦୀ ତଟରେ ଥିବା ଠାକୁରାଣୀ ମନ୍ଦିର ବେଢାରେ ବିଭିନ୍ନ କିସମର ୫୦ଗୋଟି ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷରୋପଣ କରିଥିଲେ ମୃତ୍ତିକା ସଂରକ୍ଷଣ ବିଭାଗର ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ଗୋପୀନାଥ ଚୌଧୁରୀ । ପରିଣତ ବୟସରେ ମଧ୍ୟ ବୃକ୍ଷରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ ହେଉଛି ତାଙ୍କ ନିଶା । ଗୋଟିଏ ମଣିଷ ପାଇଁ ଗୋଟିଏ ଗଛ ଲଗାଇବା ତାଙ୍କ ଲକ୍ଷ୍ୟ । ତେଣୁ ଯେତେ ଅଧିକ ସମ୍ଭବ ଗଛ ଲଗାଇବାରେ ମନ ନିବେଶ କରିଛନ୍ତି । ସେ ଏଥି ପୂର୍ବରୁ କାଶୀନଗର ବ୍ଲକର ହରିପୁର ଗ୍ରାମ ଏନ୍ଏସିର ନୂଆଁ କାଶୀନଗର, ସ୍ଥାନୀୟ ପୋଲିସଷ୍ଟେସନ, ସହରରେ ଥିବା ଠାକୁରାଣୀ ମନ୍ଦିର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଛ ଲଗାଇ ସେହି ଗଛ ଗୁଡିକ କିପରି ବଞ୍ଚିବେ ସେଥି ପ୍ରତି ଗୁରୁତ୍ୱ ଦେଇ ଆସୁଛନ୍ତି । ଏନେଇ ଶ୍ରୀଚୌଧୁରୀଙ୍କୁ ପଚାରିବାରୁ କହିଛନ୍ତି ସେ ଯାହା ହେଲେ ମଧ୍ୟ ବୃକ୍ଷ ଲଗାଇବାର ନିଶା ମୋର ରହିଛି । ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଚାଲୁ ରହିବ । ବୃକ୍ଷରୋପଣ ପାଇଁ ସ୍ଥାନୀୟ ଜନପ୍ରତିନିଧି, ଫରେଷ୍ଟ ବିଭାଗର ଉଚ୍ଚ ପଦାଧିକାରୀ ତାଙ୍କୁ ଅଧିକ ଉତ୍ସାହ ଯୋଗାଇ ଦେଉଥିବାରେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ କରିଛନ୍ତି ଯେ, ଆସନ୍ତୁ ସମସ୍ତେ ଜଣେ ଜଣେ କରି ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏହାକୁ ବଞ୍ଚାଇ ରଖି ସୁସ୍ଥ ପରିବେଶ କରିବାରେ ସହାୟକ ହେବା ।