ପରିତ୍ୟକ୍ତ କୂଅରୁ ହାତୀଛୁଆ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଗୋଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲର ପକାରୀ ପଞ୍ଚାୟତର ଜିରିଙ୍ଗପଡ଼ା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‍ ଗତ କାଲି ସନ୍ଧ୍ୟାରୁ ହିଁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ୪ ଘଣ୍ଟାର ରେସକ୍ୟୁ ଅପରେସନ୍‍ ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିଲା। ଏହି ହାତୀ ଛୁଆଟିର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ରେଞ୍ଜର କହିଛନ୍ତି। ୧୫ରୁ ୨୦ଟି ହାତୀ ଥିବା ଏକ ହାତୀପଲ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଚଳପ୍ରଚଳ କରୁଥିବା ବେଳେ ଜିରିଙ୍ଗପଡ଼ା ଗାଁ ନିକଟ ଏକ ବିଲମାଳିଆରେ ଥିବା ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡ଼ିଯାଇଥିଲା।ଚେଷ୍ଟା କରିବା ସତ୍ତ୍ବେ ଆଉ ଉପରକୁ ଉଠିପାରିନଥିଲା ହାତୀଛୁଆଟି। ହାତୀପଲ କିଛି ସମୟ ରହିବା ପରେ ଚାଲିଯାଇଥିଲେ। ଏହାପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ବନ ବିଭାଗ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ସହାୟତାରେ କୂଅର ଗୋଟିଏ ପାର୍ଶ୍ବ ଖୋଳିବା ସହିତ ହାତୀ ଯିବା ପାଇଁ ରାସ୍ତା କରାଯାଇଥିଲା। ଏହାପରେ ହାତୀ ଉପରକୁ ଆସିବା ସହିତ ଜଙ୍ଗଲକୁ ଚାଲିଯାଇଥିଲା। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାଇକିଆ ରେଞ୍ଜର ବଡବାରଦା ଠାରେ ମଧ୍ୟ ଏପରି ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ପଡ଼ିଯାଇଥିଲା ଏବଂ ବହୁ କଷ୍ଟରେ ଏହାକୁ ସେଠାରୁ ମଧ୍ୟ ଉଦ୍ଧାର କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ