ପରିତ୍ୟକ୍ତ କୋଠରୀରେ ସରକାରୀ ପାଠ୍ୟପୁସ୍ତକ ବର୍ଷାରେ ଭିଜି ଉଇ ଧରିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମା ଠାରେ ଥିବା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଅବହେଳିତ ଭାବେ ରହିଛି. ଏହି ବିଦ୍ୟାଳୟର ପରିତ୍ୟକ୍ତ ଓ ଭଙ୍ଗା କୋଠରୀରେ ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଯୋଗାଣ ହୋଇଥିବା ବହିଗୁଡିକୁ ରଖାଯାଇଛି. ବର୍ଷା ଯୋଗୁଁ ଭଙ୍ଗା କୋଠରୀରେ ବହି ଗୁଡିକ ଭିଜି ଯିବା ସହ ଉଇ ଲାଗିଯାଇଛି. ଆଗାମୀ ଶିକ୍ଷା ବର୍ଷରେ ମୋହନା ବ୍ଲକରେ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଅଭାବ ଦେଖାଦେବା ଏଥି ନେଇ ନିଶ୍ଚିତ ହୋଇପଡିଛି. ସରକାରଙ୍କ ପକ୍ଷରୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ହେଉଥିବା ବେଳେ ଏହାକୁ ଏବେ ଅସୁରକ୍ଷିତ ଅବସ୍ଥାରେ ରଖାଯାଇଥିବା ଦେଖିବାକୁ ମିଳିଛି। ମୋହନା ବ୍ଳକ୍ର ବିଭିନ୍ନ ବିଦ୍ୟାଳୟକୁ ଯୋଗାଣ ହୋଇଥିବା ନୂତନ ବହିଗୁଡ଼ିକୁ ଏବେ ମୋହନା ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ପରିତ୍ୟକ୍ତ ଭଙ୍ଗା କୋଠରିରେ ରଖାଯାଇଛି। କୋଠରିର ଆଜବେଷ୍ଟସ୍ ଭାଙ୍ଗିଯାଇଥିବା ଯୋଗୁଁ ବହି ଗୁଡ଼ିକ ବର୍ଷା ପାଣିରେ ଭିଜୁଛି। ଏଥିସହ ଅଧିକାଂଶ ବହି ଉଈ ଖାଇଗଲାଣି। ଏନେଇ ଶିକ୍ଷାବିଭାଗ ଅଧିକାରୀ ନିରବଦ୍ରଷ୍ଟା ସାଜିଥିବା ବେଳେ ସରକାରୀ ଅର୍ଥ ଅପବ୍ୟୟ ସହ ଆଗାମୀ ଶିକ୍ଷାବର୍ଷରେ ପିଲାଙ୍କ ପାଠ୍ୟପୁସ୍ତକ ଅଭାବ ଏକ ପ୍ରକାର ନିଶ୍ଚିତ ଜଣାପଡୁଛି । ଏଭଳି ସ୍ଥିତିରେ ତୁରନ୍ତ ଏହାର ପ୍ରତିକାର ଦାବି ହୋଇଛି। ଅନ୍ୟପଟେ ମୋହନା ସଦରମହକୁମାରେ ଥିବା ଏହି ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ୧୨୫ ବର୍ଷର ଅତି ପୁରାତନ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପରେ ଅଷ୍ଟମଶ୍ରେଣୀ ସାମିଲ ହୋଇଛି । ବିଦ୍ୟାଳୟ ସ୍ଥାପନ ହେବା ଠାରୁ ରହିଥିବା ଶ୍ରେଣୀଗୃହ ସେହି ଆଜବେଷ୍ଟସ୍ ଘରେ ହିଁ ମରାମତି କରି କାମ ଚଳାଯାଉଛି। ତିନୋଟି ପକ୍କା ଘର ରହିଥିଲେ ବି ୮ଟି ଶ୍ରେଣୀ ଯୋଗୁଁ ଶ୍ରେଣୀଗୃହ ସମସ୍ୟା ଦେଖାଦେଉଛି। କିଛିଦିନ ତଳେ ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ଏହି ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ଭିତରେ ଗୋଟିଏ ବର୍ଷ ବିତିଲାଣି ପିଲାଙ୍କ ଖେଳକୁଦ ପାଇଁ ଖେଳପଡ଼ିଆ ମଧ୍ୟ ନାହିଁ । ଏହିସବୁ ସମସ୍ୟା ତୁରନ୍ତ ସମାଧାନ ହେଲେ ହିଁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି ।