ପରିବର୍ତ୍ତନଶୀଳ ଗଣମାଧ୍ୟମରେ ମିଥ୍ୟା ଖବରର ସ୍ଥାନ ନାହିଁ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ବ୍ରହ୍ମପୁର ସହରର ଡାଇମଣ୍ଡ ଜୁବୁଲି ଟାଉନ୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏବଂ ବ୍ରହ୍ମପୁର ପ୍ରେସ କ୍ଲବ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ନିଜର ବକ୍ତବ୍ୟରେ କିପରି ସମୟ ସହିତ ତାଳ ଦେଇ ଗଣମାଧ୍ୟମ ପ୍ରକୃତି ପରିବର୍ତ୍ତନ ହୋଇ ଚାଲିଛି ତାହାରି ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ଅବସରରେ ଡା.ସର୍ବଣା ଦେଶରେ ଗଣମାଧ୍ୟମ ମଧ୍ୟ ସାମ୍ୱାଦିକଙ୍କ ରୁଚି ଅନୁଯାୟୀ ଖବର ପରିବେଷଣର ବିଭିନ୍ନ ବିଭକ୍ତିକରଣ ଉପରେ ଆଲୋକପାତ କରିବା ସହ ସ୍ୱାଧିନତା ପୂର୍ବରୁ ଗଣମାଧ୍ୟମକୁ କିଭଳି କଣ୍ଠରୋଧ କରିବାକୁ ପ୍ରୟାଶ ହୋଇଥିଲା ଏବଂ ସେହି ସମୟର କାର୍ଯ୍ୟ ଉପରେ ବ୍ୟାଖ୍ୟା କରିବା ସହ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ ହେବା ଏବଂ ତାହାର ପ୍ରଭାବ ଉପରେ ତଥ୍ୟଭିତ୍ତିକ ଉପସ୍ଥାପନା କରିଥିଲେ । ଏଥିସହ ପରିବର୍ତ୍ତନଶୀଳ ଗଣମାଧ୍ୟମରେ ମିଥ୍ୟା ଖବରର ସ୍ଥାନ ନାହିଁ ବୋଲି କହିଥିଲେ । ଏଥିସହ ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ୱାଦିକ କାର୍ଯ୍ୟ ଏବଂ ସାମ୍ୱାଦିକର ମୌଳିକ ନୀତିକୁ ଆଧାର କରି ଜନସାଧାରଣଙ୍କ ନିକଟରେ ଯେପରି ସତ୍ୟ , ବସ୍ତୁନିଷ୍ଠ , ସଠିକ୍ ଓ ନିରପେକ୍ଷ ସୂଚନା ପହଞ୍ଚାଇବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତାଗୀର ଯୋଗ ଦେଇ ସମୟ ପରିବର୍ତ୍ତନ ସହ ଗଣମାଧ୍ୟମର ମଧ୍ୟ ପରିବର୍ତ୍ତନ ଘଟିବା ଏବଂ ଏପରି ଜାତୀୟ ପ୍ରେସ ଦିବସ ପାଳନର ଅନେକ ଗୁରୁତ୍ୱ ବହନ କରୁଥିବା ନିଜର ବକ୍ତବ୍ୟରେ ଜଣାଇଥିଲେ । ଦକ୍ଷିଣାଞ୍ଚଳ ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ ରବି ନାରାୟଣ ବେହେରା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ୱାଧିନ ଓ ମୁକ୍ତ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଅନ୍ୟତମ । ଗଣମାଧ୍ୟମ ଚତୁର୍ଥସ୍ତମ୍ଭ ସତର୍କ ପ୍ରହରୀ ଭାବରେ କାର୍ଯ୍ୟ କରୁଛି ।
ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ନିଜ ବକ୍ତବ୍ୟରେ ସମାଜକୁ ଦିଗ୍ ଦର୍ଶନ ଦେବା ସମସ୍ତ ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ । ଯୁଗ ସହିତ ତାଳ ଦେଇ ଗଣମାଧ୍ୟମ ପରିବର୍ତ୍ତନ ହେଉଛି ଏଣୁ ଜନସାଧାରଣଙ୍କ ଚିନ୍ତାଧାରକୁ ପାଥେୟ କରି ଗଣମାଧ୍ୟମର ମଧ୍ୟ ପରିବର୍ତ୍ତନ ଘଟୁଥିବା କହିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ ନିଜର ଅଭିଭାଷଣରେ ନିର୍ଭକ ଓ ନିରପେକ୍ଷ ସାମ୍ୱାଦିକତା ଆଜିର ଦିନର ପ୍ରାୟ ଦୁର୍ଲଭ । ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ ହେବ କହିବା ସହ ସାମ୍ୱାଦିକଙ୍କ ପାଇଁ ସୁରକ୍ଷା ଆଇନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ଇଟିଭି ଭାରତ ବରିଷ୍ଠ ସାମ୍ୱାଦିକ ତାଙ୍କ ଅଭିଭାଷଣରେ ଦେବର୍ଷି ନାରଦଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଘଟିଛି । ଆଜିର ଇଣ୍ଟରନେଟ୍ ଯୁଗରେ ଗଣମାଧ୍ୟମ ସମସ୍ତଙ୍କର ଉନ୍ନତି ନିମନ୍ତେ ସଠିକ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିବା ସହ ଚତୁର୍ଥସମ୍ଭ ଭାବେ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏପରିକି ଶାସନ ବ୍ୟବସ୍ଥାରେ ସ୍ୱସ୍ଥତା , ସମାଜରେ ନୈତିକତା ବଜାୟ ରଖିବା ଗଣମାଧ୍ୟମର ବଡ କର୍ତ୍ତବ୍ୟ ବୋଲି କହିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକ ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ବନ୍ଦିତା ପଣ୍ଡା ନିଜର ବକ୍ତବ୍ୟରେ ଆଜିର ପିଢି ସ୍ୱଳ୍ପ ସମୟରେ ସଂକ୍ଷିପ୍ତ ଆକାରରେ ଖବର ପାଇବାକୁ ଇଛୁକ । ଏଣୁ ଡିଜିଟାଲ ନ୍ୟୁଜ୍ ଉପରେ ଗୁରୁତ୍ୱଦେବାକୁ ସେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ଅମର ପ୍ରସାଦ ବିଷୋୟୀ ଯୋଗ ଦେଇ ନିଜର ବକ୍ତବ୍ୟରେ ପ୍ରତେକ ଦେଶରେ ଗଣମାଧ୍ୟମ ହେଉଛି ପଚ୍ଛଦ ପଟ୍ଟର ନାୟକ । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ । ଆମେରିକାର ରାଷ୍ଟ୍ରପତି ମାତ୍ର ଚାରି ବର୍ଷ ପାଇଁ ଶାସନ କରନ୍ତି କିନ୍ତୁ ସେଠାକାର ଗଣମାଧ୍ୟମ ସାରା ଜୀବନ ଶାସନ କରିଥାଏ ବୋଲି କହିବା ସହିତ ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସମସ୍ତ କାର୍ଯ୍ୟରେ ଯେ ମଧ୍ୟସ୍ଥତା କରିଥାନ୍ତି ସେ ହିଁ ଗଣମାଧ୍ୟମ ବୁଝାଏ ବୋଲି କହିଥିଲେ । ବର୍ତ୍ତମାନର ପରିବେଶ ଓ ପରିସ୍ଥିତିକୁ ନେଇ ଗଣମାଧ୍ୟମର ମଧ୍ୟ ପରିବର୍ତ୍ତନ ଘଟିଛି । ଗଣମାଧ୍ୟମର ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମ ସମସ୍ତଙ୍କର ଲକ୍ଷ୍ୟ ଏକ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଶାନ୍ତ ସାବତ ନିଜର କଲମ ମୁନକୁ ଦେଶ ଓ ଜାତିର କଲ୍ୟାଣ ପାଇଁ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ସମସ୍ତେ ନିଜକୁ ସାମିଲ କରିବା ଉଚିତ ବୋଲି ନିଜର ମତ ରଖିଥିଲେ । ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ ଏହି ଅବସରରେ ଗଣତନ୍ତ୍ରର ସୁଦୃଢ ପାଇଁ ଜନସାଧାରଣଙ୍କ ସମସ୍ୟା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ କାର୍ଯ୍ୟ କରୁଥିବା ଏବଂ ସାମାଜିକ ସୁରକ୍ଷା ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ଆଲୋକପାତ କରିଥିଲେ ।
ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଦୀର୍ଘ ବର୍ଷ ଧରି ଗଣମାଧ୍ୟମରେ କାର୍ଯ୍ୟ କରି ଆସୁଥିବା ବରିଷ୍ଠ ସାମ୍ୱାଦିକ ନରସିଂହ ସାହୁ , ଏ.ରାଜା ରାଓ , ସୁନୀଲ ମୋହନ ପଟ୍ଟନାୟକ ଓ ହୃଷିକେଶ ମହାନ୍ତିଙ୍କୁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିସହ ପୂର୍ବରୁ ଛତ୍ରପୁର ପ୍ରେସ କ୍ଲବ ଏବଂ ବ୍ରହ୍ମପୁର ପ୍ରେସ କ୍ଲବ ମଧ୍ୟରେ ଆୟୋଜିତ ହୋଇସାରିଥିବା ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟମ୍ୟାଚ୍ ରେ ବିଜୟ କରିଥିବା ଛତ୍ରପୁର ପ୍ରେସ କ୍ଲବ କୁ ଏବଂ ରନର ଭାବରେ ବ୍ରହ୍ମପୁର ପ୍ରେସ୍ କ୍ଲବକୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରେସ କ୍ଲବ ବ୍ରହ୍ମପୁରର ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଡି. ଗୋପାଳକୃଷ୍ଣ ରେଡି , କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା , ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜଳ୍ଳନ ପୂର୍ବକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବି, ଶିକ୍ଷାବିତ , ଗଣମାଧ୍ୟମ ପ୍ରତିନିଧି ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ