ପରିବର୍ଦ୍ଧିତ ରୋଟାରୀ ଚିକିତ୍ସାଳୟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ ଚକ୍ଷୁ ଓ ଦନ୍ତ ଚିକିତ୍ସାଳୟର ପରିବର୍ଦ୍ଧିତ ବିଲ୍ଡିଂ ଶନିବାର ଅପରାହ୍ଣରେ ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ବିଲ୍ଡିଂକୁ ମିଳିତ ଉଦଘାଟନ କରିଥିଲେ । ସମାଜସେବା କ୍ଷେତ୍ରରେ ରୋଟାରୀ ଅନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ନୂତନ ବିଲ୍ଡିଂ ଚକ୍ଷୁ ଓ ଦନ୍ତରୋଗୀଙ୍କ ପାଇଁ ସହାୟକ ହେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ରୋଟାରୀ ୩୨୬୨ ଜିଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବା ଭଳି ଚକ୍ଷୁ ଓ ଦନ୍ତ ଚିକିତ୍ସା କ୍ଷେତ୍ରରେ ବାଲେଶ୍ୱର ରୋଟାରୀ କ୍ଲବର କାର୍ଯ୍ୟଧାରା ପ୍ରଶଂସନୀୟ ବୋଲି କହିଥିଲେ । ଜିଲା ସଭାପତି ଇଂ. ସୌରଭ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଚେୟାରମ୍ୟାନ ମାତୃଦତ୍ତ ଦାସ ଉପସ୍ଥିତ ରହି ହସପିଟାଲରେ ଜନସାଧାରଣଙ୍କ ସୁବିଧା ସୁଯୋଗ ନେଇ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ସେବାମୂଳକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦକ ସୁଖମୟ ଦାସ କ୍ଲବର ସମାଜସେବା ମୂଳକ କାର୍ଯ୍ୟଧାରା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ବାଲେଶ୍ୱର ରୋଟାରୀ କ୍ଲବ ସମେତ ଜିଲାର ଅନ୍ୟାନ୍ୟ ରୋଟାରୀ ଉଇଙ୍ଗ୍‍ସର କର୍ମକର୍ତ୍ତା ଓ ବହୁ ସଦସ୍ୟ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ