ପରିବହନ ଟ୍ରାଫିକ୍ ନିୟମ ଏକ ସମସ୍ୟା ନୁହେଁ ଏହା ଏକ ଚିନ୍ତନ !
ଆଜି ସମଗ୍ର ଭାରତ ବର୍ଷରେ ଟ୍ରାଫିକ୍ ନିୟମକୁ ନେଇ ବହୁ ବାଦାନୁବାଦ ବଢିଚାଲିଛି । କିଏ ବିରୋଧ କରୁଛିତ କିଏ ସମର୍ଥନ କରୁଛି । ଏହା ସତ୍ୟଯେ, ଗୋଟିଏ ପୁରୁଣା ନିୟମକୁ ରଦ୍ଧ କରାଯାଇ ଯେ କୌଣସି ନୂଆ ନିୟମକୁ ଲାଗୁ କରିବାକୁ ହେଲେ ଜନ କଲ୍ୟାଣକାରୀ ସରକାର କିଛି ଚିନ୍ତା କରିବା ଦରକାର । ଜନ ଜୀବନର ମାନସିକତା କୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ୍ । ଲୋକଙ୍କ ଉପରେ ହଠାତ କୌଣସି ଆଇନକୁ ଲଦି ଦିଆଯିବା ଉଚିତ୍ ନୁହେଁ । କାରଣ ଭାରତବର୍ଷରେ ଶତାଧିକ ଆଇନ କାନୁନ ସମ୍ପର୍କରେ ଶତକଡ଼ା ପ୍ରାୟ ଷାଠିଏ ସତୁରୀ ଭାଗ ଲୋକ ଅଜ୍ଞ । ଏପରିକି ଆଇନ୍ ପାଠ ପଢ଼ିନଥିବା ଏବଂ ନିଜକୁ ଉଚ୍ଚ ଶିକ୍ଷିତ ଓ ବିଜ୍ଞ ବୋଲି କହୁଥିବା ସଭ୍ୟସମାଜର ବୁଦ୍ଧିଜିବୀମାନେ ମଧ୍ୟ ଆଇନ୍ ସମ୍ପର୍କରେ ଅଜ୍ଞଥାନ୍ତି । ସେଥିପାଇଁ ତ ଆମ ଦେଶରେ ଆଇନର ପ୍ରକୃତ ତର୍ଜମା ହୋଇପାରିଛି ନାଁ ଠିକ୍ ଭାବେ ଆଇନ କାର୍ଯ୍ୟକାରୀ ହୋଇ ପାରୁଛି । ହଁ ଏହା ସତ୍ୟ ଯେ ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମ୍ଭମାନଙ୍କ ମଧ୍ୟରୁ ଅନେକ ଲୋକ ଆଇନକୁ ବୁଝିମଧ୍ୟ ନ ବୁଝିଲା ପରି ନିଜ ନିଜର ଗତାନୁଗତିକ ଚଳନୀ ଯୋଗୁଁ ଭୁଲ୍ କରି ବସନ୍ତି । ବେଳେବେଳେ ଭୁଲ୍ କଲା ପରେ ବି ନିଜର ଭୁଲ୍କୁ ସ୍ୱୀକାର ନକରି ଆଇନ ରକ୍ଷକ ମାନଙ୍କ ସହ ମତଭେଦ ହୋଇଥାଏ । ଏହି ଧାରା ଅବସ୍ୟ ଠିକ୍ ନୁହେଁ । ଅନେକ ସମୟରେ ମଧ୍ୟ ଆଇନ ରକ୍ଷକ ମାନେ ଲୋକ ମାନଙ୍କର ମାନସିକତାକୁ ବୁଝିବା ପାଇଁ ସମର୍ଥ ହୋଇନଥାନ୍ତି । ଫଳରେ ଆଇନ ସମ୍ପର୍କରେ ଯେଉଁ ସଚେତନତା ସୃଷ୍ଟି ହେବା କଥା ତାହା ହୋଇ ପାରିନଥାଏ ଓ ଉଭୟ ଆଇନରକ୍ଷକ ଓ ଜନସାଧାରଣଙ୍କ ମଧ୍ୟରେ ଏକ ଉତ୍ତମ ଭାବ ଓ ସମ୍ପର୍କ ସୃଷ୍ଟି ପାଇଁ, ଆମ ସରକାର, ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ଅବସ୍ୟ ଉଦ୍ୟମ ଅବ୍ୟାହତ ରହିଛି । ଆମେ ଫେରିବା ମୂଳ ପ୍ରସଙ୍ଗକୁ । ନୂଆ ମୋଟର ଯାନ ଓ ଟ୍ରାଫିକ ନିୟମ ବଦଳିବା ପରେ ଜନଜୀବନର ସ୍ଥିତି, ଦୁସ୍ଥିତି କୁ ନେଇ ସରକାର, ପ୍ରଶାସନ, ପୋଲିସ ପ୍ରଶାସନର ଭୂମିକା ସାଂପ୍ରତିକ ସ୍ଥିତିରେ ବହୁ ଗୁରୁତ୍ୱ ବହନ କଲେ । ବଡ଼ ସହର, ଛୋଟ ସହର ଓ ଗ୍ରାମାଞ୍ଚଳ ଲୋକମାନଙ୍କର ମାନସିକତାକୁ ବୁଝି କିପରି ଭାବେ ଆଇନ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ସରକାର ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଉଛନ୍ତି । ଏଥିରେ କେହି ଦ୍ୱିମତ ହେବାର ପ୍ରଶ୍ନବି ଉଠୁନି । ଏଠାରେ ସ୍ୱଃତ ପ୍ରଶ୍ନ ଉଠେ! ଗ୍ରାମାଞ୍ଚଳ ଲୋକ ଓ ସହରାଞ୍ଚଳ ଲୋକମାନଙ୍କ ଚଳଣୀ ଓ ମାନସିକତାରେ ନିଶ୍ଚୟ ଭିନ୍ନତା ରହିଛି । ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଗ୍ରାମାଞ୍ଚଳ ଲୋକଟିଏ ସହରୀ ଲୋକମାନଙ୍କ ସହ ଚଳିବା କେତେ କଷ୍ଟକର ହୁଏ ତାହା ଅନୁଭବୀ ହିଁ କହିବ । ଏଥି ସହ ସହରର ଆଦବ କାଇଦା ଓ ଆଇନ କାନୁନ ସମ୍ପର୍କରେ ମଧ୍ୟ ସେ ଅଜ୍ଞ ଥାଏ । ତେଣୁ ସେମାନଙ୍କୁ ଅନେକ ସମୟରେ ନିଜର ଅଜ୍ଞତା ଯୋଗୁଁ ବହୁ ମୁଲ୍ୟ ଦେବାକୁ ପଡ଼ିଥାଏ । ସହରରେ ହଇରାଣ ହରକତ ହେବାକୁ ପଡ଼ିଥାଏ ଯେପରି ଗୋଟିଏ ସହରର ଲୋକ ଅନ୍ୟ ଅଜଣା ସହରକୁ ଗଲେ ମନରେ ଶଙ୍କା ଓ ଆଶଙ୍କା ଉପୁଜେ ଠିକ୍ ସେହି ପରି ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସ୍ଥିତି ସହରାଞ୍ଚଳରେ । ମାନବିକତା ଦୃଷ୍ଟି କୋଣରୁ ଏ ଦିଗରେ ମଧ୍ୟ ସହ ହୃଦୟତା ସହ ସରକାର ଓ ପ୍ରଶାସନ ବି·ରକରିବା ଉଚିତ୍ । ଏହାର ନିରାକରଣ ଲାଗି ଲୋକମାନଙ୍କର ମାର୍ଗ ଦର୍ଶକ ହେବା ଉଚିତ୍ । ଟ୍ରାଫିକ ନିୟମ ସମ୍ପର୍କରେ ପରିବହନ ବିଭାଗ ବିଶେଷ ଯତ୍ନବାନ ହେବା କଥା କିନ୍ତୁ ଆମ ଦେଶ କଥା ଛାଡନ୍ତୁ । ଆମେ ଆଲୋଚନା କରିବା ଆମ ରାଜ୍ୟ କଥା ଆମ ରାଜ୍ୟରେ ସହର ଅପେକ୍ଷା ଗ୍ରାମାଞ୍ଚଳ ଅଧିକ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସମନ୍ୱୟତା ରକ୍ଷା କରି ଆଇନକୁ କାର୍ଯ୍ୟକାରୀ କରିବା ଲୋକପ୍ରିୟ ସରକାରଙ୍କ ର ନୈତିକ କର୍ତ୍ତବ୍ୟ । ସୌଭାଗ୍ୟର କଥା ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଜନସାଧାରଣ ତାଙ୍କ ପ୍ରତି ଯେଉଁ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଛନ୍ତି ତାହା ବିଶ୍ୱ ଇତିହାସରେ ନିଶ୍ଚୟ ଏକ ସ୍ୱତନ୍ତ୍ର ପୃଷ୍ଠାମଣ୍ଡନ କରିପାରିଛି । ଶାସନ କ୍ଷେତ୍ରରେ ବହୁ ତୃଟି ବ୍ୟୁଚିତ ରହିବା ସ୍ୱଭାବିକ । କିନ୍ତୁ ସେଥିରେ ସୁଧାର ଅଣାଯାଇ ସଫଳତାର ପାହାଚ ଅତିକ୍ରମ କରିବା ଉଚିତ୍ । ଯାହାକି ଆଜି ସରକାରଙ୍କ ପକ୍ଷରେ ସମ୍ଭବ ହୋଇ ପାରିଛି ।
ଓଡ଼ିଶାର ରାଜଧାନୀକୁ ରାଜ୍ୟର ଜନସାଧାରଣ ଦୈନଦୀନ ବିଭିନ୍ନ କାର୍ଯ୍ୟ ନେଇ ଯିବା ଆସିବା କରିବା ଏକ ସ୍ୱଭାବିକ ଘଟଣା । କିନ୍ତୁ ଆମ ରାଜଧାନୀର ଆଇନ କାନୁନ ସମ୍ପର୍କରେ ଅଜ୍ଞଥିବା ଜନଜୀବନକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହା ନିଶ୍ଚୟ ଆଲୋଚନାର ବିଷୟ ବସ୍ତୁ । ହଁ ଏହା ସତ୍ୟ ଘଟଣାଯେ ନୂଆ ଟ୍ରାଫିକ୍ ଆଇନ ଲାଗୁ ହେବା ପରେ ବହୁ ବାଦ ବିବାଦ ଘଟଣା ମାନ ଘଟିଯାଇଛି । ତଥାପି ଆଇନ ନିଶ୍ଚୟ କାର୍ଯ୍ୟକାରୀ ହେବା ଉଚିତ୍ । ଏଥିଲାଗି ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଓ ବାଣିଜ୍ୟ ଓ ପରିବହନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ । ପରିବହନ ବିଭାଗର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପୋଲିସ ବିଭାଗ ମଧ୍ୟ ଲୋକମାନଙ୍କର କଲ୍ୟାଣଲାଗି ଚିନ୍ତା କରିବା ଉଚିତ୍ । ଏଥି ସହିତ ଜନସାଧାରଣ ମଧ୍ୟ ଆଇନକାନୁନ୍ କୁ ସମ୍ମାନ ଜଣାଇ ସହଯୋଗର ହାତବଢାଇବା ପାଇଁ ସଂକଳ୍ପ ବଦ୍ଧ ହେବା ଉଚିତ୍ । ଜନସାଧାରଣଙ୍କ ମଙ୍ଗଳପାଇଁ ଓଡ଼ିଶାର ଦକ୍ଷ ପୋଲିସ ଡିଜି ଶ୍ରୀ ସତ୍ୟଜିତ୍ ମହାନ୍ତି ଓ କମିଶନରେଟ ପୋଲିସର ଦକ୍ଷ ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ ସମେତ ସମସ୍ତ ଦକ୍ଷ ପୋଲିସ ଉଚ୍ଚ ପଦାଧିକାରୀ ଓ କର୍ମଚାରୀ ମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଯୋଗୁ ଉପୁଜୁଥିବା ସମସ୍ୟା ଗୁଡ଼ିକର ନିଶ୍ଚୟ ସମାଧାନ ହୋଇପାରିବ । ଜନ ସାଧାରଣ ମଧ୍ୟ ପୋଲସି ବିଭାଗ ପ୍ରତି ବିଶ୍ୱାସ, ସମ୍ମାନ ଓ ଆସ୍ଥା ପ୍ରକଟ କରିବା ଉଚିତ୍ । ପରିବହନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ଉଚିତ୍ । ଲୋକମାନଙ୍କୁ ସଚେତନ କରାଇବାକୁ, ପ୍ରଚାରପତ୍ର, ସାଧାରଣ ସଭା, ପଥପ୍ରାନ୍ତ ନାଟକ ଓ ସଭା ସମିତି, ମାଧ୍ୟମରେ ହେଉ ବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଟ୍ରାଫିକ ଶିକ୍ଷା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଟ୍ରାଫିକ ସଚେତନତା ସହ ପରିବହନ ବିଭାଗର ନୂତନ ଆଇନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯିବା ଉଚିତ୍ । ଏହି ପରି ପ୍ରେଖିରେ ଗଣମାଧ୍ୟମ ଗୁଡ଼ିକର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବୈଦ୍ୟୁତିକ ଗଣମାଧ୍ୟମ, ଛାପାଗଣ ମାଧ୍ୟମ ଗୁଡ଼ିକର ଯଦି ଭାବନା ଥାଏ ଯେ ଜନମଙ୍ଗଳ ରାଷ୍ଟ୍ରରେ ଖାଲି ସରକାର ଓ ପ୍ରଶାସନର ଦାୟିତ୍ୱ ରହିଛି । ଆଉ ଗଣମାଧ୍ୟମ ଗୁଡ଼ିକର ଜନସାଧାରଣଙ୍କ ପ୍ରତି ଯେପରି କୌଣସି ଦାୟିତ୍ୱ ନାହିଁ । କିନ୍ତୁ ଏପରି ଭାବ ଓ ଭାବନା ରଖିବା ଉଚିତ୍ ନୁହେଁ । ଗଣମାଧ୍ୟମ ଗୁଡ଼ିକର ମଧ୍ୟ ସମାଜ ଓ ଜନ କଲ୍ୟାଣ ପାଇଁ କିଛି ତ୍ୟାଗ ଓ ନିଷ୍ଠା ରହିବା ଉଚିତ ନୁହେଁକି? ଆସନ୍ତୁ ଆମେ ଦେଶର କଥା ନୁହେଁ ଆମ ରାଜ୍ୟର କଥା ଏଠି ଆଲୋଚନା କରିବା । ଆମ ମାଟିମା, ଆମ ଭାଷା, ଆମ ସଂସ୍କୃତି, ଆମ ଲୋକ ମାନଙ୍କର, ଜନଜୀବନର କଥା କହିବାକୁ ଚେଷ୍ଟା କରିବା । ଆମ ରାଜ୍ୟର ଗଣମାଧ୍ୟମ ଗୁଡ଼ିକ ଖାଲି ନକରାତ୍ମକ କଥାକୁ ପ୍ର·ର ନକରି ତାହାକୁ ସକରାତ୍ମକ ଢଙ୍ଗରେ ଦୋଷ ତୃଟିକୁ ଲୋକ ଲୋଚନକୁ ଆଣିବା କ୍ଷେତ୍ରରେ ଗଣ ମାଧ୍ୟମଗୁଡ଼ିକରୁ ଯେତିକି ଗୁରୁଦାୟିତ୍ୱ ରହିଛି ଠିକ୍ ସେହିପରି କିପରି ସରକାରଙ୍କର ସକରାତ୍ମକ କଥାକୁ ଓ କାର୍ଯ୍ୟକୁ ମଧ୍ୟ ଲୋକ ଲୋଚନକୁ ଆଣିବା ଉଚିତ୍ । କିନ୍ତୁ ଆମ ରାଜ୍ୟର ସମ୍ବାଦପତ୍ରମାନଙ୍କର ଭୂମିକା ସମ୍ପର୍କରେ ଜନ ସାଧାରଣ ବେସ୍ ସଚେତନ ହୋଇଗଲେଣି । ଫଳରେ ଗଣ ମାଧ୍ୟମ ଗୁଡ଼ିକ ସହିତ ଜଡ଼ିତ ମଣିଷର ସାଂପ୍ରତିକ ସ୍ଥିତି, ପ୍ରଗତୀ ଓ ଦୁର୍ଗତୀ ବେଶ ଜଳ ଜଳ କରି ଦେଖାଯାଉଛି । ଗଣ ମାଧ୍ୟମ ଗୁଡ଼ିକ ପ୍ରତି ଜନସାଧାରଣଙ୍କ ନିଷ୍ଠା ଓ ଆସ୍ଥା ରହିବା ନିହାତି ଆବଶ୍ୟକ ତାହା ନହେଲେ ଗଣ ମାଧ୍ୟମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ । ଲୋକମାନେ ଯେତେବେଳେ ନିଜର ଅଜ୍ଞତା ଯୋଗୁ ଆଇନର ଜାଲରେ ପଡ଼ି କଲବଲ ହେଉଥିବା ବେଳେ ଗଣ ମାଧ୍ୟମ ଗୁଡ଼ିକ ନିଜ ତରଫରୁ ଲୋକମାନଙ୍କୁ ସଚେତନ କରାଇବା ଉଚିତ୍ । ସମାୟନୁକ୍ରମେ ଆବଶ୍ୟକସ୍ଥଳେ ଲୋକମାନଙ୍କର ମଙ୍ଗଳ ପାଇଁ ସହଯୋଗର ହାତ ବଢାଇବା ଉଚିତ୍ । ଫଳରେ ଗଣ ମାଧ୍ୟମଗୁଡ଼ିକ ପ୍ରତି ଲୋକମାନଙ୍କର ଯଥେଷ୍ଟ ସମ୍ମାନ ଓ ନିଷ୍ଠା ବୃଦ୍ଧି ପାଇବ । ଅବଶ୍ୟ ଏ କ୍ଷେତ୍ରରେ ଗଣ ମାଧ୍ୟମ ଗୁଡ଼ିକ ପକ୍ଷରୁ କିଛି କିଛି ମଙ୍ଗଳ କାର୍ଯ୍ୟ କରାଗଲେ ମଧ୍ୟ ତା ସମୁଦ୍ରକୁ ଶଙ୍ଖେ ପରି । ଗଣ ମାଧ୍ୟମଗୁଡ଼ିକ କେବଳ ସରକାରୀ ବିଜ୍ଞାପନ ଛାପିବା ସହିତ ନିଜ ତରଫରୁ ଲୋକମାନଙ୍କ କଲ୍ୟାଣ ଲାଗି ଉତ୍ସର୍ଗୀକୃତ ଭାବନା ନେଇ କେତେକ ସଚେତନଶୀଳ ବିଜ୍ଞାପନ ଛାପିବା ଉଚିତ୍ ନୁହେଁ କି ? ପରିବହନ ବିଭାଗ ମଧ୍ୟ ନିଜ କର୍ତ୍ତବ୍ୟ ପ୍ରତି ଆଖି ବୁଝିଦେବା ଉଚିତ୍ ନୁହେଁ । ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଟ୍ରାଫିକ ସଚେତନତା ଓ ପରିବହନ ବିଭାଗର ନୂତନ ଆଇନ ସମ୍ପର୍କରେ ସାଇନ୍ବୋର୍ଡ ମାନ ଲଗାଇବା ଉଚିତ୍ । ଟ୍ରାଫିକ୍ ସାଇନ୍ ବା ଚିହ୍ନ ଗୁଡ଼ିକ ସହ ଲୋକମାନଙ୍କୁ ପରିଚୟ କରାଇବା ଉଚିତ୍ । ଟ୍ରାଫିକ୍ ନିୟମ ସମ୍ପର୍କୀୟ ସମସ୍ତ ନିୟମାବଳୀ ଗୁଡ଼ିକର ପୂର୍ଣ୍ଣ ବୀବରଣୀ ଓ ସାଇନ୍ ବୋର୍ଡ ଗୁଡ଼ିକରେ ରହିବା ଉଚିତ୍ । ଫଳରେ ସାଧାରଣ ଲୋକଟିଏ ତାହା ପଢ଼ି ନିଜକୁ ସଚେତନ କରାଇପାରିବ । ଏଥି ସହିତ ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ହେଉ ବା ଛୋଟ ଓ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ହେଉ ସବୁଠାରେ ସାଇନ୍ବୋର୍ଡ ଗୁଡ଼ିକ ଲାଗଇବା ଉଚିତ୍ । ବିଭିନ୍ନ ସରକାରୀ କାଗଜପତ୍ର, ବିଭିନ୍ନ ରସିଦ, ବ୍ୟବସାୟ ପ୍ରତିଷ୍ଠାନ କ୍ୟାସ୍ମେମୋ ଗୁଡ଼ିକର ନିମ୍ନ ଭାଗରେ ବିଶେଷ ସୂଚନାରେ ଯଦି “ଟ୍ରାଫିକ୍ ନିୟମ ପାଳନ କରନ୍ତୁ । ନିଜକୁ ସୁରକ୍ଷିତ ରଖନ୍ତୁ ।” ପ୍ରଭୂତି ବିଭିନ୍ନ ପ୍ରକାର ଶ୍ଲୋଗାନ ଗୁଡ଼ିକ ଯଦି ଲେଖା ଯାଇ ପାରନ୍ତା । ତେବେ ନିଶ୍ଚୟ ଜନସାଧାରଣ ଉପକୃତ ହୋଇପାରନ୍ତେ ଓ ସାଇନ୍ବୋର୍ଡ ଦେଖି କିଛି ଶିଖି ପାରନ୍ତେ । ପ୍ରଚାର ପତ୍ର ମଧ୍ୟ ସଚେତନତା କ୍ଷେତ୍ରରେ ଗୁରୁତ୍ୱ ବହନ କରେ । ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାରୀ ନିୟମ ପାଳନ କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଭାବିବା ଉଚିତ୍ । ଆଜିବି ଜନସାଧାରଣ, ଲଣିଙ୍ଗ ଲାଇସେନ୍ସହେଉ କି ଡ୍ରାଇଭିଙ୍ଗ ଲାଇସେନ୍ସ ହେଉ, କି ଆର୍.ଟି.ଓ ଙ୍କ କାର୍ଯ୍ୟ ପରିଷରଭୁକ୍ତ ଓ ମୋଟର ଯାନ ସମ୍ପର୍କୀତ ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ରାଜଧାନୀର ଦୁଇଟି ଆର୍.ଟି.ଓ କାର୍ଯ୍ୟାଳୟ ହେଉ କି ବିଭିନ୍ନ ଜିଲ୍ଲାର ଆର୍.ଟି.ଓ କାର୍ଯ୍ୟାଳୟ ଗୁଡ଼ିକ ହେଉ ବର୍ତ୍ତମାନ ସବୁଠାରେ ସମାନସ୍ଥିତି । ଆଜି ନୂତନ ମୋଟର ଯାନ ନିୟମ ଲାଗୁ ହେବାପରେ ଆର୍.ଟି.ଓ କାର୍ଯ୍ୟାଳୟ ଗୁଡ଼ିକରେ ଶତାଧିକ ଲୋକମାନଙ୍କର ଲମ୍ବାଲାଇନ ଦେଖିବାକୁ ମିଳୁଛି । ଏଥିରୁ ପ୍ରତୀୟ ମାନ ହୁଏ ବହୁ ବ୍ୟକ୍ତି ଜାଣିଶୁଣି ଡ୍ରାଇଭିଙ୍ଗ ଲାଇସେନ୍ସ କରୁନଥିଲେ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ଜୀବନର ଏକ ଅଙ୍ଗ ଭାବେ ଭାବୁନଥିଲେ । ଅନେକ ଲୋକଙ୍କର ଡ୍ରାଇଭିଙ୍ଗ ଲାଇସେନସ୍ର ଅବଧି ପନ୍ଦର କୋଡ଼ିଏ ବର୍ଷ ଧରି ପୁରି ଯାଇଥିଲେ ବି ସେମାନେ ଲାଇସେନ୍ସ ରିନ୍ୟୁକରିବାକୁ ଖାମଖିଆଲି ଭାବେ ଭୁଲି ଯାଆନ୍ତି । ଏହି ନୂଆ ଆଇନ ଫଳରେ ସେମାନଙ୍କର ନିଦଭାଙ୍ଗିଯାଏ । ଏବଂ ତତ୍ପର ହୋଇ ଉଠନ୍ତି ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପାଇଁ । ଆମ ରାଜଧାନୀ କଥା କହିବାକୁ ଗଲେ ଦୁଇଟି ଆର୍ଟିଓ କାର୍ଯ୍ୟାଳୟ ଥାଇ ମଧ୍ୟ ହଜାର ହଜାର ଲୋକଙ୍କୁ ଆଜି ଲମ୍ବା ଲାଇନ୍ରେ ଠିଆ ହୋଇ ଯନ୍ତ୍ରଣା ଭୋଗ କରିବାକୁ ପଡୁଛି । ଏହି ସମସ୍ୟାକୁ ସରକାର ଦୃଷ୍ଟିରେ ରଖି ପଦକ୍ଷେପ ମାନ ଗ୍ରହଣ କରିବା ଉଚିତ୍ । ଭୁବନେଶ୍ୱର ଏକ ନମ୍ବର ଆର୍.ଟି.ଓ କାର୍ଯ୍ୟାଳୟର ଆର୍.ଟି.ଓ. ପ୍ରଦୀପ କୁମାର ମହାନ୍ତି ଓ ଭୁବନେଶ୍ୱର ଦୁଇ ଆର୍.ଟି.ଓ, କାର୍ଯ୍ୟାଳୟର ଆର୍.ଟି.ଓ ସଞ୍ଜୟ କୁମାର ବେହେରା ଲୋକମାନଙ୍କର ସମସ୍ୟା ଗୁଡ଼ିକ ସାମଧାନ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ରାଜଧାନୀ ସମେଜ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଭୁବନେଶ୍ୱରରେ ପରିବହନ ବିଭାଗ ସମ୍ପର୍କୀୟ କାର୍ଯ୍ୟ କରିବା ପାଇଁ ଆସୁଥିବାରୁ ଦୁଇଟି ଯାକ ଆର୍.ଟି.ଓ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ହେଉଥିବାରୁ ଉଭୟ ଲୋକ ଓ ପ୍ରଶାସନ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ କ୍ଷେତ୍ରରେ କ’ଣ ବିକଳ୍ପ ବ୍ୟବସ୍ଥା ଓ ପଦକ୍ଷେ ନିଆଯାଇ ପାରିବ ସେଥିଲାଗି ଅଧିକ ଚିନ୍ତା କରିବା ଉଚିତ୍ ଏବଂ ଏଥି ସହ ଲୋକମାନଙ୍କ ସୁବିଧା ପାଇଁ ଯେଉଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି ତାହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ଅନ୍ଲାଇନ୍ କରିବା ପରେ ସେଠାରୁ ପେପର ନେଇ “ଦାସେ ଆଇଲେ ମୂଳରୁ ଗା” ପରି ପୁଣି ସେହି ଲମ୍ବା ଧାଡ଼ିରେ ଛଡ଼ିା ହୋଇ ଟଙ୍କା ଜମା ଦେବାକୁ ପଡୁଥିବାରୁ ଅନ୍ଲାଇନ୍ ବ୍ୟବସ୍ଥା ଦ୍ୱାରା ଲୋକମାନେ କିପ୍ରକାର ସୁବିଧା ପାଇ ପାରିଲେ ବୋଲି ଲୋକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତରେ ଏହା ଏକ ଭେଳିକି ଭଳି ମନେହୁଏ ଏବଂ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଅନ୍ଲାଇନ୍ ସେଣ୍ଟର ଗୁଡିକ ନିକଟରେ ଆର.ଟି.ଓ ପକ୍ଷରୁ ପେମେଣ୍ଟ କାଉଁଣ୍ଟର ମାନ ଖୋଲାଯାଇ ପାରିଲେ ଲୋକମାନେ ହଇରାଣ ହରକରତରୁ ରକ୍ଷା ପାଇପାରନ୍ତେ ।
ହଳଧର ଧୀର
ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର