ପରିବାରେ ମହଙ୍ଗା ମାଡ଼ ଖାଉଟି ହତାଶ ବେପାରୀ ଚିନ୍ତାରେ

ହିଞ୍ଜିଳିକାଟୁ, (ୱାଇଏନଏସ): ପରିବାରେ ମହଙ୍ଗା ମାଡ଼ । ବାହାଘର ମାସକୁ ପରିବାର ଅଭାବ ମୂଲ୍ୟକୁ ଦୁଇଗୁଣାରୁ ଅଧିକ କରିଛି । ପରିବା ମହଙ୍ଗା ସବୁ ସ୍ଥରକୁ ପ୍ରଭାବିତ କରିଛି । ଘର ପାଇଁ ବ୍ୟାଗଟିଏ ଧରି ଖାଉଟି ପରିବା ବଜାରକୁ ଯାଉଥିଲେ ହେଁ ପରିବାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଥିବା ଶୁଣି ମୁଣ୍ଡରେ ହାତ ଦେଉଛି । ଯଦିବା କିଛି ଆଣୁଛି, ତେବେ ଥିଲା ବାଲାର ୫ ଶହ ଟଙ୍କାରେ ବ୍ୟାଗ ପୁରୁନି । ଗରୀବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ ପରିବା ଦର ଶୁଣି ମୁଣ୍ଡକାନ ଆଉଁଶି ଦେଉଛନ୍ତି । ବେପାରୀ ମାନେ ବି ପରିବା ମୂଲ୍ୟକୁ ନେଇ ଚିନ୍ତାରେ । ଚଢା ମୂଲ୍ୟରେ ଆଣି ଲାଭ ରଖି ଖାଉଟିଙ୍କୁ ବିକ୍ରି କରିବାକୁ ଡ଼ରୁଛି ।ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବା ପରେ ଏହାକୁ ରୋକିବା ଲାଗି ସରକାର ବହୁ କଟକଣା ଜାରୀ କରିଛନ୍ତି ଏବଂ ଏହାର ପ୍ରତିକାର ସକାଶେ ବହୁବିଧି ପଦକ୍ଷେପ ମଧ୍ୟ ଗ୍ରହଣ କରି ଆସୁଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ମନା । ଦୀର୍ଘ ୩ମାସରୁ ଅଧିକ ଦିନ ଧରି ଲକଡ଼ାଉନ ଚାଲିଥିବା ଯୋଗୁଁ ଲୋକ କାମଧନ୍ଦା ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ପାଖରେ ପଇସାଟିଏ ନାହିଁ । ଯାହା କିଛି ଥିଲା କଷ୍ଟେମଷ୍ଟେ ଚାଲିଥିଲା । ଜିବୀକା ନଥିବା ବେଳେ ଅଭାବ ଅନଟନ ଭାରି ବାଧୁଛି । ଏଭଳି ସ୍ତିତିରେ ପରିବା ଦର ମହଙ୍ଗା ଯୋଗୁଁ ଖାଉଟି ଚିନ୍ତାରେ ପଡ଼ିଛନ୍ତି । ହିଂଜିଳିକାଟୁ ପୌରାଂଚଳ ପରିବା ବଜାରରେ ଶତାଧିକ ବ୍ୟବସାୟୀ ବେପାର ବଣିଜ କରୁଛନ୍ତି । ସ୍ଥାନୀୟ ସହର ମଧ୍ୟରେ ଏକାଧିକ ପରିବା ଗୋଦାମ ମଧ୍ୟ ରହିଛି । ଛୋଟ ହେଉ ବା ବଡ଼ଚାଷୀ ନିଜ ଚାଷ ଜମିରେ ଅମଳ କରିଥିବା ପରିବାକୁ ବିକ୍ରି କରୁଛି । କିନ୍ତୁ ମୂଲ୍ୟ ଶୁଣି ଖାଉଟି ହତାସ ହୋଇପଡ଼ୁଛି । ହିଂଜିଳିକାଟୁ ପରିବା ବଜାରରେ ସମସ୍ତ ପ୍ରକାରର ପରିବା ଉପଲବ୍ଧ ରହିଛି । କିନ୍ତୁ ସ୍ଥାନୀୟ ଅଂଚଳର ପରିବା ଅଳ୍ପ ପରିମାଣର ଆସୁଥିବାରୁ ଏବଂ ବାହାର ଜିଲ୍ଲାରୁ ପରିବା ଆସୁଥିବାରୁ ବଜାରରେ ଚଢା ଦରରେ ବିକ୍ରି ହେୁଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା, ସିକିରି, ରାଳବ, ଶାସନ ଆମ୍ବଗାଁ, ବାଦିଆମ୍ବଗାଁ, ଖରିଡ଼ା, ଆଲପୁର ଭଳି ଗ୍ରାମାଂଚଳରୁ ଢେର ଅଧିକ ପରିମାଣରେ ପରିବା ଅମଳ କରାଯାଇ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରାଯାଉଥିଲା । ବିଭିନ୍ନ ସମୟରେ ଏଠାରେ ପରିବା ହାଉଜାଉ ହୋଇଥାଏ । ଏତେ ପରିମାଣରେ ପରିବା ଆସିଥାଏ ଯେ, ବାଇଗଣ କିଲୋ ୧୦ ଟଙ୍କାରେ ଖାଉଟି ନେଇଥାଏ । ଜହ୍ନି ହେଉ କି ଭେଣ୍ଡି ୧୦ ରୁ ୧୫ ଟଙ୍କାରେ ମିଳିଯାଇଥାଏ । ବିଲାତି ବାଇଗଣ ୨୦ ଟଙ୍କା ହେଲେ ବହୁତ । କଲରା, କାକୁଡ଼ି, ଛୁଇଁ, ପୋଟଳ, ଝୁଡ଼ୁଙ୍ଗ ଅତି ବେଶିରେ କିଲୋ ପିଛା ୨୦ ଟଙ୍କାରେ ମିଳି ଯାଇଥାଏ । କିନ୍ତୁ ବର୍ତମାନର ଅବସ୍ଥା ସଙ୍ଗୀନ । ଆଜିର ଦିନରେ ହିଂଜିଳିକାଟୁ ବଜାରରେ ବାଇଗଣ କିଲୋ ପିଛା ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ଅଂଚଳରେ ବାଇଗଣ ଅମଳ ହେଉନଥିବା ଯୋଗୁଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସୁଛି ବାଇଗଣ । ଗୋଦାମ ମାଲିକ ୪୫ ରୁ ୫୦ ଟଙ୍କାରେ କଂଟା କରି ବେପାରୀକୁ ଦେଉଛି । ସେଥି ମଧ୍ୟରୁ ପୋକରା ଓ ପଚାସଢା ରହୁଛି, ସେଥିଲାଗି ବେପାରୀ ଖାଉଟିଙ୍କୁ କିଲୋ ପିଛା ୫୫ ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେହିପରି ଆଳୁ କିଲୋ ଦର ୨୬ରୁ ୨୮ ଟଙ୍କା ରହିଥିବା ବେଳେ ଭେଣ୍ଡି ୩୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୪୦ ଟଙ୍କା, ଭଣ୍ଡା ୩୦ ଟଙ୍କା, କାକୁଡ଼ି ୪୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ବନ୍ଧାକୋବି ୩୫ ଟଙ୍କା, ମୁନିକା ୧୦୦ ଟଙ୍କା, କଂଚା ଲଙ୍କା ୧୫୦ ଟଙ୍କା ରହିଛି । ଏହି ମୂଲ୍ୟ ଶୁଣି ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ପରିବା ଯଥେଷ୍ଟ ପରିମାଣରେ ଅମଳ ହେଉଥିବା ବେଳେ ଦର କମ୍ ରହୁଥିଲା । ବର୍ତମାନ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ପରିବା କିଣି ବିକ୍ରି କରାଯାଉଛି । ଇନ୍ଧନ ମୂଲ୍ୟ ବଢିଯିବାରୁ ପରିବହନ ଖର୍ଚ୍ଚ ଅଧିକ ଲାଗୁଛି, ସେହି ଅନୁପାତରେ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଖାଉଟି ମାନେ କିଲେ ପରିବା ନେବା ଜାଗାରେ ଅଧାକିଲୋ ନେଇ ଯାଉଛନ୍ତି । ସ୍ଥାନୀୟ ଅଂଚଳରୁ ପରିବା ଅମଳ ହେଲେ ଦର କମିବ ବୋଲି ଜୈନିକ ପରିବା ବ୍ୟବସାୟୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ