ପରିବା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ମେଘାଳୟର ଜଣେ ଆଇଏସ୍ ଅଫିସର

ଶିଲଂ : ମେଘାଳୟର ଜଣେ ଆଇଏସ୍ ଅଫିସର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଜୀବନ ସହିତ ଜୈବିକ ପରିବା କିଣିବା ପାଇଁ ୧୦ କିଲୋମିଟର ବାଟ ଚାଲିଚାଲି ଯାଉଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଏହି ଆଇଏଏସ୍ ଅଫିସର୍ ହେଲେ ରାମ ସିଂହ । ସେ ପଶ୍ଚିମ ଗାରୋ ହିଲ୍ସର ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ରାମ ସିଂହ ପ୍ରତି ଶନିବାର ଦିନ ଏକ “କୋକ୍ଚେଙ୍ଗ୍’ (ବାଉଁଶ ନିର୍ମିତ ପାରମ୍ପରିକ ଝୁଡ଼ି)କୁ କାନ୍ଧରେ ବୋହି ଦଶ କିଲୋମିଟର ଦୂର ଟୁରା ହାଟକୁ ଯାଆନ୍ତି । ଅର୍ଗାନିକ୍ ପନିପରିବା କିଣିବା ପାଇଁ ଖାସ୍ କରି ଚାଲିଚାଲି ସେ ହାଟରେ ପହଞ୍ଚନ୍ତି । ୨୧ କିଲୋ ପର୍ଯ୍ୟନ୍ତ ଅର୍ଗାନିକ୍ ପରିବା ଟୁରା ହାଟରୁ କିଣି ନିଜ କାନ୍ଧରେ ବୋହି ଘରକୁ ଫେରନ୍ତି । ଏ ସମ୍ପର୍କରେ ରାମ ସିଂହ କୁହନ୍ତି; ” ନୋ ପ୍ଲାଷ୍ଟିକ୍, ନୋ ପଲ୍ୟୁସନ୍, ନୋ ଟ୍ରାଫିକ୍ ଜାମ୍, ଫିଟ୍ ମେଘାଳୟ, ଇଟ୍ ଅର୍ଗାନିକ୍, କ୍ଲିନ୍ ଆଣ୍ଡ ଗ୍ରୀନ୍ ଟୁରା ।’
ବାଉଁଶ ଝୁଡ଼ିରେ ପରିବା କାନ୍ଧରେ ବୋହି ଆଣୁଥିବାର ଏକ ଫଟୋ ସେ ଫେସବୁକ୍ରେ ସେୟାର୍ କରିବା ପରେ ତାଙ୍କର ଏ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଆଡୁ ପ୍ରଶଂସା ମିଳିଛି । ରାମ ସିଂହଙ୍କ ଫେସବୁକ୍ ପୋଷ୍ଟିଂର ଉତ୍ତରରେ ଅନ୍ୟ ଜଣେ ଅମଲା ରବର୍ଟ ଜି. ଲିଙ୍ଗ୍ଡ଼ୋ ଲେଖିଛନ୍ତି, ” ଏହା ହେଉଛି ବର୍ତ୍ତମାନର ଭାରତୀୟ ପ୍ରଶାସନର ନୂଆ ଛବି । ମୁଁ ରାମ ସିଂହଙ୍କ ଏ କାର୍ଯ୍ୟ ଦ୍ୱାରା ଖୁବ୍ ପ୍ରଭାବିତ । ରାମ ସିଂହଙ୍କ ସରଳ ଜୀବନ ଓ ପରିବେଶ ଚିନ୍ତା ଅନେକଙ୍କୁ ପ୍ରଭାବିତ କରିଛି । ‘ ସୂଚନା ଅନୁସାରେ, ଟୁରା ହାଟରେ ସବୁବେଳେ ଟ୍ରାଫିକ୍ ଜାମ୍ ସମସ୍ୟା ଲାଗି ରହିଥାଏ । ଏ ସମସ୍ୟାକୁ ଲକ୍ଷ୍ୟରେ ରଖି ରାମ ସିଂହ ପ୍ରଥମେ ପାଦରେ ଚାଲିଚାଲି ହାଟକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା କେବଳ ପରିବାର କିଣିବା ନୁହେଁ, ପ୍ରାତଃଭ୍ରମଣ ବି ହୋଇଯାଏ । ଗତ ଛଅ ମାସ ହେଲା ରାମ ସିଂହ ଏବଂ ତାଙ୍କ ପତ୍ନୀ ଏଭଳି କରି ଆସୁଛନ୍ତି ।
ସବୁଠୁ ବଡ଼ କଥା ହେଉଛି, ତାଙ୍କର ଏ ପ୍ରୟାସ ଫଳରେ ପରିବେଶ ପ୍ରଦୂଷଣ ପାଇଁ ରାମ ସିଂହ ଏକ ସଚେତନତା ସୃଷ୍ଟି କରିପାରିଛନ୍ତି । ସେ ନିଜେ ମଧ୍ୟ ଏକ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ମେଘାଳୟର ସ୍ୱପ୍ନ ଦେଖିଥିବା କୁହନ୍ତି । ସମସ୍ତ ଯୁବକ ଏଭଳି କରିବାକୁ ମଧ୍ୟ ଆହ୍ୱାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ