ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ର ଯୁବ ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶପ୍ରେମୀ ବିପିନ୍ ବିହାରୀ ସାହୁଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫୁଲବାଣୀ ବନଖଣ୍ଡ ସଭାଗୃହରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସମ୍ମାନିତ ଅତିଥି ଡିଏଫଓ କେନ୍ଦୁପତ୍ର ପତିତପାବନ ପରିଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଂଜନ ନାୟକ ପ୍ରମୂଖ ମାନପତ୍ର, ଉପଢୌକନ ସହ ଦଶହଜାର ଟଙ୍କାର ଚେକ୍ ପ୍ରଦାନ କରି ଶ୍ରୀ ସାହୁଙ୍କୁ ସମ୍ମାନିତ କରିଛନ୍ତି । ବୃକ୍ଷରୋପଣ, ପୋଡ଼ୁଚାଷ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କୁ ଜାଗ୍ରତ କରାଉଥିବା ଶ୍ରୀ ସାହୁ ଏକାଧାରାରେ ଜଣେ ଛାତ୍ର ବତ୍ସଳ ଶିକ୍ଷକ, ପରିବେଶବିତ୍ ଓ ସକରାତ୍ମକ ଭାବନା ନେଇ କାମ କରୁଥିବା ଯୁବ ସଂଗଠକ ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଯୁବ ପୁରସ୍କାର, ରାଜ୍ୟ ରାଜୀବ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଶ୍ରେଷ୍ଠ ଏନଏସଏସ ସ୍ୱେଚ୍ଛାସେବୀ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ ତରଫରୁ ଶ୍ରେଷ୍ଠ ରେଡ଼କ୍ରସ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ ହୋଇଛନ୍ତି । ଏକ ସରସ ସୁନ୍ଦର ପରିବେଶ ଓ ସବୁଜ ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପୂର୍ବକ ନିଜ ଚାରିପାଖର ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରି ରଖିବା ପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ କାମ କରିଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକର ଜଣେ ଲେଖାଏଁ ବ୍ୟକ୍ତି ଙ୍କୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି ।