ପରିବେଶ ପ୍ରଦୂଷଣର ପ୍ରଭାବ ଲୋପ ପାଇବାରେ ଲାଗଛି ଘର ଚଟିଆ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘର ଚଟିଆ ଦିବସ ଭାବେ ପାଳନ କରାଯାଏ । ଆଜି ଘରଚଟିଆ ମାନଙ୍କ କିଚିରି ମିଚିରି ଶଦ୍ଦ ମନେ ପଡେ । ଏବେ ଏହା ଶୁଣିବା ସାତ ସପନ ହୋଇଗଲାଣି । ଦିନଥିଲା ଯେତେବେଳେ ସେମାନେ ଆସି ଚାଳ ଘରେ ବସା ତିଆରି କରୁଥିଲେ । ଅଣ୍ଡାଦେଇ ଛୁଆ ଫୁଟାଉଥିଲେ । ବସା ତିଆରି କରିବା ପାଇଁ ବାଛି ନେଉଥିଲେ ଅନ୍ଦିକନ୍ଦି ଜାଗା । ମାତ୍ର ଏବେ ନିର୍ଭର କରୁଛନ୍ତି ଆମର ଦୟା ଉପରେ । ଏପରିକି ସାରା ପୃଥିବୀରେ ଲୋକେ ଘର ଚଟିଆ ଶୁଭ ମାନସୀ ପାଳନ କରୁଛନ୍ତି ଘରଚଟିଆ ଦିବସ ତଥା ସଂରକ୍ଷଣ କାର୍ଯ୍ୟକ୍ରମ । ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଆଇୟୁସିଏନ ନାମରେ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠିତ ହୋଇଛି । ଏହାର ରିପୋର୍ଟ ଅନୁଯାୟୀ ୨୦୦୫ ସୁଦ୍ଧା ପୃଥିବୀରେ ଘର ଚଟିଆ ମାନଙ୍କ ସଂଖ୍ୟା ଶତକଡା ୮୦ ପ୍ରତିଶତ କମିଗଲାଣି । ଏହାର ଅର୍ଥ ପ୍ରତି ୧୦୦ଟି ମଧ୍ୟରୁ ପାଖାପାଖି ୨୦ଟି ବଞ୍ଚିଛନ୍ତି । ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଅନୁଷ୍ଠାନ ଗୁଡିକ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି । ଘର ଚଟିଆ ମାନଙ୍କୁ ସୁରକ୍ଷା ଦେବାପାଇଁ ଭାରତର ବିଭିନ୍ନ ରାଜ୍ୟରେ ଏନଜିଓ ବା ବେସରକାରୀ ସଂସ୍ଥା ମାନେ ହାତକୁ ନେଇଛନ୍ତି । ଆଇୟୁସିଏନର ନିୟମ ଅନୁଯାୟୀ ୨୦୧୦ ଠାରୁ ବିଶ୍ୱରେ ମାର୍ଚ୍ଚ ୨୦ ତାରିଖ ଦିନ ଘରଚଟିଆ ଦିବସ ପାଳନ କରାଯାଉଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଲା ଦୀକ୍ଷିତ ୨୦୧୨ ଠାରୁ ଘରଚଟିଆକୁ ଦିଲ୍ଲୀରେ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଥିଲେ । ସେହିପରି ତତ୍କାଳିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘର ଚଟିଆକୁ ୨୦୧୪ରେ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଥିଲେ । ପ୍ରଶ୍ନ ଉଠେ ଏହି ଛୋଟିଆ ଚଢେଇଟି ପ୍ରତି ବିପଦ ମାଡି ଆସିଲା କାହିଁକି? ସମ୍ପ୍ରତି ଗାଁ ଗୁଡିକ ମିନି ସହରରେ ପରିଣତ ହେବାକୁ ବସିଲାଣି । ଚାଳ ଘର ଗୁଡିକ ବଦଳରେ ଏବେ ମାଳ ମାଳ କୋଠା ଘର ତିଆରି ହେଲାଣି । ଅନ୍ୟ ପକ୍ଷରେ ବଣ ବୁଦା ଗୁଡିକୁ ସଫା କରି ବର୍ତ୍ତମାନ ତିଆରି ହେଉଛି ମାଳ ମାଳ କୋଠା ଘର, ପକ୍କା ରାସ୍ତା, କଳ କାରଖାନା । ଯଦି ଚାଳ ଘର ନାହିଁ, ଟାଇଲ ଘର ନାହିଁ, ବଣ ବୁଦା ନାହିଁ ତାହାହେଲେ ସେମାନେ କିପରି ବସା ତିଆରି କରିପାରିବେ । ବଣ ବୁଦା ନଥିଲେ କେଉଁଠି ରହିବେ ପୋକ ଜୋକ? ପୋକ ଜୋକ ନ ମିଳିଲେ ଘର ଚଟିଆ ନିଜେ କଣ ଖାଇବେ ନିଜ ଛୁଆକୁ ଖାଇବାକୁ କଣ ଖାଇବାକୁ ଦେବେ? ପୁଣି ଗଛ ଲଗାଇବା ନାଁରେ ଯେଉଁ ସବୁ କିସମର ଗଛ ମାନ ଲଗା ଯାଉଛି । ସେଗୁଡିକ ତ ଘର ଚଟିଆ ମାନଙ୍କ ଅଚିହ୍ନା । ତେଣୁ ସେମାନେ କେଉଁ ଭରସାରେ ସେଠାରେ ବସା ବାନ୍ଧିବେ । ସେହିପରି ମୋବାଇଲ ଫୋନ ଟାୱାରର ମାଇକ୍ରୋ ୱେବ ତରଙ୍ଗ ମଧ୍ୟ ନୀରବରେ ସେମାନଙ୍କୁ ମାରି ଚାଲିଛି ଓଡିଶାର ପରିବେଶ ସହିତ କାମ କରୁଥିବା ରବୀନ୍ଦ୍ର ନାଥ ସାହୁ ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମରେ ୨୦୦୭ ଠାରୁ ଘର ଚଟିଆ ମାନଙ୍କ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ଜିଲ୍ଲା ରେ ପରିଚାଳିତ ହେଉଛି । ଏହା ସହିତ କୃତ୍ତିମ ବସା ଅନ୍ୟ ରାଜ୍ୟର ସିମଲା, ବିଶାଖାପାଟଣାମ, ହାଇଦ୍ରାବାଦ ଓ ବାଙ୍ଗାଲୋର ଠାରେ ଘର ଚଟିଆ ସଂରକ୍ଷଣରେ ବ୍ୟବହୃତ ହେଉଛି । ଏହି କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇଛି । ତେବେ ଜୀବଜବତ ମଧ୍ୟରେ ସମସ୍ତ ଜୀବଜନ୍ତୁ, ପଶୁପକ୍ଷୀଙ୍କ ବଞ୍ଚିବା ପାଇଁ ପରିବେଶ ସୃଷ୍ଟି ହୋଇଛି । ହେଲେ ପରିବେଶ ପ୍ରଦୂଷଣ ଯୋଗୁଁ ପୃଥିବୀରୁ ଗୋଟିଏ ପରେ ଗୋଟିଏ ଜୀବ ଲୋପ ପାଇବାରେ ଲାଗିଛନ୍ତି ।