ପରିବେଶ ଯୋଦ୍ଧା ‘ଗଛସାର୍‌’ଙ୍କୁ ବ୍ଲୁଟୁଥ୍ ସ୍ପିକର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବୟସ ପାଖାପାଖି ୭୭ ହେବ । ଭଲ ନାଁ ଅନ୍ତର୍ଯ୍ୟାମୀ ସାହୁ । ଶ୍ରୀ ସାହୁଙ୍କ ଘର ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗ୍ରାମରେ । ଗଛସାର୍ ନାମରେ ରାଜ୍ୟରେ ସେ ବେଶ୍ ସୁପରିଚିତ । ପରିବେଶ ସୁରକ୍ଷା ପାଇଁ ଅହରହ ଲଢେଇ କରୁଥିବା ଏ ପରିବେଶ ଯୋଦ୍ଧା ଆଗରେ ବୟସ ବି ହାର ମାନିଛି । ଛାତିରେ ଲାଗିଛି ଏକ ମେସିନ୍ । ଆଗଭଳି ଶରୀରେ ବଳ ନଥିଲେ ବି ତଥାପି ସେ ହାର୍ ମାନିନାହାଁନ୍ତି । ଏ ବୟସରେ ନିଜ ଘର ଦୁଆର ଛାଡ଼ି ସକାଳୁ ସନ୍ଧ୍ୟା ଯାଏଁ ଏ ଗାଁରୁ ସେ ଗାଁକୁ ବୁଲି ଗଛଟିଏ ଲଗାଇବା ହେଉ କି ମଞ୍ଜି ସଂଗ୍ରହ ହେଉ କି ଲୋକଙ୍କୁ ପରିବେଶ ପ୍ରତି ଜାଗ୍ରତ କରାଇବା ହେଉ ଏହା ତାଙ୍କର ନିତିଦିନିଆ କାର୍ଯ୍ୟ । ହାର୍ଟ ଅପରେସନ୍ ଯେଗୁଁ ଜୋର୍‌ରେ କଥା କହିବାକୁ ଡ଼ାକ୍ତର ବାରଣ କରିଥିବାରୁ ପରିବେଶ ସମ୍ବନ୍ଧୀୟ ଅନୁଭୂତି, ବିଭିନ୍ନ ସମସ୍ୟା, କ୍ଷୟକ୍ଷତି, ଅଗ୍ରଗତି, ଜନସାଧାରଣଙ୍କ ପରିବେଶ ପ୍ରତି କର୍ତ୍ତବ୍ୟ, ଜଙ୍ଗଲ ପୋଡ଼ି ଇତ୍ୟାଦି ସମ୍ପର୍କରେ ବିଭିନ୍ନ ବିଷୟବସ୍ତୁକୁ କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ସେ ଚିିନ୍ତାରେ ପଡ଼ିଯାଇଥିଲେ ଗଛସାର୍ । ଏବେ ସେ ଚିନ୍ତା ଦୂର ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରର ସାମାଜିକ କର୍ମୀ ତଥା ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ଲୁଟୁଥ୍ ସ୍ପିକର ଗଛସାର୍‌ଙ୍କୁ ପ୍ରଦାନ କରିଛନ୍ତି । ଏହି ଯନ୍ତ୍ରଟିରେ ଭଏସ୍ ରେକର୍ଡ଼ିଂ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି । ଯାହା ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇପାରିବ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ସ୍ଥାପିତ ଘୋଡ଼ା ସମ୍ମୁଖରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡାଙ୍କ ଉପସ୍ଥିତିରେ ଗଛସାର୍‌ଙ୍କୁ ଏହି ମେସିନ୍‌ଟି ପ୍ରଦାନ କରାଯାଇଛି । ଏହି ମେସିନ୍‌ଟି ମୋର କାର୍ଯ୍ୟକୁ ଆଉ ଗୋଟିଏ ପାଦ ଆଗକୁ ନେବ ବୋଲି ‘ଗଛସାର୍‌’ ଆଶାପ୍ରକଟ କରିବା ସହ ଉପସ୍ଥିତ ସାମାଜିକ କର୍ମୀଙ୍କୁ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ