ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ସଂଗ୍ରାମ ଜାରି ରଖିବ !

ଓଡିଶାରେ ପିଲାଚୋର ସରକାର ରହିଛି – ମନମୋହନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପିର ସଂଗ୍ରାମ ଜାରି ରହିବ । କଂଗ୍ରେସ – ବିଜେଡି ଏକାଠି ହୋଇ ଷଡଯନ୍ତ୍ରର ଅଙ୍ଗ ଭାବେ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ଦୁହୁରିଆସ୍ଥିତ ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଇନ ଆଖିରେ ବଡସାନର ବିଭେଦ ନାହିଁ । ପରୀ ଗରୀବ ଅଟୋଚାଳକର ଝିଅ । ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା ? ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର ଆବଶ୍ୟକ କ’ଣ ନଥିଲା ? ମାତ୍ର ଶାସକ ବିଜେଡି ଓ କଂଗ୍ରେସର ଯୋଡି ଏକାଠି ହୋଇ ଏକ ଷଡଯନ୍ତ୍ରର ଅଙ୍ଗ ଭାବେ ଗରୀବ ବାପା,ମାର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ପରୀର ବିବାଦ ଛୋଟ ଝିଅ ଅପହରଣ ରୁ ଆରମ୍ଭ ହୋଇଛି । ଅପହରଣ ପରେ ହତ୍ୟାର ସଙ୍ଗୀନ ସତ୍ୟ ସାମ୍ନାକୁ ଆସିଛି । ପରୀର ବାପା ,ମା ତାଙ୍କ ଝିଅ ଆଖି ,କିଡନି ଚୋରୀ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶ୍ରୀ ସାମଲ । ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତା’ର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ସହ ଅସହାୟତା ପ୍ରକାଶ କରିଥିଲେ । ଚାରିମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା ? ଅପରପକ୍ଷରେ ନୟାଗଡ ପୋଲିସ ଅଭିଯୋଗକାରୀ ପରୀର ବାପା, ମା ଓ ତା’ର ବଡବାପା, ବଡମାଁଙ୍କ ପଲିଗ୍ରାଫ ଟେଷ୍ଟ କରିଛନ୍ତି । ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା ଓ ମା ବାରମ୍ବାର କହିବା ସତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାନାହିଁ ? ସ୍ଥାନୀୟ ପୋଲିସ ୫ଲକ୍ଷ ଟଙ୍କା ନେଇ ପରୀର ବଡବାପା ଓ ବଡମାଁଙ୍କ ନାଁରେ ଅଭିଯୋଗ ଆଣିଲେ ପରୀର ମୂର୍ତ୍ତି ପ୍ରତିଷ୍ଠା ସହ ସ୍କୁଲରେ ପରୀ ନାଁରେ ପୁରସ୍କାର ଦିଆଯିବ ବୋଲି କହି ପ୍ରଭାବିତ କରୁଥିଲେ ବୋଲି ପରୀର ବାପା ଓ ମା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ସ୍ଥାନୀୟ ସରପଂଚଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁଙ୍କ ଦୁଇଟି ଭାଇରାଲ ଅଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଗୋଟିଏ ଅଡିଓରେ ମନ୍ତ୍ରୀ ଶ୍ରୀ ସାହୁ ସରପଂଚଙ୍କୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଉଛନ୍ତି । ଅନ୍ୟ ଅଡିଓଟିରେ ପରୀ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଭୂବନେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିବା ନେଇ ମନ୍ତ୍ରୀ ଶ୍ରୀ ସାହୁ ସ୍ପଷ୍ଟ ଭାବେ କହୁଥିବା ଶୁଣାଯାଉଛି । ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇବା ସତ୍ୱେ ପରୀ ହତ୍ୟାକାଣ୍ଡରେ ମର୍ମାହତ ବୋଲି ନାଟକ କରୁଥିବା ମନ୍ତ୍ରୀ ଶ୍ରୀ ସାହୁ ଏହି ଭାଇରାଲ ଅଡିଓ ସମ୍ପର୍କରେ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେପି କହିଛି । ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତ ଟେକି ଦେଇଛନ୍ତି । ଏନ.ସି.ଆର.ବି. ରିପୋର୍ଟ ଅନୁଯାଇ ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ରାଜ୍ୟରେ ୫ହଜାର ୩୨୩ ଶିଶୁ ନିଖୋଜ ଅଛନ୍ତି । ତେଣୁ ଓଡିଶାରେ ପିଲାଚୋରୀ ସରକାର ଚାଲିଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି । ପରୀର ବାପା ଓ ମା ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ପାଇଁ ପରୀର ଅପହରଣ ଓ ହତ୍ୟା ହୋଇଥିବା ଏବଂ ଏଥିରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି । ଯଦି ପରୀ ମାମଲାରେ ସଠିକ ତଦନ୍ତ ହୁଏ ତେବେ ଏହା ସାରା ରାଜ୍ୟ ବ୍ୟାପି ସୁଦୁର ପ୍ରସାରୀ ହେବ । ଏସ.ଆଇ.ଟି. ତଦନ୍ତ ନିର୍ଦେଶ ଦେଇ ରାଜ୍ୟ ସରକାର ଓ ତାଙ୍କ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି । ତେଣୁ ପରୀ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କେବଳ ସି.ବି.ଆଇ.ଦ୍ୱାରା ସମ୍ଭବ ବୋଲି ବିଜେପି କହିଛି । ଏହି ପରିସ୍ଥିତିରେ କ୍ଷମତାଶାଳୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଓ ସି.ବି.ଆଇ. ତଦନ୍ତ ଛଡା ପରୀ ପରିବାରକୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ସରକାର ନିଜ ଜିଦରୁ ନଓହରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଛି । ପରୀ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପକ୍ଷରୁ ଭୂବନେଶ୍ୱରରୁ ୫ଦିନ ଧରି ପଦଯାତ୍ରାରେ ଯାଇ ଜନଜାଗରଣ ଓ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ନୟାଗଡରେ ପଦଯାତ୍ରୀ ଦଳ ପହଁଚିବେ ବୋଲି ଶ୍ରୀ କହିଛନ୍ତି । ଏହି ପତ୍ରକାର ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ସୁନାକର ବେହେରା,ନେହେରୁ ସାହୁ, କଳ୍ପନା ମଲ୍ଲିକ, ମହିଳା ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରିୟଦର୍ଶିନୀ ନନ୍ଦ, ନଗର ସଭାପତି ଦିଲ୍ଲିପ କୁମାର ଦାଶ, ଅଭିମନ୍ୟୁ ଗୋଛାୟତ, ଉପୀନ ରାଉତ, ରଞ୍ଜିତ ଆଚାର୍ଯ୍ୟ, ସୁନାକର ପ୍ରଧାନ, ସନ୍ଦିପନୀ ଆର୍ଯ୍ୟକୁମାର, ବାଦଲ ନନ୍ଦ, ଦିଲ୍ଲିପ ରାଉତ, ଧିରେନ ରାଉତ, ଲୋକନାଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ